ଭୂସ୍ଖଳନରେ ପ୍ରାଣ ହରାଇଥିବା ପରିବାରଙ୍କ ଉଦ୍ଦେଶ୍ୟରେ ସାମୂହିକ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଓ ଶୋକସଭା
Condolences for Gidipabali Victims
ଫୋଟ ୨


ଫୋଟ


କନ୍ଧମାଳ, ୯ ନଭେମ୍ବର (ହି.ସ.)- କନ୍ଧମାଳ ଜିଲ୍ଲା ଗିଡିପାବାଲି ଠାରେ ଭୂସ୍ଖଳନ ଯୋଗୁଁ ଅକାଳରେ ପ୍ରାଣ ହରାଇଥିବା ଲୋକଙ୍କ ଅମର ଆତ୍ମା ଉଦେଶ୍ୟରେ ପବିତ୍ର ଦୀପାବଳି ଅବସରରେ ମାଣିକେଶ୍ୱର ଠାରେ କାହ୍ନୁ ଦିଗାଲଙ୍କ ନେତୃତ୍ୱରେ ଏକ ସାମୂହିକ ଶ୍ରଦ୍ଧାଞ୍ଜଳି ଓ ଶୋକସଭା ଆୟୋଜନ କରାଯାଇଥିଲା। ଏହି ଅବସରରେ ଦିବଂଗତ ଆତ୍ମାଙ୍କ ସଦ୍ଗତି ଓ ଶାନ୍ତି କାମନା କରି ସାମୂହିକ ପ୍ରାର୍ଥନା କରାଯିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରାଯାଇଥିଲା।

ଉଲ୍ଲେଖଯୋଗ୍ୟ ଯେ, ଭୂସ୍ଖଳନ ଘଟିବାର ପ୍ରଥମ ଦିନରୁ ଆଜି ପର୍ଯ୍ୟନ୍ତ କାହ୍ନୁ ଚରଣ ଦିଗାଲଙ୍କ ନେତୃତ୍ୱରେ ସହଯୋଗୀ ବନ୍ଧୁମାନେ ବିପଦଗ୍ରସ୍ତ ଓ କ୍ଷତିଗ୍ରସ୍ତ ପରିବାରଙ୍କ ପାଖରେ ଠିଆ ହୋଇ ବିଭିନ୍ନ ପର୍ଯ୍ୟାୟରେ ନିଜ ସାଧ୍ୟମତେ ସହାୟତା ଓ ସହଯୋଗ ଯୋଗାଇ ଆସୁଛନ୍ତି। ଏହି ସହଯୋଗ କେବଳ ସାମଗ୍ରୀ ବଣ୍ଟନରେ ସୀମିତ ନ ରହି, ଦୁଃଖୀ ପରିବାରଙ୍କ ସହିତ ରହିବା, ସେମାନଙ୍କ ସମସ୍ୟା ଓ ଦୁଃଖ ବୁଝିବା, ଆବଶ୍ୟକ ସମୟରେ ସହଯୋଗର ହାତ ବଢ଼ାଇବା ଏବଂ ମାନସିକ ସାହସ ଯୋଗାଇବାର ଏକ ନିରନ୍ତର ପ୍ରୟାସ ହୋଇ ରହିଛି।

ଏହି ଶୋକସଭାରେ କାହ୍ନୁ ଚରଣ ଦିଗାଲ, ଜିଲ୍ଲାର ଜଣେ ଶ୍ରମିକ ସଂଗଠକ ତଥା ସମାଜ ସେବୀ, ଉମେଶ ଭୋଇ ଶ୍ରମିକ ସଂଗଠକ, ସୁନୀଲ କହଁର ଶ୍ରମିକ ସଂଗଠକ, ପ୍ରଫୁଲ୍ଲ ବେହେରା ଶ୍ରମିକ ସଂଗଠକ, କାବୁଲା, ପ୍ରଦୀପ ପଣ୍ଡା ଓ ଅଚ୍ୟୁତାନନ୍ଦଙ୍କ ସମେତ ଅନ୍ୟ ବନ୍ଧୁମାନେ ଉପସ୍ଥିତ ରହି ଦିବଂଗତଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିବା ସହ ଶୋକସନ୍ତପ୍ତ ପରିବାରଙ୍କ ଦୁଃଖରେ ସାମିଲ ହୋଇଥିଲେ।

ଏଭଳି ଏକ ଦୁଃଖଦ ଓ ହୃଦୟବିଦାରକ ସମୟରେ ଶୋକସନ୍ତପ୍ତ ପରିବାରଗୁଡ଼ିକର ଦୁଃଖକୁ ଶବ୍ଦରେ ବର୍ଣ୍ଣନା କରିବା ସମ୍ଭବ ନୁହେଁ। ନିଜ ପ୍ରିୟଜନଙ୍କୁ ହରାଇବାର ଯନ୍ତ୍ରଣା କେବେ ପୂରଣ ହୋଇପାରିବ ନାହିଁ। ତଥାପି, ଏହି କଷ୍ଟକର ସମୟରେ ସେମାନଙ୍କ ପାଖରେ ଠିଆ ହେବା, ସେମାନଙ୍କ ଦୁଃଖରେ ସାମିଲ ହେବା, ସମବେଦନା ଜଣାଇବା ଏବଂ ମାନସିକ ସାହସ ଯୋଗାଇବା ଆମ ସମସ୍ତଙ୍କର ମାନବିକ କର୍ତ୍ତବ୍ୟ।

ଆମେ ଜାଣୁ, ଆମର ଏହି ଛୋଟ ପ୍ରୟାସ ସେମାନଙ୍କ ଅପୂରଣୀୟ କ୍ଷତିକୁ ପୂରଣ କରିପାରିବ ନାହିଁ; କିନ୍ତୁ ଆମର ଉପସ୍ଥିତି, ସ୍ନେହ, ସହଯୋଗ ଓ ସମବେଦନା ଶୋକସନ୍ତପ୍ତ ପରିବାରଙ୍କୁ ଟିକିଏ ସାନ୍ତ୍ୱନା ଓ ସାହସ ଦେଇପାରୁ—ଏହା ହିଁ ଆମର ଏକମାତ୍ର କାମନା। ଦୁଃଖର ଏହି ମୁହୂର୍ତ୍ତରେ ସେମାନେ ଏକା ନୁହନ୍ତି, ସମାଜର ଅନେକ ମଣିଷ ସେମାନଙ୍କ ସହିତ ଅଛନ୍ତି—ଏହି ବିଶ୍ୱାସ ଓ ଆଶ୍ୱାସନ ଦେବା ହିଁ ଆମର ଏହି ପ୍ରୟାସର ମୂଳ ଉଦ୍ଦେଶ୍ୟ।

ଏହି ଅବସରରେ ଉପସ୍ଥିତ ସମସ୍ତେ ମାନବିକତା, ପରସ୍ପର ସହଯୋଗ ଓ ଦୁଃଖୀ ମଣିଷଙ୍କ ପାଖରେ ଠିଆ ହେବାର ସଂକଳ୍ପକୁ ଆହୁରି ଦୃଢ଼ କରିଥିଲେ। ମାନବ ସେବା ହିଁ ମାଧବ ସେବା। ବିପଦରେ ପଡ଼ିଥିବା ଲୋକଙ୍କ ପାଖରେ ଠିଆ ହେବା ହିଁ ପ୍ରକୃତ ମାନବିକତାର ପରିଚୟ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande