
ଭଦ୍ରକ, ୯ ନଭେମ୍ବର (ହି.ସ.) - ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଧୂଷୁରୀ ଥାନାରେ କାର୍ଯ୍ୟରତ ହୋମ୍ଗାର୍ଡ ଆନନ୍ଦ ଚନ୍ଦ୍ର ନାୟକ (୪୬)ଙ୍କର ଆଜି ଚିକିତ୍ସାଧୀନ ଅବସ୍ଥାରେ ଅକାଳ ବିୟୋଗ ଘଟିଛି। ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ପୋଲିସ ବିଭାଗ ସମେତ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି। ସୂଚନା ଅନୁଯାୟୀ, ଆଖଣ୍ଡଳମଣି ରାଜ୍ୟ ରାଜପଥର ସୂର୍ଯ୍ୟପୁର ଘେରା ନିକଟସ୍ଥ ଏକ କଲଭର୍ଟ ଉପରେ ଆନନ୍ଦ ଏକ ଗାଡ଼ି ଦୁର୍ଘଟଣାର ଶିକାର ହୋଇ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ପ୍ରଥମେ ଭଦ୍ରକ ମେଡିକାଲରେ ଭର୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ଉନ୍ନତ ଚିକିତ୍ସା ପାଇଁ କଟକ ସ୍ଥିତ ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସମସ୍ତ ଚିକିତ୍ସା ସତ୍ୱେ ଆଜି ସକାଳ ୬ଟା ସମୟରେ ତାଙ୍କର ବିୟୋଗ ଘଟିଥିଲା । ତାଙ୍କର ଅକାଳ ବିୟୋଗରେ ପରିବାର, ଆତ୍ମୀୟସ୍ୱଜନ, ସହକର୍ମୀ ଓ ପରିଚିତ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ