
ଭଦ୍ରକ, ୯ ନଭେମ୍ବର (ହି.ସ.) - ଗତ ୪ ତାରିଖ ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ବନ୍ତ ବ୍ଲକ ନରାଜପୁର ଗ୍ରାମର ଜନନେତା ଅମୂଲ୍ୟ ରତ୍ନ ନନ୍ଦଙ୍କ ବାସଭବନରେ ଚଢାଉ କରାଯାଇଥିଲା । ଶ୍ରୀ ନନ୍ଦଙ୍କ ଅନୁପସ୍ଥିତିରେ ୧୧ ଜଣିଆ ଦଳ ଏହି ଚଢାଉରେ ସାମିଲ୍ ଥିବା ବେଳେ ଯିବା ବେଳେ ସୁଚିତ୍ରା ନନ୍ଦଙ୍କ ଉପସ୍ଥିତିରେ ସଚ୍ଚ୍ର୍ ୱାରେଟଂ ବଳରେ କେବଳ ଚାରିଗୋଟି ଡାଏରୀ ନେଇଥିବା ଜଣା ପଡିଥିଲା । ତେବେ ସାମାଜିକ ଗଣ ମାଧ୍ୟମରେ ବିଭିନ୍ନ ଅପପ୍ରଚାର କରାଯିବା ପରେ ରବିବାର ଶ୍ରୀ ନନ୍ଦ ସାମ୍ବାଦିକ ସମ୍ମିଳନୀ ଡାକି ଘଟଣାର ତଥ୍ୟ ଭିତିକ ସତ୍ୟାସତ୍ୟ ଗଣ ମାଧ୍ୟମରେ ରଖିଛନ୍ତି । ଅନ୍ୟପକ୍ଷରେ ଯେଉଁମାନେ ସତ୍ୟତା ନଜାଣି ମିଥ୍ୟା ଅପପ୍ରଚାର କରୁଛନ୍ତି ଦରକାର ପଡିଲେ ସେମାନଙ୍କ ବିରୋଧରେ ଆଇନର ଆଶ୍ରୟ ନେବେ ବୋଲି ସେ ଚେତାବନୀ ଦେଇଛନ୍ତି । ପ୍ରକାଶଯେ ଶ୍ରୀ ନନ୍ଦ ୨୦୨୩ ମସିହାରେ ପଶ୍ଚିମବଙ୍ଗ ବାଙ୍କୁରା ଜିଲ୍ଲାର ଅମିତ ମଣ୍ଡଳଙ୍କ ଟ୍ରେଡିଂ ସଂସ୍ଥାରେ ନିଜସ୍ୱ ଓ କିଛି ଜମାକାରୀଙ୍କ ଅର୍ଥ ବିନିଯୋଗ କରିଥିଲେ । ପିଡିସି ଚେକ୍ ଓ ଚୁକ୍ତିନାମା ମାଧ୍ୟମରେ ଶ୍ରୀ ନନ୍ଦ ଅର୍ଥ ବିନିଯୋଗ କରି ଲାଭାଶଂ ପାଇ ଆସୁଥିବା ବେଳେ ନିୟମିତ ଟ୍ୟାକ୍ସ ପେଡ୍ କରୁଥିଲେ । ପରବର୍ତୀ ସମୟରେ ମାର୍କେଟରେ କ୍ଷତି ହେବାରୁ ଶ୍ରୀ ମଣ୍ଡଳ ଅର୍ଥ ଫେରସ୍ତ କରି ନଥିଲେ । ଏନେଇ ଶ୍ରୀ ନନ୍ଦଙ୍କ ସମେତ କିଛି ଜମାକାରୀ ବିଭିନ୍ନ ଫୋରମ(କ୍ରାଇମବ୍ରାଚଂ ଇଓଡବ୍ଲ୍ୟୁ)ରେ ଅଭିଯୋଗ କରିଥିଲେ । ପରେ ଇଡି ଅମିତ ମଣ୍ଡଳଙ୍କୁ ଗିରଫ କରିଥିଲା । ଶ୍ରୀ ମଣ୍ଡଳଙ୍କ ଜମାଖାତାରୁ କେଉଁ କେଉଁ ବ୍ୟକ୍ତିଙ୍କ ପାଖକୁ ଅର୍ଥ କାରବାର ହୋଇଛି ତାର ଅଂଶ ସ୍ୱରୂପ ଶ୍ରୀ ନନ୍ଦଙ୍କ ଘରେ ସର୍ଚ୍ଚ ୱାରେଟଂ ବଳରେ ଇଡି ଅଧିକାରୀ ଚଢାଉ କରିଥିଲେ । ଚଢାଉ ସମୟରେ ଟଙ୍କା, ସୁନା କିମ୍ବା ବେନାମୀ ସମ୍ପତି ମିଳି ନଥିଲା । ଯାହା ଇଡି ଅଧିକାରୀଙ୍କ ରେକର୍ଡରେ ଉଲ୍ଲିଖିତ ରହିଛି । ତେବେ ଏକ ଜାତୀୟ ଦଳର ଡ. ମହତାବ ମଣ୍ଡଳ ପାଇଁ ଶ୍ରୀ ନନ୍ଦ ପ୍ରତିନିଧିତ୍ୱ କରୁଥିବା ବେଳେ ଏହିି ଚଢାଉ ପରେ ବିରୋଧୀଙ୍କ ପକ୍ଷରୁ ସାମାଜିକ ଗଣ ମାଧ୍ୟମରେ ବିଭିନ୍ନ ଗୁଜବକୁ ସେ ଦୃଢ ବିରୋଧ କରିଛନ୍ତି । ତାଙ୍କ ନାମରେ ଥିବା ବ୍ୟାଙ୍କ ଜମାଖାତାରେ ଲକ୍ଷ ଲକ୍ଷ ଟଙ୍କା, ସୁନା ଗହଣା କିମ୍ବା ଫାର୍ମ ହାଉସ୍ ପରି କୌଣସି କିଛି ନଥିବା ବେଳେ ଆଗାମୀ ଦିନରେ ତଦନ୍ତକାରୀ ସଂସ୍ଥା ଯେକୌଣସି ତଥ୍ୟ ଓ ସହାୟତା ଚାହିଁବ ସେ ସହଯୋଗ କରିବେ ବୋଲି ଦୃଢତାର ସହ ପ୍ରକାଶ କରିଛନ୍ତି । ଏହି ସମ୍ବାଦିକ ସମ୍ମିଳନୀରେ ଆଇନଜିବୀ ଦୁର୍ଯୋଧନ ବେହେରା, ଯୁବନେତା ଅଶୋକ ପରିଡା, ବିଜ୍ଞାନ ଭୂଷଣ ମହାନ୍ତି, ଜ୍ୟୋତିଶଙ୍କର ପଣ୍ଡା, ତବାରକ ସାହା ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ