ୟୁନିଫାଏଡ୍ ପେନସନ୍ ମ୍ୟାନେଜମେଂଟ ପୋର୍ଟାଲ ଶୁଭାରମ୍ଭ : ହିତାଧିକାରୀଙ୍କୁ ମିଳିବ ସିଧାସଳଖ ପେନସନ ଲାଭ
ୟୁନିଫାଏଡ୍ ପେନସନ୍ ମ୍ୟାନେଜମେଣ୍ଟ ପୋର୍ଟାଲ  ଶୁଭାରମ୍ଭ : ହିତାଧିକାରୀଙ୍କୁ ମିଳିବ ସିଧାସଳଖ ପେନସନ ଲାଭ
ୟୁନିଫାଏଡ୍ ପେନସନ୍ ମ୍ୟାନେଜମେଂଟ ପୋର୍ଟାଲ ଶୁଭାରମ୍ଭ : ହିତାଧିକାରୀଙ୍କୁ ମିଳିବ ସିଧାସଳଖ ପେନସନ ଲାଭ


ସମ୍ବଲପୁର, ୦୯ ନଭେମ୍ବର (ହି.ସ.) - ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାରଙ୍କ ଦ୍ୱାରା ୟୁନିଫାଏଡ୍ ପେନସନ ମ୍ୟାନେଜମେଂଟ ପୋର୍ଟାଲ (ୟୁପିଏମପି) ଶୁଭାରମ୍ଭ କରାଯାଇଛି। ଏହାସହ ମଧୁବାବୁ ପେନସନ ଯୋଜନାରେ ସାଚୁରେସନ ମୋଡ୍ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। ଯାହାଦ୍ୱାରା ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ସହାୟତା ପହଂଚିପାରିବ ବୋଲି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ (ଡିଏସଏସଓ) ସୌରଚନ୍ଦ୍ର ପାଣି ସୂଚନା ଦେଇଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ସମଗ୍ର ଶିକ୍ଷା(ଏସ୍ଏସ୍) ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଡିଏସଏସଓ ପାଣି କହିଛନ୍ତି ଯେ ଏହି ନୂତନ ଗାଇଡଲାଇନ ଅନୁଯାୟୀ ଏବେ ପେନସନ ପାଇଁ କୌଣସି ନିର୍ଦ୍ଦିଷ୍ଟ ଧାର୍ଯ୍ୟ ଲକ୍ଷ୍ୟ ବା କୋଟା ରହିବ ନାହିଁ। ଯୋଗ୍ୟ ଆବେଦନକାରୀ ଆବେଦନ କରିବାର ମାସକ ମଧ୍ୟରେ ପେନସନ ପାଇପାରିବେ। ଏହାସହ ଗ୍ରାମାଂଚଳରେ ବିଡିଓ ଏବଂ ସହରାଂଚଳରେ ଡେପୁଟି କମିଶନରଙ୍କୁ ମଞ୍ଜୁରୀ କ୍ଷମତା ପ୍ରଦାନ କରାଯାଇଛି, ଯାହା ଲୋକଙ୍କୁ ସହଜରେ ସୁବିଧା ଯୋଗାଇବ। ଆବେଦନକାରୀମାନେ ନିଜର ଆଧାର କାର୍ଡ ଓ ଆୟ ପ୍ରମାଣପତ୍ର ଜରିଆରେ ନୂଆ ୟୁପିଏମପି ପୋର୍ଟାଲ ମାଧ୍ୟମରେ ଯେକୌଣସି ଜନସେବା କେନ୍ଦ୍ର କିମ୍ବା ମୋବାଇଲ ଯୋଗେ ଅନଲାଇନ ଆବେଦନ କରିପାରିବେ। ବର୍ତମାନ ଅଫଲାଇନ ଆବେଦନ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିବା ସେ ସ୍ପଷ୍ଟ କରିଛନ୍ତି। ଏହାସହିତ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (ଏନଏସଏପି) ଅଧୀନରେ ଥିବା ବ୍ୟାଙ୍କିଙ୍ଗ ଓ ବୈଷୟିକ ସମସ୍ୟା ଦୂର କରିବା ପାଇଁ ସରକାର ହାଇବ୍ରିଡ ମୋଡ୍ରେ ପେନସନ ବଂଟନ ନିଷ୍ପତି ନେଇଛନ୍ତି। ଏଥିରେ କେନ୍ଦ୍ରାଂଶ ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଡିବିଟି ମାଧ୍ୟମରେ ଯିବ ଏବଂ ରାଜ୍ୟ ସରକାରଙ୍କ ଅତିରିକ୍ତ ଅଂଶ (ଟପ୍-ଅପ୍) ଗ୍ରାମ ପଂଚାୟତ ତଥା ପୌରାଂଚଳ ସ୍ତରରେ ନଗଦ ଆକାରରେ ପ୍ରଦାନ କରାଯିବ। ଆଗାମୀ ୨୫ ନଭେମ୍ବରରେ ଉଭୟ ଅକ୍ଟୋବର ଓ ନଭେମ୍ବର ମାସର ରାଜ୍ୟ ଅଂଶ ନଗଦ ପ୍ରଦାନ କରାଯିବା ସହ ଡିସେମ୍ବର ମାସରୁ ପ୍ରତି ମାସ ୧୫ ତାରିଖରେ ଜନସେବା ଦିବସରେ ଏହି ନଗଦ ରାଶି ବଂଟନ କରାଯିବ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande