
ମାଲକାନଗିରି, ୯ ନଭେମ୍ବର (ହି.ସ.)- ମାଲକାନଗିରି ଜିଲ୍ଲାର ସାମଗ୍ରିକ ବିକାଶକୁ ନୂତନ ଦିଗ ଦେବା ଲକ୍ଷ୍ୟରେ ଜିଲ୍ଲା ଯୋଜନା କମିଟିର ପ୍ରଥମ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। କମିଟିର ଅଧ୍ୟକ୍ଷ ତଥା ମାଲକାନଗିରି ବିଧାୟକ ନରସିଂହ ମାଡକାମୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଯୋଜନା କମିଟି କାର୍ଯ୍ୟାଳୟରେ ଏହି ବୈଠକ ଆୟୋଜିତ ହୋଇଥିଲା।
୧୫ ଜଣ ସଦସ୍ୟଙ୍କୁ ନେଇ ଗଠିତ ଏହି ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ବିଧାୟକ ନରସିଂହ ମାଡକାମୀ ଏବଂ ସଦସ୍ୟ ସଚିବ ଭାବେ ଜିଲ୍ଲାପାଳ ଦାୟିତ୍ୱ ତୁଲାଉଛନ୍ତି। ନିକଟରେ ନିର୍ବାଚିତ ଜିଲ୍ଲା ପରିଷଦ ସଦସ୍ୟଙ୍କ ମଧ୍ୟରୁ ୧୧ ଜଣ ଏହି ବୈଠକରେ ଯୋଗଦେଇଥିଲେ। ସେମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସମାରି ତାଙ୍ଗୁଲୁ ଓ ଉପାଧ୍ୟକ୍ଷ ପତିତପାବନ ବୈଦ୍ୟ ଉପସ୍ଥିତ ଥିଲେ। ଏଥିସହ ବାଲିମେଳା ଏନ୍ଏସିରୁ ଜଣେ ସଦସ୍ୟ ଏବଂ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଉତ୍ତମ ରାୟ ମନୋନୀତ ସଦସ୍ୟ ଭାବେ କମିଟିରେ ସ୍ଥାନ ପାଇଛନ୍ତି।
ବୈଠକରେ ଉପନିର୍ଦେଶକ ଯୋଜନା ପରମେଶ୍ୱର ଏବଂ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷଙ୍କ ପ୍ରତିନିଧି ନିହାର ରାୟ ଯୋଗଦେଇଥିଲେ।
ଏହି ଅବସରରେ ଜିଲ୍ଲାର ସାମଗ୍ରିକ ବିକାଶ, ବିଭିନ୍ନ ଉନ୍ନୟନମୂଳକ ଯୋଜନାର ସୁପରିଚାଳନା, ଜିଲ୍ଲାର ପ୍ରାଥମିକତା ଭିତ୍ତିକ ଯୋଜନା ପ୍ରସ୍ତୁତି ଓ ତାହାର ସଫଳ କାର୍ଯ୍ୟାନ୍ୱୟନ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା।
ଜିଲ୍ଲାର ପ୍ରତ୍ୟେକ ଅଞ୍ଚଳର ସମାନୁପାତିକ ବିକାଶ ସହ ଜନସାଧାରଣଙ୍କ ଆବଶ୍ୟକତା ଓ ସ୍ଥାନୀୟ ସମସ୍ୟାକୁ ସର୍ବାଧିକ ପ୍ରାଥମିକତା ଦେଇ ଯୋଜନା ପ୍ରସ୍ତୁତ ଓ କାର୍ଯ୍ୟକାରୀ କରିବା ଉପରେ ଅଧ୍ୟକ୍ଷ ଶ୍ରୀ ମାଡକାମୀ ଗୁରୁତ୍ୱାରୋପ କରିଥିଲେ।
ଆଜିର ଏହି ବୈଠକ ଜିଲ୍ଲାର ବିକାଶ ପ୍ରକ୍ରିୟାକୁ ଅଧିକ ଗତିଶୀଳ କରିବା ସହ ଦୀର୍ଘଦିନ ଧରି ରହିଥିବା ଜନସାଧାରଣଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ଏକ ନୂତନ ଆଶା ସଞ୍ଚାର କରିଛି। ଏହାଦ୍ୱାରା ମାଲକାନଗିରି ଜିଲ୍ଲାର ସାମଗ୍ରିକ ଓ ସମାନୁପାତିକ ବିକାଶରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହେବ ବୋଲି ଆଶା ପ୍ରକାଶ ପାଇଛି।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ