ଦେବ୍ରିଗଡ଼ ଅଭୟାରଣ୍ୟରେ ମହାବଳ ବାଘ, କ୍ୟାମେରାରେ ବାଘର ଉପସ୍ଥିତି କଏଦ
ସମ୍ବଲପୁର, ୯ ନଭେମ୍ବର (ହି.ସ.)- ଦେବ୍ରିଗଡ଼ ଅଭୟାରଣ୍ୟରେ ପୁଣି ମହାବଳ ବାଘର ଉପସ୍ଥିତି ସାମ୍ନାକୁ ଆସିଛି । ଅଭୟାରଣ୍ୟରେ ଲଗାଯାଇଥିବା ଆରବିଟି କ୍ୟାମେରାରେ ବାଘର ଉପସ୍ଥିତି ନେଇ ଚିତ୍ର କଏଦ ହୋଇଛି । ଏହା ସହ ପାଟ୍ରୋଲିଂ ବେଳେ ବନ କର୍ମଚାରୀମାନେ ମଧ୍ୟ ବାଘକୁ ଦେଖିଥିବା ସୂଚନା ମିଳିଛି । ଏହି ଘଟଣା
ଦେବ୍ରିଗଡ଼ ଅଭୟାରଣ୍ୟରେ ମହାବଳ ବାଘ, କ୍ୟାମେରାରେ ବାଘର ଉପସ୍ଥିତି କଏଦ


ସମ୍ବଲପୁର, ୯ ନଭେମ୍ବର (ହି.ସ.)- ଦେବ୍ରିଗଡ଼ ଅଭୟାରଣ୍ୟରେ ପୁଣି ମହାବଳ ବାଘର ଉପସ୍ଥିତି ସାମ୍ନାକୁ ଆସିଛି । ଅଭୟାରଣ୍ୟରେ ଲଗାଯାଇଥିବା ଆରବିଟି କ୍ୟାମେରାରେ ବାଘର ଉପସ୍ଥିତି ନେଇ ଚିତ୍ର କଏଦ ହୋଇଛି । ଏହା ସହ ପାଟ୍ରୋଲିଂ ବେଳେ ବନ କର୍ମଚାରୀମାନେ ମଧ୍ୟ ବାଘକୁ ଦେଖିଥିବା ସୂଚନା ମିଳିଛି । ଏହି ଘଟଣା ପରେ ବନ ବିଭାଗ ପକ୍ଷରୁ ଅଭୟାରଣ୍ୟରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି ।

ସୂଚନା ଅନୁସାରେ, ଗତ ଚାରି ବର୍ଷ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଦେବ୍ରିଗଡ଼ ଅଭୟାରଣ୍ୟରେ ମହାବଳ ବାଘର ଉପସ୍ଥିତି ଠାବ ହୋଇଛି । ଡେଚୁଆଁ-ଲଖନପୁର ଜଙ୍ଗଲ ଦେଇ ବାଘଟି ଦେବ୍ରିଗଡ଼ ଅଭୟାରଣ୍ୟ ମଧ୍ୟକୁ ପ୍ରବେଶ କରିଥିବା ଅନୁମାନ କରାଯାଉଛି । ତେବେ ଏହି ବାଘଟିର ଉତ୍ପତି, ଲିଙ୍ଗ ଓ ବାଘଟି କେଉଁ ଅଂଚଳରୁ ଆସିଛି, ତାହାର ବୟସ ଏବଂ ଅନ୍ୟାନ୍ୟ ବିବରଣୀ ଜାଣିବା ପାଇଁ ଟ୍ରାପ୍ କ୍ୟାମେରାରେ ଉତୋଳିତ ଫଟୋକୁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନଟିସିଏ) ଏବଂ ଭାରତୀୟ ବନ୍ୟପ୍ରାଣୀ ପ୍ରତିଷ୍ଠାନ (ଡବ୍ଲୁଆଇଆଇ)କୁ ପଠାଯାଇ ବିଶ୍ଳେଷଣ କରାଯିବ । ବିଶେଷଜ୍ଞମାନେ ଫଟୋର ବିଶ୍ଳେଷଣ କରିବା ପରେ ଏହି ମହାବଳ ବାଘ ସମ୍ପର୍କରେ ଅଧିକ ତଥ୍ୟ ମିଳିପାରିବ ।

ଅନ୍ୟପକ୍ଷରେ ମହାବଳ ବାଘର ଉପସ୍ଥିତି ଜଣାପଡ଼ିବା ପରେ ଦେବ୍ରିଗଡ ଅଭୟାରଣ୍ୟରେ ବନ ବିଭାଗ ପକ୍ଷରୁ ସୁରକ୍ଷା ଓ ନିରୀକ୍ଷଣ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି । ଏଥିପାଇଁ ୧୦୦ଟି ଟ୍ରାପ୍ କ୍ୟାମେରା ଲଗାଯାଇଥିବା ବେଳେ ଅଭୟାରଣ୍ୟର ସୀମା ଓ ବିଭିନ୍ନ ପାଟ୍ରୋଲିଂ ରାସ୍ତାରେ ପ୍ରତିଦିନ ୨୭ଟି ଟିମ୍ ନିୟୋଜିତ ହେଉଛନ୍ତି । ରାତ୍ରିକାଳୀନ ପାଟ୍ରୋଲିଂ ପାଇଁ ତିନିସ୍ତରୀୟ ଟିମ୍ ବ୍ୟବସ୍ଥା କରାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଦେବ୍ରିଗଡ଼ରେ ମହାବଳ ବାଘର ପୁନଃ ଉପସ୍ଥିତି ବନ୍ୟପ୍ରାଣୀ ସଂରକ୍ଷଣ ଦୃଷ୍ଟିରୁ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଭାବେ ବିବେଚନା କରାଯାଉଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande