
ଝାରସୁଗୁଡ଼ା, ୯ ନଭେମ୍ବର (ହି.ସ.)- ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଲଖନପୁର ବ୍ଲକ ମୁଖ୍ୟାଳୟ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଝାରସୁଗୁଡ଼ା ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ ଏବଂ ଆରକ୍ଷୀ ଅଧୀକ୍ଷକ ସୋନାଲି ସିଂହ ପରମାର ଯୋଗଦେଇ ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଓ ଅଭିଯୋଗର ଶୁଣାଣି କରିଥିଲେ। ଲୋକଙ୍କ ମୌଳିକ ସମସ୍ୟାଗୁଡ଼ିକୁ ତ୍ୱରିତ ଓ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସମାଧାନ କରିବାକୁ ଜିଲ୍ଲାପାଳ ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଥିଲେ। ଏହି ଅଭିଯୋଗ ଶୁଣାଣି ଶିବିରରେ ମୋଟ ୩୬ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ସେଥିମଧ୍ୟରୁ ୨୭ଟି ବ୍ୟକ୍ତିଗତ ଅଭିଯୋଗ ଏବଂ ୯ଟି ସାମୂହିକ ଆବେଦନ ସାମିଲ ରହିଥିଲା। ଆସିଥିବା ଅଭିଯୋଗଗୁଡ଼ିକ ମୁଖ୍ୟତଃ ରାସ୍ତା ନିର୍ମାଣ, ଜମିବାଡ଼ି ବିବାଦ, ପ୍ରଧାନମନ୍ତ୍ରୀ ପକ୍କା ଘର, ଆର୍.ଓ.ଆର୍. (ପଟ୍ଟା) ସଂଶୋଧନ, ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥା ତଥା ସ୍ଥାନୀୟ ନିଯୁକ୍ତି ସମସ୍ୟା ଉପରେ ଆଧାରିତ ଥିଲା। ଏଥିସହିତ ଚିକିତ୍ସା ସହାୟତା ପାଇଁ ଆସିଥିବା ୩ ଜଣ ଆବେଦନକାରୀଙ୍କୁ ରେଡକ୍ରସ ପାଣ୍ଠିରୁ ତୁରନ୍ତ ସମୁଦାୟ ୨୫,୦୦୦ ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଥିଲା।
ଶିବିରରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ବିଶ୍ୱ ରଞ୍ଜନ ନାୟକ, ଉପ ଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା, ଲଖନପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିନୟ ପଟେଲ, ଲଖନପୁର ତହସିଲଦାରଙ୍କ ସମେତ ସମସ୍ତ ଜିଲ୍ଲା ଓ ବ୍ଲକ ସ୍ତରୀୟ ପଦାଧିକାରୀମାନେ ଉପସ୍ଥିତ ରହି ଲୋକଙ୍କ ସମସ୍ୟା ଶୁଣିଥିଲେ ଏବଂ ତାହାର ନିରାକରଣ ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ