କୁକୁରକୁ ପଥର ମାରିବାକୁ ନେଇ ଗଣ୍ଡଗୋଳ : ଦୁଇ ଦୋଷୀ ସାବ୍ୟସ୍ତ, ହଜାରେ ଟଙ୍କା ଲେଖାଏଁ ଜରିମାନା, ଅନାଦେୟ ହେଲେ ୭ ଦିନ ଜେଲ୍
Punishment by court to two accused
କୁକୁରକୁ ପଥର ମାରିବାକୁ ନେଇ ଗଣ୍ଡଗୋଳ : ଦୁଇ ଦୋଷୀ ସାବ୍ୟସ୍ତ, ହଜାରେ ଟଙ୍କା ଲେଖାଏଁ ଜରିମାନା, ଅନାଦେୟ ହେଲେ ୭ ଦିନ ଜେଲ୍


ଝାରସୁଗୁଡ଼ା, ୯ ନଭେମ୍ବର (ହି.ସ.)- କୁକୁରକୁ ପଥର ମାରି ଘଉଡ଼ାଇବା ଘଟଣାକୁ କେନ୍ଦ୍ର କରି ହୋଇଥିବା ଗଣ୍ଡଗୋଳ ମାମଲାରେ ଲଖନପୁର ଗ୍ରାମ ନ୍ୟାୟାଳୟ ଦୁଇ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଉଭୟଙ୍କୁ ୧ ହଜାର ଟଙ୍କା ଲେଖାଏଁ ଜରିମାନା ଏବଂ ଜରିମାନା ଅନାଦେୟ ହେଲେ ୭ ଦିନ ଲେଖାଏଁ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଚିଲାପାଲି ଗ୍ରାମରେ ଘଟିଥିବା ଏହି ଘଟଣାର ରାୟ ପ୍ରକାଶ ପାଇବା ପରେ ଏହା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ୨୦୨୬ ଏପ୍ରିଲ ୮ ତାରିଖ ସକାଳେ ଚିଲାପାଲି ଗ୍ରାମର ଟିକାରାମ ପଟେଲ (୪୯) ଅନ୍ୟ ଦୁଇ ଜଣଙ୍କ ସହ ଗିରିଧାରୀ ପଟେଲଙ୍କ ବାରଣ୍ଡାରେ ବସିଥିଲେ। ଏହି ସମୟରେ ଏକ କୁକୁର ଘର ଭିତରକୁ ପଶିବାକୁ ଉଦ୍ୟମ କରିବାରୁ ଟିକାରାମ ତାକୁ ପଥର ମାରି ଘଉଡ଼ାଇ ଦେଇଥିଲେ। ଏହାକୁ କେନ୍ଦ୍ର କରି ବିକଳ ବାରିକ, ତାଙ୍କ ଭଉଣୀ ଯଶୋଦା ବାରିକ ଓ ଅଞ୍ଜଳି ବାରିକ ଟିକାରାମଙ୍କୁ ଗାଳିଗୁଲଜ କରିବା ସହ ମାରପିଟ୍ କରିଥିବା ଅଭିଯୋଗ ହୋଇଥିଲା। ଏପରିକି ଯଶୋଦା ଏକ କାଠ ପଟାରେ ଆକ୍ରମଣ କରିଥିବା ଟିକାରାମ ରେଙ୍ଗାଲି ଥାନାରେ ଦାଖଲ କରିଥିବା ଲିଖିତ ଅଭିଯୋଗରେ ଦର୍ଶାଇଥିଲେ।

ଏହି ଅଭିଯୋଗ ଆଧାରରେ ରେଙ୍ଗାଲି ଥାନାରେ ମାମଲା ରୁଜୁ ହୋଇଥିଲା। ମାମଲାର ତଦନ୍ତ ଦାୟିତ୍ୱରେ ଥିବା ଏସ୍ଆଇ ପୁଷ୍ପା ଖମାରୀ ତଦନ୍ତ ଶେଷ କରି ଜୁନ୍ ୩ ତାରିଖରେ ଅଦାଲତରେ ଚାର୍ଜସିଟ୍ ଦାଖଲ କରିଥିଲେ। ସରକାରୀ ଓକିଲ ଶିବଶଙ୍କର ସାହୁ ମାମଲା ପରିଚାଳନା କରିଥିଲେ। ଶେଷରେ ଲଖନପୁର ଗ୍ରାମ ନ୍ୟାୟାଳୟ ମାମଲାର ବିଚାର କରି ଦୁଇ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଉକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande