ମାଲକାନଗିରିରେ ଭୋଟର ତାଲିକାର ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ : ଜିଲ୍ଲା ପ୍ରଶାସନ ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା
ମାଲକାନଗିରି, ୯ ନଭେମ୍ବର (ହି.ସ.)- ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଫଟୋ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ନିମନ୍ତେ ବିଧିବଦ୍ଧ ଭାବେ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଆସନ୍ତା ୦୧.୦୧.୨୦୨୭ ତାରିଖକୁ ଯୋଗ୍ୟତା ତାରିଖ ଭାବେ ଗ୍ରହଣ କ
ମାଲକାନଗିରିରେ ଭୋଟର ତାଲିକାର ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ : ଜିଲ୍ଲା ପ୍ରଶାସନ ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା


ମାଲକାନଗିରି, ୯ ନଭେମ୍ବର (ହି.ସ.)- ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଫଟୋ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ନିମନ୍ତେ ବିଧିବଦ୍ଧ ଭାବେ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଆସନ୍ତା ୦୧.୦୧.୨୦୨୭ ତାରିଖକୁ ଯୋଗ୍ୟତା ତାରିଖ ଭାବେ ଗ୍ରହଣ କରାଯାଇ ଏହି ସଂଶୋଧନ ପ୍ରକ୍ରିୟା କରାଯିବ ବୋଲି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଏକ ପ୍ରେସ ନୋଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଏକ ସଠିକ୍, ଅଦ୍ୟତନ, ସମାବେଶୀ ଏବଂ ତ୍ରୁଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତ କରିବା।

ଘୋଷିତ କାର୍ଯ୍ୟସୂଚୀ ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ୧୦.୧୧.୨୦୨୬ ତାରିଖରେ ମତଦାନ କେନ୍ଦ୍ରଗୁଡ଼ିକର ସୁବ୍ୟବସ୍ଥାକରଣ ତଥା ପୁନର୍ବିନ୍ୟାସ କରାଯିବ। ଏହାପରେ ୩୦.୧୧.୨୦୨୬ ତାରିଖରେ ସମନ୍ୱିତ ଚିଠା ଭୋଟର ତାଲିକା ପ୍ରକାଶ ପାଇବ। ଭୋଟରମାନେ ୩୦.୧୧.୨୦୨୬ ରୁ ୩୦.୧୨.୨୦୨୬ ତାରିଖ ପର୍ଯ୍ୟନ୍ତ ନିଜର ଦାବି ଓ ଆପତ୍ତି ଉପସ୍ଥାପନ କରିପାରିବେ। ୧୬.୦୧.୨୦୨୭ ସୁଦ୍ଧା ସମସ୍ତ ଦାବି ଓ ଆପତ୍ତିର ସମାଧାନ କରାଯାଇ ୨୧.୦୧.୨୦୨୭ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯିବା ନେଇ ସମୟସୀମା ଧାର୍ଯ୍ୟ ହୋଇଛି।

ନିର୍ବାଚନ ଆୟୋଗଙ୍କ ପ୍ରମୁଖ ନିର୍ଦ୍ଦେଶାବଳୀ ଅନୁଯାୟୀ, ଭୋଟରମାନଙ୍କ ସୁବିଧା ପାଇଁ ମତଦାନ କେନ୍ଦ୍ରଗୁଡ଼ିକୁ ଅଧିକ ସୁଗମ କରାଯିବ। ପ୍ରତ୍ୟେକ ମତଦାନ କେନ୍ଦ୍ରରେ ସର୍ବାଧିକ ୧,୨୦୦ ଜଣ ଭୋଟର ରହିବାର ସୀମା ନିର୍ଦ୍ଧାରଣ କରାଯାଇଛି। ଆବଶ୍ୟକ ସ୍ଥଳେ ଆୟୋଗଙ୍କ ଅନୁମୋଦନ କ୍ରମେ ନୂତନ ମତଦାନ କେନ୍ଦ୍ର ଆକଳନ କରାଯିବ। ବିଶେଷ କରି ଭୋଟରମାନଙ୍କୁ ନିଜ ମତଦାନ କେନ୍ଦ୍ରରେ ପହଞ୍ଚିବା ପାଇଁ ଯେପରି ୨ କିଲୋମିଟରରୁ ଅଧିକ ବାଟ ଯିବାକୁ ନ ପଡ଼େ କିମ୍ବା କୌଣସି ପ୍ରାକୃତିକ ପ୍ରତିବନ୍ଧକ ଅତିକ୍ରମ କରିବାକୁ ନ ପଡ଼େ, ସେଥିପାଇଁ ଉଦ୍ୟମ କରାଯିବ।

ଏହି ସଂଶୋଧନ ପ୍ରକ୍ରିୟାର ସଫଳ ରୂପାୟନ ତଥା ଏକ ସଠିକ୍ ଏବଂ ସମାବେଶୀ ଭୋଟର ତାଲିକା ବଜାୟ ରଖିବା ନିମନ୍ତେ ଆବଶ୍ୟକ ସହଯୋଗ ଓ ସକ୍ରିୟ ଅଂଶଗ୍ରହଣ କରିବାକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ଅଂଶୀଦାରମାନଙ୍କୁ ଅନୁରୋଧ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande