
ଝାରସୁଗୁଡ଼ା, ୯ ନଭେମ୍ବର (ହି.ସ.)- ଡିଜିଟାଲ୍ ଯୁଗରେ ମୋବାଇଲ୍ ଓ ଇଣ୍ଟରନେଟ୍ ସେବା ମଣିଷର ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଥିବା ବେଳେ ଏବେ ବି ଏହି ମୌଳିକ ସୁବିଧାରୁ ବଞ୍ଚିତ ରହିଛି ଲଖନପୁର ବ୍ଲକର ଟେଙ୍ଗେନାମାଲ ଗ୍ରାମ। ଗାଁକୁ ଚକାଚକ୍ ପକ୍କା ରାସ୍ତା ନିର୍ମାଣ ହୋଇଛି, ହେଲେ ମୋବାଇଲ୍ ନେଟୱର୍କ ସେବା ଏଯାଏଁ ପହଞ୍ଚି ପାରିନାହିଁ। ଫଳରେ ଛାତ୍ରଛାତ୍ରୀଙ୍କ ଅନ୍ ଲାଇନ୍ ପାଠପଢ଼ାଠାରୁ ଆରମ୍ଭ କରି ଗ୍ରାମବାସୀଙ୍କ ଜରୁରୀ ଯୋଗାଯୋଗ ଓ ଦୈନନ୍ଦିନ କାର୍ଯ୍ୟ ପର୍ଯ୍ୟନ୍ତ ସବୁକିଛି ବାଧାପ୍ରାପ୍ତ ହେଉଛି। ମୋବାଇଲ୍ ଟାୱାର ସ୍ଥାପନ ପାଇଁ ବାରମ୍ବାର ଦାବି ଏବଂ ରାଜସ୍ବ ମନ୍ତ୍ରୀଙ୍କ ସୁପାରିସ ସତ୍ତ୍ୱେ ଆଖିଦୃଶିଆ ପଦକ୍ଷେପ ନିଆଯାଇ ନଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକର ମଚିଦା ପଞ୍ଚାୟତ ଅନ୍ତର୍ଗତ ଟେଙ୍ଗେନାମାଲ ଗ୍ରାମ ସୁନ୍ଦରଗଡ଼ ଜିଲ୍ଲା ସୀମାକୁ ଲାଗି ରହିଥିବା ଜଙ୍ଗଲ ଓ ପାହାଡ଼ ଘେରା ଅଞ୍ଚଳରେ ଅବସ୍ଥିତ। ପଞ୍ଚାୟତ କାର୍ଯ୍ୟାଳୟଠାରୁ ଏହି ଗ୍ରାମ ପ୍ରାୟ ୩ କିଲୋମିଟର ଦୂରରେ ରହିଛି। ୨୦୧୧ ଜନଗଣନା ଅନୁସାରେ ଗ୍ରାମରେ ୪୫୦ରୁ ଊର୍ଦ୍ଧ୍ବ ଲୋକ ବସବାସ କରୁଛନ୍ତି। ଏଠାରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଏକ ସରକାରୀ ବିଦ୍ୟାଳୟ ମଧ୍ୟ ରହିଛି। ଯାତାୟାତ ପାଇଁ ଭଲ ରାସ୍ତା ଥିଲେ ମଧ୍ୟ ଯୋଗାଯୋଗ କ୍ଷେତ୍ରରେ ଗ୍ରାମଟି ଏବେ ବି ପଛରେ ପଡ଼ିରହିଛି।
ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଗାଁ ଭିତରେ କୌଣସି ମୋବାଇଲ୍ ନେଟୱର୍କ ଠିକ୍ ଭାବେ କାମ କରୁନାହିଁ। ନେଟୱର୍କ ପାଇବା ପାଇଁ ଲୋକଙ୍କୁ ଗାଁଠାରୁ ଅଧ କିଲୋମିଟରରୁ ଏକ କିଲୋମିଟର ପର୍ଯ୍ୟନ୍ତ ଦୂର ଯିବାକୁ ପଡ଼ୁଛି। ଜରୁରୀ ପରିସ୍ଥିତିରେ ଫୋନ୍ ଯୋଗେ ସୂଚନା ଦେବା କିମ୍ବା ସହାୟତା ମାଗିବା ମଧ୍ୟ ସମ୍ଭବ ହେଉନାହିଁ। ଏହା ବ୍ୟତୀତ ଅନ୍ ଲାଇନ୍ ସରକାରୀ ସେବା, ଡିଜିଟାଲ୍ ଆର୍ଥିକ କାରବାର ଓ ଅନ୍ୟାନ୍ୟ ଇଣ୍ଟରନେଟ୍ ଭିତ୍ତିକ କାର୍ଯ୍ୟରେ ଲୋକେ ନାନା ସମସ୍ୟା ଭୋଗୁଛନ୍ତି।
ତେବେ ଏହି ସମସ୍ୟାର ସବୁଠାରୁ ଅଧିକ ପ୍ରଭାବ ପଡ଼ୁଛି ଗ୍ରାମର ଛାତ୍ରଛାତ୍ରୀଙ୍କ ଉପରେ। ସରକାର ଡିଜିଟାଲ୍ ଶିକ୍ଷା ଓ ଅନ୍ ଲାଇନ୍ ପାଠପଢ଼ାକୁ ଗୁରୁତ୍ୱ ଦେଉଥିବା ବେଳେ ନେଟୱର୍କ ଅଭାବରୁ ଏଠାକାର ପିଲାମାନେ ଅନ୍ ଲାଇନ୍ କ୍ଲାସ୍, ଶିକ୍ଷା ସମ୍ବନ୍ଧୀୟ ତଥ୍ୟ ଓ ବିଭିନ୍ନ ଡିଜିଟାଲ୍ ଶିକ୍ଷା ସାମଗ୍ରୀର ସୁବିଧା ପାଇପାରୁନାହାନ୍ତି। ଆବଶ୍ୟକୀୟ ପାଠ୍ୟ ସାମଗ୍ରୀ ଇଣ୍ଟରନେଟ୍ ରୁ ସଂଗ୍ରହ କରିବା ପାଇଁ ମଧ୍ୟ ସେମାନଙ୍କୁ ଗାଁ ବାହାରକୁ ଯିବାକୁ ପଡ଼ୁଛି। ଫଳରେ ଡିଜିଟାଲ୍ ଶିକ୍ଷାର ସୁଯୋଗରୁ ଏହି ଅଞ୍ଚଳର ଛାତ୍ରଛାତ୍ରୀ ବଞ୍ଚିତ ହେଉଛନ୍ତି।
ମଚିଦା ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ନରେନ୍ଦ୍ର ଗଡ଼ତିଆଙ୍କ କହିବା ଅନୁଯାୟୀ, ଟେଙ୍ଗେନାମାଲ ଗ୍ରାମରେ ମୋବାଇଲ୍ ଟାୱାର ସ୍ଥାପନ ପାଇଁ ଦୀର୍ଘଦିନ ହେଲା ବିଭିନ୍ନ ସ୍ତରରେ ଦାବି ଜଣାଇ ଆସୁଛନ୍ତି। ଏପରିକି ରାଜସ୍ବ ମନ୍ତ୍ରୀଙ୍କ ସୁପାରିସ ପରେ ମଧ୍ୟ ଏଯାଏଁ କେବଳ ସର୍ଭେ ରିପୋର୍ଟ ପ୍ରସ୍ତୁତିରେ ପ୍ରକ୍ରିୟା ସୀମିତ ରହିଛି। ଟାୱାର ସ୍ଥାପନ ଦିଗରେ କୌଣସି ଆଖିଦୃଶିଆ ଅଗ୍ରଗତି ହୋଇନାହିଁ। କେବଳ ଟେଙ୍ଗେନାମାଲ ନୁହେଁ, ଏହାର ଆଖପାଖ ଅନେକ ଗ୍ରାମରେ ମଧ୍ୟ ନେଟୱର୍କ ସମସ୍ୟା ଲାଗି ରହିଥିବା ସେ କହିଛନ୍ତି।
ଅଞ୍ଚଳର ଶିକ୍ଷା, ଯୋଗାଯୋଗ ଓ ସାମଗ୍ରିକ ବିକାଶକୁ ଦୃଷ୍ଟିରେ ରଖି ଟେଙ୍ଗେନାମାଲ ଗ୍ରାମରେ ତୁରନ୍ତ ମୋବାଇଲ୍ ଟାୱାର ସ୍ଥାପନ କରି ନିରବଚ୍ଛିନ୍ନ ନେଟୱର୍କ ସେବା ଯୋଗାଇଦେବାକୁ ହାରାଚାନ୍ଦ ଗଡ଼ତିଆ, ଚୂଳଧର ଗଡ଼ତିଆ, ବୃଷଭ ଗଡ଼ତିଆ, ସୁରେନ୍ଦ୍ର ଗଡ଼ତିଆ, ସୁଶାନ୍ତ ଗଡ଼ତିଆ ଓ ସୁକାନ୍ତ ଗଡ଼ତିଆଙ୍କ ସମେତ ଗ୍ରାମବାସୀ ପୁଣିଥରେ ଜିଲ୍ଲା ପ୍ରଶାସନଙ୍କ ନିକଟରେ ଦାବି ଜଣାଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ