
ଭୁବନେଶ୍ୱର, 09 ନଭେମ୍ବର (ହି.ସ.)- ଦୀପାବଳିରେ ବାଣ
ଫୁଟାଇବା ଯୋଗୁଁ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସହରରେ ବାୟୁ ପ୍ରଦୂଷଣ ମାତ୍ରା
ବୃଦ୍ଧି ପାଇଛି। ଆଜି ସକାଳେ ଭୁବନେଶ୍ୱରର ଆକାଶ ଧୂଆଁ ଓ କୁହୁଡ଼ିର ଧଳା ଚାଦରରେ ଢାଙ୍କି
ହୋଇଯାଇଥିବା ଦେଖିବାକୁ ମିଳିଥିଲା।
ଆଜି ସକାଳ ୧୧ଟା ୩୦ ସୁଦ୍ଧା
ତାଳଚେରରେ ବାୟୁ ଗୁଣବତ୍ତା ସୂଚକାଙ୍କ ୨୮୧ ରହିଥିବା ବେଳେ ଭୁବନେଶ୍ୱରରେ ୨୦୬ ଏବଂ କଟକରେ ୧୯୨ ,ଅନୁଗୁଳ ରେ ୧୮୬,ବିଲେଇପଦା
ରେ ୨୫୮,ରାଉରକେଲା ୧୭୮ ରେକର୍ଡ କରାଯାଇଛି।ତାଳଚେର,ଭୁବନେଶ୍ଵର ,କଟକ ସହରର ବାୟୁ ଗୁଣବତ୍ତା 'ଖରାପ' ଶ୍ରେଣୀରେ ରହିଛି। ସବୁଜ ବାଣ ପରିବର୍ତ୍ତେ
ପାରମ୍ପରିକ ବାଣ ଫୁଟାଇବା ଯୋଗୁଁ ପରିବେଶରେ ପିଏମ10 ଓ ପିଏମ2.5 ଧୂଳିକଣାର ମାତ୍ରା ବୃଦ୍ଧି
ପାଇଛି। ଏହା ସହ ତାପମାତ୍ରା ହ୍ରାସ ଏବଂ ଟେମ୍ପରେଚର ଇନଭର୍ସନ୍ ଯୋଗୁଁ ପ୍ରଦୂଷିତ ବାୟୁ ଭୂପୃଷ୍ଠ
ନିକଟରେ ଅଟକି ରହିବାରୁ ଧୂଆଁ ଓ କୁହୁଡ଼ିର ଆସ୍ତରଣ ସୃଷ୍ଟି ହୋଇଥିଲା।
ଏହି ପ୍ରଦୂଷଣ ଶ୍ୱାସଜନିତ
ରୋଗୀ, ହୃଦ୍ରୋଗୀ ଏବଂ ଛୋଟ ପିଲାଙ୍କ ସ୍ୱାସ୍ଥ୍ୟ ଉପରେ
କୁପ୍ରଭାବ ପକାଇପାରେ। ଅନ୍ୟପକ୍ଷରେ, ଯୋଡ଼ା ଓ ଖଣି ଅଞ୍ଚଳରେ ବାୟୁ
ପ୍ରଦୂଷଣ ପାଇଁ ବାଣ ଫୁଟାଇବା ସହ ଖଣି ଖନନ ଓ ଶିଳ୍ପାନୁଷ୍ଠାନରୁ ନିର୍ଗତ ଧୂଳି ଓ ଧୂଆଁ ମଧ୍ୟ
ଦାୟୀ । ତେବେ ଦୀପାବଳି ପରେ ବାଣ ଫୁଟାଇବା କମିବା ସହ ତାପମାତ୍ରା ବୃଦ୍ଧି ପାଇଥିବାରୁ ବାୟୁର
ଗୁଣବତ୍ତାରେ ସୁଧାର ଆସିବା ନେଇ ପୂର୍ବାନୁମାନ କରିଛନ୍ତି ଆଂଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର
ମୁଖ୍ୟ ପରିବେଶ ବିଜ୍ଞାନୀ ନିରଞ୍ଜନ ମଲ୍ଲିକ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା