
ଧର୍ମଶାଳା, ୯ ନଭେମ୍ବର (ହି.ସ)- ଶନିବାର ବିଳମ୍ବିତ ରାତିରେ ଘରେ କଳାକନା ବୁଲାଇ ସର୍ବସ୍ୱ ଲୁଟିନେଲେ ଦୁର୍ବୃତ । ଏଭଳି ଘଟଣା ଘଟିଛି ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦା ଥାନା ଅନ୍ତର୍ଗତ ବନ୍ଧଡିହ ପଂଚାୟତ ସାହାପଡା ଗ୍ରାମରେ । ଗ୍ରାମର ମାନସ ରଂଚନ ପରିଡାଙ୍କ ପରିବାର ଭୁବନେଶ୍ୱରସ୍ଥିତ ଏକ ଘରୋଇ ମେଡିକାଲକୁ ଯାଇଥିଲେ । ତେବେ ଘରେ କେହି ନ ଥିବାର ସୁଯୋଗ ନେଇ ଦୁର୍ବୃତମାନେ ଘରେ ପଶିଥିଲେ । ଘରର ଅନ୍ୟ ଦୁଇ ବଖରା ଘରେ ଦୁଇ ଭାଇଙ୍କୁ ବାହାର ପଟୁ କିଳି ଦେଇଥିଲେ । ମାନସଙ୍କ କୋଠରୀରେ ଦୁର୍ବୃତମାନେ ପଶି ଦୁଇଟି ଷ୍ଟିଲ ଆଲମିରାକୁ ଭାଙ୍ଗି ନଗଦ ୨ ଲକ୍ଷ ୨୫ ହଜାର ଟଙ୍କା, ସୁନାହାର, କାନଫୁଲ, ମୁଦି, ମଙ୍ଗଳସୂତ୍ର ଓ ରୂପା ଅଳଙ୍କାର ନେଇ ଚମ୍ପଟ ମାରିଥିଲେ । ରବିବାର ସକାଳ ସମୟରେ ପରିବାର ଲୋକେ ଘରର ଥାଲା ଭଙ୍ଗା ଯିବା ସହ ଘର ଭିତରେ ଥିବା ଆଲମିରା ଦୁଇଟି ମେଲା ପଡିଥିବା ଦେଖିବାକୁ ପାଇଥିଲେ। ଏହି ଘଟଣାକୁ ନେଇ ମାନସଙ୍କ ଦାବା ଦେବେନ୍ଦ୍ର ପରିଡା ବ୍ରହ୍ମବରଦା ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଅଭିଯୋଗ ପାଇ ଘଟଣାସ୍ଥଳରେ ପଂହଚି ତଦନ୍ତ ଆରମ୍ଭ କରିଥିଲା । ଏବଂ ସନ୍ଧାନୀ କୁକୁର ଓ ସାଇଁଟିଫିକ୍ ଟିମ୍ ର ସହାୟତା ନେଇଥିଲା । ତଦନ୍ତ କରାଯାଇଥିଲେ ମଧ୍ୟ ଦୁର୍ବୃତ ଟେର୍ ମିଳି ନ ଥିଲା । ଥାନାରେ ୨୨୧ା୨୬ରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ବୋଲି ଥାନା ଅଧିକାରୀ ସଂଜୟ କୁମାର ପରିଡା ସୂଚନା ଦେଇଛନ୍ତି । ତେବେ ଏଭଳି ଚୋରିକୁ ନେଇ ସ୍ଥାନୀୟ ଅଂଚଳର ଲୋକେ ଭୟଭିତ ହୋଇ ପଡିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ