
ଭୁବନେଶ୍ୱର,୦୯ ନଭେମ୍ବର (ହି.ସ.) - ରାଜ୍ୟରେ ଖାଲି ପଡ଼ିଥିବା ୯୨୦୦୦ ରୁ ଉର୍ଦ୍ଧ୍ୱ ସରକାରୀ ପଦବୀ ତୁରନ୍ତ ପୂରଣ କରିବା , ରାଜ୍ୟରେ ଥିବା ପ୍ରତ୍ୟେକ କଳକାରଖାନାରେ ସର୍ବନିମ୍ନ ୭୦ ପ୍ରତିଶତ ସ୍ଥାନୀୟ ନିଯୁକ୍ତି , ନିଶା ମୁକ୍ତ ଓ ର୍ୟାଗିଂ ମୁକ୍ତ ଫ୍ରି କ୍ୟାମ୍ପସ , ଛାତ୍ରଛାତ୍ରୀଙ୍କୁ ସଂପୂର୍ଣ୍ଣ ମାଗଣା ବସ ସେବା ପ୍ରଦାନ ଏବଂ ଏସସି, ଏସଟି, ଓବିସି ଛାତ୍ରଛାତ୍ରୀଙ୍କୁ ସାମାଜିକ ନ୍ୟାୟ ବ୍ୟବସ୍ଥାରେ ସାମ୍ବିଧାନିକ ଅଧିକାରର ଗ୍ୟାରେଂଟି ସହ କ୍ୟାମ୍ପସକୁ ସବୁଜ ଓ ନିର୍ମଳ ରଖିବା ଏବଂ କ୍ୟାମ୍ପସରେ ଦୁର୍ନୀତି ବିରୋଧରେ ଛାତ୍ର କଂଗ୍ରେସ ସଂଗ୍ରାମ କରିବ ବୋଲି ଛାତ୍ର କଂଗ୍ରେସ ସଭାପତି ବିଭୂତି ଭୂଷଣ ମହାପାତ୍ର କହିଛନ୍ତି।
କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ରାଜ୍ୟର ଯୁବକ ଓ ଛାତ୍ର ମାନଙ୍କୁ ନିଯୁକ୍ତିର ଆଶ୍ୱାସନା ଦେଇ କ୍ଷମତାସୀନ ହୋଇଥିବା ବିଜେପି ଦଳ ଏବେ ନିର୍ବାଚନୀ ପ୍ରତିଶ୍ରୁତିକୁ ସଂପୂର୍ଣ୍ଣ ପାଶୋରି ଯାଇଛି । ରାଜ୍ୟରେ ପଞ୍ଜିକୃତ ୧୨ଲକ୍ଷ ବେକାର ଯୁବକ ଯୁବତୀ ନିଯୁକ୍ତି ପାଇଁ ଚିତ୍କାର କରୁଥିବା ବେଳେ ଓଡ଼ିଶା ସରକାରଙ୍କାର ୯୨ ହଜାର ସରକାରୀ ପଦବୀ ଖାଲିପଡ଼ିଛି । ଓଡ଼ିଶାର ଉଚ୍ଚଶିକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ଭୂଷୁଡ଼ି ପଡ଼ିଛି । ପ୍ରତ୍ୟେକ ସରକାରୀ କଲେଜ ଓ ବିଶ୍ୱବିଦ୍ୟାଳୟରେ ଅର୍ଧାଧିକ ଶିକ୍ଷକ ନାହାନ୍ତି । ସରକାରୀ ୨୦ଶିକ୍ଷାନୁଷ୍ଠାନର ଭିତିଭୂମି ନୈରାଶ୍ୟଜନକ । ଅନ୍ୟପକ୍ଷରେ କ୍ୟାମ୍ପସରେ ନିଶାର ବ୍ୟବହାର ହେଉଛି । ଅଣଛାତ୍ରମାନେ ପ୍ରବେଶ କରୁଛନ୍ତି । ର୍ୟାଗିଂ ବଢ଼ି ବଢ଼ି ଚାଲିଛି । ଓଡ଼ିଶାର ଛାତ୍ରଛାତ୍ରୀମାନଙ୍କର ଆର୍ôଥକ ଅବସ୍ଥା ଅତ୍ୟନ୍ତ ଶୋଚନୀୟ । ପାଠ ପଢ଼ିବାପାଇଁ ଯିବା ଆସିବା କରିବାରେ ଛାତ୍ରଛାତ୍ରୀମାନେ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଯିବା ଆସିବା ଖର୍ଚ୍ଚ ଯୋଗାଡ଼ କରିବା ସେମାନଙ୍କ ପକ୍ଷରେ ସମ୍ଭବପର ହୋଇପାରୁନି । ଅନୁସୂଚିତ ଜାତି, ଜନଜାତି ଓ ପଛୁଆବର୍ଗର ଛାତ୍ରଛାତ୍ରୀ ମାନଙ୍କ ପାଇଁ ସମ୍ବିଧାନ ଯେଉଁ ସୁଯୋଗ ପ୍ରଦାନ କରିଛି ତାହାକୁ ରୂପାୟନ କରିବାପାଇଁ ବିଜେପି ସରକାର ପଛଘୁଞ୍ଚା ଦେଉଛନ୍ତି । ସାମାଜିକ ନ୍ୟାୟକୁ ଆଖି ଆଗରେ ରଖି ସେମାନଙ୍କୁ ନିଯୁକ୍ତି ଓ ପାଠପଢ଼ା ପାଇଁ ଯେଉଁ ସଂରକ୍ଷଣ ସୁବିଧା ଦିଆଯାଇଛି ବିଜେପି ସରକାର ଏହାକୁ ଠିକ ଭାବେ ଲାଗୁ କରୁନାହାନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା