୧୬ରେ ଓଡ଼ିଶା ଆସିବେ ଉପରାଷ୍ଟ୍ରପତି
ବିଧାୟକମାନଙ୍କ ଏକଦିବସୀୟ ଓରିଏେଂଟସନ୍ କାର୍ଯ୍ୟକ୍ରମରେ ଯୋଗଦେବେ ଭୁବନେଶ୍ୱର,୦୯ ନଭେମ୍ବର (ହି.ସ.) - ଉପରାଷ୍ଟ୍ରପତି ଶ୍ରୀ ସି.ପି. ରାଧାକ୍ରିଷ୍ଣନ ନଭେମ୍ବର ୧୬ ତାରିଖରେ ସମ୍ଭାବ୍ୟ ଓଡ଼ିଶା ଗସ୍ତରେ ଆସିବେ। ଏହି ଅବସରରେ ସେ ଓଡ଼ିଶା ବିଧାନସଭାର ବିଧାୟକମାନଙ୍କ ପାଇଁ ଏକଦିବସୀୟ ଓରିଏେଂଟସନ୍ କାର୍ଯ
hj


ବିଧାୟକମାନଙ୍କ ଏକଦିବସୀୟ ଓରିଏେଂଟସନ୍ କାର୍ଯ୍ୟକ୍ରମରେ ଯୋଗଦେବେ

ଭୁବନେଶ୍ୱର,୦୯ ନଭେମ୍ବର (ହି.ସ.) - ଉପରାଷ୍ଟ୍ରପତି ଶ୍ରୀ ସି.ପି. ରାଧାକ୍ରିଷ୍ଣନ ନଭେମ୍ବର ୧୬ ତାରିଖରେ ସମ୍ଭାବ୍ୟ ଓଡ଼ିଶା ଗସ୍ତରେ ଆସିବେ। ଏହି ଅବସରରେ ସେ ଓଡ଼ିଶା ବିଧାନସଭାର ବିଧାୟକମାନଙ୍କ ପାଇଁ ଏକଦିବସୀୟ ଓରିଏେଂଟସନ୍ କାର୍ଯ୍ୟକ୍ରମରେ ଯୋଗ ଦେବେ। ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଏକ ଦିବସୀୟ କାର୍ଯ୍ୟକ୍ରମରେ ତିନୋଟି ଅଧିବେଶନ ରହିବ। ଉଦଘାଟନୀ ଅଧିବେଶନରେ ଓଡ଼ିଶାର ରାଜ୍ୟପାଳ ଶ୍ରୀ ବ୍ରଜମୋହନ ରାମ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେବେ ।

ଏହି ଗସ୍ତ ଓ କାର୍ଯ୍ୟକ୍ରମ ସମ୍ପର୍କରେ ଆଜି ଓଡ଼ିଶା ବିଧାନସଭା ସମ୍ମିଳନୀ କକ୍ଷରେ ଗଣମାଧ୍ୟମକୁ ସୂଚନା ଦେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ଓଡ଼ିଶା ବିଧାନସଭାରେ ମୋଟ ୩୫ଟି ସଂସଦୀୟ କମିଟି ରହିଛି । ସଂସଦୀୟ କମିଟି ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ କେରଳ ଓ ଓଡ଼ିଶା ଉଲ୍ଲେଖନୀୟ ଭାବେ କାର୍ଯ୍ୟ କରୁଛନ୍ତି। ଏହି ବ୍ୟବସ୍ଥାକୁ ଆହୁରି ସକ୍ରିୟ ଓ ଫଳପ୍ରଦ କରିବା ସହ ବିଧାୟକମାନଙ୍କ ଦକ୍ଷତା ବିକାଶ କରିବା ଏହି ଓରିଏେଂଟସନ୍ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ।

ବିଭିନ୍ନ ବିଭାଗର କାର୍ଯ୍ୟକାରିତା, ସରକାରୀ ଯୋଜନା ଓ ନିଷ୍ପତିର ରୂପାୟନ ଏବଂ କାର୍ଯ୍ୟନିର୍ବାହୀ ବିଭାଗଗୁଡ଼ିକର କାର୍ଯ୍ୟଧାରା ଉପରେ ବିଧାୟକମାନେ କିପରି ପ୍ରଭାବଶାଳୀ ଭାବେ ନଜର ରଖିପାରିବେ, ସେ ସମ୍ପର୍କରେ ଆବଶ୍ୟକ ତାଲିମ ପ୍ରଦାନ କରାଯିବ ।

ବିଶେଷକରି ଆଗାମୀ ବଜେଟ୍ ଅଧିବେଶନକୁ ଦୃଷ୍ଟିରେ ରଖି ବଜେଟ୍ ଆଲୋଚନା, ବିଭିନ୍ନ ବିଭାଗକୁ ଆବଂଟିତ ଅର୍ଥର ପରିମାଣ, ବ୍ୟୟ ଓ ଅନୁଦାନର ଅନୁପାତ, ବଜେଟ୍ ଆକଳନ ଏବଂ କାର୍ଯ୍ୟନିର୍ବାହୀ ବିଭାଗର କାର୍ଯ୍ୟର ସମୀକ୍ଷା ଆଦି ବିଷୟରେ ବିଧାୟକମାନଙ୍କୁ ତାଲିମ ଦିଆଯିବ । ଏଥିସହ ବଜେଟ୍ ଉପସ୍ଥାପନାର ବିଭିନ୍ନ ଦିଗ ଏବଂ ବିଧାନସଭାରେ କିପରି ଅଧିକ ଫଳପ୍ରଦ, ତଥ୍ୟଭିତିକ ଓ ଗଠନମୂଳକ ଆଲୋଚନା କରାଯାଇପାରିବ, ସେ ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ ।

ଉପରାଷ୍ଟ୍ରପତିଙ୍କ ଏହି ଗସ୍ତ ଓ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ଅତ୍ୟନ୍ତ ଫଳପ୍ରଦ ହେବ ବୋଲି ଆଶା ପ୍ରକାଶ କରି ମନ୍ତ୍ରୀ କହିଛନ୍ତି ଯେ, ଏହା ଦ୍ୱାରା ବିଧାୟକମାନଙ୍କ ମଧ୍ୟରେ ଅଭିଜ୍ଞତା ଓ ଭାବର ଆଦାନପ୍ରଦାନ ହେବା ସହ ବିଧାନସଭାର କାର୍ଯ୍ୟଧାରା ଅଧିକ ସୁଦୃଢ଼ ଓ ଗୁଣାତ୍ମକ ହୋଇପାରିବ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande