
କେନ୍ଦ୍ରାପଡା, 18 ଫେବ୍ରୁଆରି (ହି.ସ.)କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଵାରୁଅ ସ୍ଥିତ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳା ନିକେତନ ଆନୁକୁଲ୍ୟରେ ଚିର ସବୁଜ ଅକ୍ଷୟ ମହାନ୍ତି କକ୍ଷରେ ଓଡ଼ିଆ ସଙ୍ଗୀତ ଜଗତର ଅନ୍ୟତମା ଖ୍ୟାତନାମା କଣ୍ଠଶିଳ୍ପୀ ତଥା ଅକ୍ଷୟ ମହାନ୍ତିଙ୍କ ପଟ୍ଟଶିଷ୍ୟା ସ୍ଵର୍ଗତା ଗୀତା ପଟ୍ଟନାୟକଙ୍କ ଅମ୍ଳାନ ସ୍ମୃତିରେ ଶୋକ ସଭା ଏବଂ ଶ୍ରଦ୍ଧାଞ୍ଜଳି ସମାରୋହ ଯଥାବିଧି ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ସ୍ବର୍ଗତା ଗୀତା ପଟ୍ଟନାୟକଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରାଗଲା ପରେ ଅନୁଷ୍ଠାନ ପରିସରରେ ଥିବା ସଙ୍ଗୀତଜ୍ଞ ଅକ୍ଷୟ ମହାନ୍ତି, ଭଜନ ସମ୍ରାଟ ଭିକାରୀ ବଳ, ଲୋକ କବି ଭାବଗ୍ରାହୀ ପରିଡା କବି ପତ୍ନୀ ସରୋଜିନୀ ପରିଡାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ପରେ ପରେ ପ୍ରଦୀପ ପ୍ରଜ୍ବଳନ ଏବଂ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। କଳା ନିକେତନ ଏବଂ ରେଡ଼ିଓ ଭାବଗ୍ରାହୀର ପ୍ରତିଷ୍ଠାତା ତଥା ଅକ୍ଷୟଙ୍କ ଅନ୍ୟତମ ପଟ୍ଟଶିଷ୍ୟ ସଙ୍ଗୀତ ନିର୍ଦ୍ଦେଶକ ବିମଳ ପ୍ରସାଦ ପରିଡା ଏହି ଶ୍ରଦ୍ଧାଞ୍ଜଳି ସଭାରେ ଅଧ୍ୟକ୍ଷତା କରିବା ସହିତ ସ୍ଵାଗତ ଭାଷଣ ପ୍ରଦାନ କରି ସ୍ମୃତି ଚାରଣ କରି କହିଥିଲେ ଯେ ସ୍ଵର୍ଗତା ପଟ୍ଟନାୟକ ୧୯୫୪ ମସିହା ଡିସେମ୍ବର ୧୦ ତାରିଖରେ ଜନ୍ମଗ୍ରହଣ କରିଥିଲେ ଏବଂ ଏହି ଫେବୃୟାରୀ ମାସ ୧୫ ତାରିଖ ମହାଶିବରାତ୍ରୀ ସନ୍ଧ୍ୟାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିଲା। ସେ ଥିଲେ କାଳଜୟୀ ସଙ୍ଗୀତଜ୍ଞ ଅକ୍ଷୟ ମହାନ୍ତିଙ୍କ ଅନ୍ୟତମା ପଟ୍ଟଶିଷ୍ୟା। ସେ ଯେମିତି ରୂପବତୀ ସେମିତି ସୁକଣ୍ଠୀ ଗାୟୀକା ଥିଲେ। ତାଙ୍କ ଅକାଳ ବିୟୋଗରେ ଓଡ଼ିଆ ସଙ୍ଗୀତ ଜଗତର ଅପୂରଣୀୟ କ୍ଷତି ଘଟିଲା। ଅଦିନ ମେଘ ଚଳଚ୍ଚିତ୍ରରୁ ପ୍ରଚ୍ଛଦପଟ ଗାୟିକା ଜୀବନ ଆରମ୍ଭ କରିଥିବା ଗୀତା ପଟ୍ଟନାୟକ ତଅପୋଇ, ଯାଯାବର, ନାଗଫାଶ ଆଦି ଚଳଚ୍ଚିତ୍ରରେ ଅକ୍ଷୟ ମହାନ୍ତି ଏବଂ ତୃପ୍ତି ଦାଶଙ୍କ ସହିତ ଅନେକ ସଙ୍ଗୀତ ଗାଇ ଜନ ପ୍ରିୟତାର ଶୀର୍ଷରେ ପହଞ୍ଚି ପାରିଥିଲେ। ଏହି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସମାରୋହରେ ବିଶିଷ୍ଟ କଣ୍ଠଶିଳ୍ପୀ ନିରୁପମା ଜେନା ଶ୍ରଦ୍ଧାଞ୍ଜଳି ସଙ୍ଗୀତ ଏବଂ ଗୀତା ପଟ୍ଟନାୟକଙ୍କ କାଳଜୟୀ ସଙ୍ଗୀତ ଗାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ମୁଖ୍ୟ ଅତିଥି ଭାବେ ସ୍ଵରତୀର୍ଥର ପ୍ରତିଷ୍ଠାତା ସଙ୍ଗୀତ ଗୁରୁ ରବୀନ୍ଦ୍ର ନାଥ ମିଶ୍ର, ସମ୍ମାନୀତ ଅତିଥି ଭାବରେ ସଙ୍ଗୀତ ପୀପାସୁ ସତୀର୍ଥର ସଭାପତି କବି ଅମର ପ୍ରସାଦ ରାଉତ, କବି ଗଗନ ବିହାରୀ ଜେନା, କବି ଅଶୋକ ସାହୁ, ବିକ୍ରମ କେଶରୀ ସାମଲ, ଅଚ୍ୟୁତ ପରିଡା, ପ୍ରାକ୍ତନ ପ୍ରଧାନ ଶିକ୍ଷକ ଅଜୟ ସ୍ଵାଇଁ, ସ୍ବର୍ଣ୍ଣକାନ୍ତ ପରିଡା, ଭୀମସେନ ପ୍ରଧାନ, ରୁରାଲ ଡେଭଲପମେଣ୍ଟ କଲ୍ଚରାଲ ୟୁଥ୍ ଅର୍ଗାନାଇଜେସନ୍ ର ସମ୍ପାଦକ ଚିତ୍ତରଞ୍ଜନ ପ୍ରଧାନ, ମହ୍ଲାର ଅର୍କେଷ୍ଟ୍ରାର ସମ୍ପାଦକ ରଞ୍ଜନ ବରାଳ, ବାଣୀ ବିନୋଦ ସାହିତ୍ୟ ସେବା ନିକେତନର ସମ୍ପାଦକ ବିକ୍ରମ କେଶରୀ ପରିଡା, ରେଡ଼ିଓ ଭାବଗ୍ରାହୀର ମୁଖ୍ୟ ଟ୍ରଷ୍ଟି ଧୀରାମଣି ପରିଡା, ଗୌରବ ଦାସ, କଣ୍ଠଶିଳ୍ପୀ ମାଗୁଣି ଚରଣ ସାହୁ, ଅଙ୍କିତା ପରିଡା, ଅର୍ଚ୍ଚନା ପରିଡା, ରାଜେଶ ପ୍ରଧାନ, ସନ୍ତୋଷ ଦାସ, ଅମିତ ବିଶ୍ଵାଳ, ରଞ୍ଜନ ଜେନା , ସଚ୍ଚିଦାନନ୍ଦ ବେହେରା, ବଂଶୀଧର ମହାନ୍ତି, ମାନସ ପରିଡା ପ୍ରମୁଖ ଉପସ୍ଥିତ ରହି ସ୍ମୃତି ଚାରଣ ପୂର୍ବକ ଭକ୍ତିପୂତ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶେଷରେ ଗୀତିକାର ବିମଳ ପ୍ରସାଦ ପରିଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ରବି