
ମାଲକାନଗିରି, ୧୮ ଫେବ୍ରୁଆରି (ହି.ସ.)
ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ବଡ଼ିଗେଟା ପଞ୍ଚାୟତ ଅନ୍ତର୍ଗତ ଟେକଗୁଡା ବି ଗ୍ରାମରେ ତିନି ଦିନିଆ ମାଉଳୀ ମା ଯାତ୍ରା ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଆଦିବାସୀ ପରମ୍ପରା ଅନୁଯାଇ ଏହି ଯାତ୍ରା ପ୍ରତି ଦୁଇବର୍ଷରେ ଥରେ ଅନୁଷ୍ଠିତ ହୋଇଥାଏ । ଏହି ମାଉଳୀ ମା ଯାତ୍ରା ଗତ ସୋମବାର ଦିନ ଆରମ୍ଭ ହୋଇଥିବା ବେଳେ ବୁଧବାର ଦିନ ଶେଷ ଯାତ୍ରା ଅନୁଷ୍ଠିତ ହୋଇଛି । ଯାତ୍ରାର ପ୍ରଥମ ଦିନରେ ଦେବୀ ମାଉଳୀ ମା ଗ୍ରାମ ନିକଟସ୍ଥ ବଡ ପାହାଡ ନିକଟକୁ ଯାଇଥାନ୍ତି ପରେ ସେଠାରେ ଥିବା ପାଟନାମତଙ୍ଗ ଝରଣା ପାଣିରେ ସ୍ନାନ କରି ସେଠାରୁ ବିରାଟ ପଟୁଆରରେ କଳସ ଯାତ୍ରା ଓ ଶତାଧିକ ଭକ୍ତ ଙ୍କ ସହ ମା ଙ୍କୁ ଟେକଗୁଡା ବି ଗ୍ରାମ ରେ ଥିବା ମନ୍ଦିରକୁ ନିଆ ଯାଇଥାଏ । ଏହି ସମୟରେ ଭକ୍ତ ଙ୍କ ହୁଳହୁଳି, ଝାଲି ଶଙ୍ଖ ଧ୍ବନି ରେ ଅଞ୍ଚଳ ଭକ୍ତିମୟ ପରିବେଶ ସ୍ରୁଷ୍ଟି ହୋଇଥିଲା । ପରେ ମା ମଣ୍ଡପରେ ପୂଜା ପାଇଥିଲେ । ଦିତୀୟ ଦିନରେ ମା ଭକ୍ତ ମାନଙ୍କୁ ଦର୍ଶନ ଦେଇଥିଲେ । ମାଙ୍କ ମୂର୍ତ୍ତୀ ନିକଟରେ ମୟୁର ପୂଛ ରଖା ଯାଇଥିବା ବେଳେ ମୂର୍ତ୍ତୀ ନିକଟରେ ଦୁଇଟି ପାରା ବସିଥିବା ଦେଖିବାକୁ ମିଳିଥିଲା । ପୂଜକ ପୂର୍ବ ରୀତିନୀତିରେ ମା’ଙ୍କ ପୂଜାର୍ଚ୍ଚନା କରିବା ପରେ ଶ୍ରଦ୍ଧାଳୁମାନେ ମା’ଙ୍କ ଦର୍ଶନ କରି ପରିବାର ପାଇଁ ମଙ୍ଗଳକାମନା କରିଥାନ୍ତି । ମୁଖ୍ୟ ପୂଜାରୀ ସରୋଜ କୁମାର ପଡିଆମି ମାଙ୍କ ରୀତିନୀତିରେ ପୂଜାର୍ଚନା କରିବା ସହ ଭକ୍ତ ମାନଙ୍କର ମନସ୍କାମନା ପୂରଣ ପାଇଁ ଭୋଗ ନୈବେଦ୍ୟ ଲଗାଇ ପୂଜାର୍ଚନା କରିଥିଲେ । ମାଙ୍କ ମହିମା ପାଇବା ପାଇଁ ସହସ୍ରାଧିକ ଭକ୍ତ ଏଠାରେ ଏକଜୁଟ ହୋଇଥିଲେ । ଯେଉଁ ଲୋକ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥାନ୍ତି ସେହି ଲୋକ ମା ଙ୍କ ନିକଟକୁ ଆସି ଦର୍ଶନ କରିବା ପରେ ପୂଜାରୀ (ବାଡେ) ମାନଙ୍କ ଦ୍ଵାରା ପ୍ରସ୍ତୁତ ଜଡିବୁଟି ଔଷଧ ଖାଇବା ଦ୍ୱାରା ବହୁ ଦୁରା ରୋଗ ରୁ ଆରୋଗ୍ୟ ଲାଭ ପାଇବାର ବିଶ୍ଵାସ ରହିଛି । ପୂଜାର ଶେଷ ଦିନରେ ବିଧି ଅନୁଯାଇ ମା ଙ୍କୁ ମେଲଣ ଦିଆଯାଏ ବୋଲି ଗାଁ ମୁଖିଆ କସା ପଡିଆମି ଓ ଗ୍ରାମର ପେଦା ମଙ୍ଗୁଡ଼ୁ ମାଡକାମି ପ୍ରକାଶ କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ