
ନୂଆପଡାରେ ୨୦୨୬–୨୮ ବର୍ଷ ପାଇଁ ଅସ୍ଥାବର ସମ୍ପତ୍ତିର ବେଞ୍ଚ ମାର୍କ ମୂଲ୍ୟ ନିର୍ଦ୍ଧାରଣ ସମ୍ବନ୍ଧୀୟ ବୈଠକ
ନୂଆପଡା, ୧୮ ଫେବୃଆରୀ (ହି.ସ.)- ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲା ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ମୂଲ୍ୟାୟନ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକରେ ୨୦୨୬–୨୮ ଦ୍ୱିବାର୍ଷିକ ଅବଧି ପାଇଁ ନୂଆପଡା ଜିଲ୍ଲାର ଅସ୍ଥାବର ସମ୍ପତ୍ତି ନିମନ୍ତେ ବେଞ୍ଚ ମାର୍କ ମୂଲ୍ୟ ନିର୍ଦ୍ଧାରଣ କିପରି କରାଯିବ, ସେ ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରାଯାଇଥିଲା।ବୈଠକରେ ଜିଲ୍ଲା ଉପ-ନିବନ୍ଧକ ହେମନ୍ତ ପୁଟା ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ମାର୍ଗ ଦର୍ଶିକା ସମ୍ପର୍କରେ ସଭାକୁ ଅବଗତ କରାଇଥିଲେ। ଏହା ଅନୁଯାୟୀ ଓଡ଼ିଶା ଷ୍ଟାମ୍ପ ନିୟମାବଳୀ, ୧୯୫୨ ଅନୁସାରେ ପ୍ରତି ଦୁଇ ବର୍ଷରେ ଅସ୍ଥାବର ସମ୍ପତ୍ତିର ବଜାର ମୂଲ୍ୟ ପୁନଃନିର୍ଦ୍ଧାରଣ କରାଯିବାକୁ ବ୍ୟବସ୍ଥା ରହିଛି। ସହର ଓ ଗ୍ରାମ ଅଞ୍ଚଳର ଜମିକୁ ବିଭିନ୍ନ ଶ୍ରେଣୀରେ ବିଭକ୍ତ କରି—ଯଥା ରୋଡ୍ ସାଇଡ୍ ପ୍ଲଟ୍, ଆବାସିକ, ବ୍ୟବସାୟିକ, କୃଷି ଜମି, ପ୍ରକଳ୍ପ ପ୍ରଭାବିତ ଅଞ୍ଚଳ ଇତ୍ୟାଦି—ତଥ୍ୟ ସଂଗ୍ରହ କରାଯାଇ ସେସବୁର ବଜାର ମୂଲ୍ୟ ନିର୍ଦ୍ଧାରଣ କରାଯିବ। ଗତ ଦୁଇ ବର୍ଷର ବିକ୍ରୟ ତଥ୍ୟ ଆଧାରରେ ମୂଲ୍ୟ ନିର୍ଦ୍ଧାରଣ ପାଇଁ ସ୍ପଷ୍ଟ ସରକାରୀ ନିର୍ଦ୍ଦେଶ ରହିଛି। ଏଥିରେ ପ୍ରସ୍ତାବିତ ମୂଲ୍ୟାୟନ ପ୍ରସ୍ତାବ ଡିଭିସିକୁ ପ୍ରେରଣ କରାଯିବ ଏବଂ ଜିଲ୍ଲା ସ୍ତରୀୟ କମିଟି ଏହାର ସମୀକ୍ଷା କରି ରାଜ୍ୟ ସ୍ତରକୁ ଅନୁମୋଦନ ପାଇଁ ପ୍ରେରଣ କରିବେ। ରାଜ୍ୟ ସ୍ତରରୁ ଅନୁମୋଦନ ପ୍ରାପ୍ତ ହେବା ପରେ ଏହି ଜମିର ବଜାର ମୂଲ୍ୟ ଆସନ୍ତା ୧ ଏପ୍ରିଲ ୨୦୨୬ ଠାରୁ ଜିଲ୍ଲାରେ କାର୍ଯ୍ୟକରୀ ହେବ।
ଜିଲ୍ଲାପାଳ ମଧୁସୂଦନ ଦାଶ ମୂଲ୍ୟ ୧୦ ପ୍ରତିଶତ ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦେବା ସହିତ ସମସ୍ତ ଅଧିକାରୀଙ୍କୁର ନିର୍ଦ୍ଦେଶାବଳୀକୁ କଡାକଡି ଭାବରେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଥିଲେ l ବୈଠକରେ ପ୍ରଣବ ରଞ୍ଜନ ସାହୁ, ତହସିଲଦାର, ନୂଆପଡା; ନରସିଂହ ଗଡବା, ତହସିଲଦାର, ଖରିଆର; ଉପାଞ୍ଜଳି ମାଝି, ତହସିଲଦାର, ସିନାପାଲି; ସରିତା ଗୁପ୍ତା, ତହସିଲଦାର, ବୋଡେନ;ସର୍ବେଶ୍ୱର ଜାଲ, ତହସିଲଦାର କୋମନା, ସୁଧାଂଶୁ ଶେଖର, ସବ୍- ରେଜିଷ୍ଟ୍ରାର, ଖରିଆର ଏଵଂ ବରିଷ୍ଠ ଆଇନଜୀବୀ,ନନ୍ଦଲାଲ ପାଣ୍ଡେ ଓ ସୁଶାନ୍ତ କୁମାର ପତିଙ୍କ ସହିତ ଅନ୍ୟାନ୍ୟ ସମ୍ପୃକ୍ତ ଅଧିକାରୀ ମାନେ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ହେମନ୍ତ