
ନୂଆପଡ଼ା,୧୮ ଫେବୃଆରୀ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ପୁଲିସକୁ ମିଳିଛି ବଡ ସଫଳତା, ଏକ ଚୋରି କେଶରେ ଚାରି ଜଣ ଚୋରଙ୍କୁ ଆଜି ଗିରଫ କରି ସେମାନଙ୍କ ଠାରୁ ନଗଦ ଅର୍ଥ ରାଶି ସହ ଅନେକ ଜିନିଷ ଜବତ ହୋଇଛି। ଗତ ତାରିଖ ୧୫/୧୬ ରାତିରେ ଖଡ଼ିଆଳ ସହର ଏଗାର ନମ୍ବର୍ ୱାର୍ଡ ପୁଟୁପଡ଼ାର ପ୍ରବୀଣ ଅଗ୍ରୱାଲ ସପରିବାର ଶିବରାତ୍ରୀ ପାଳନ କରିବା ପାଇଁ ବାହାରକୁ ଯାଇଥିବା ବେଳେ ଘରେ ଚୋରି ହୋଇଥିଲା। ଏନେଇ ୧୬ ତାରିଖ ଦିନ ସେ ଖଡ଼ିଆଳ ପୁଲିସରେ ଲିଖିତ ଅଭିଯୋଗ କରିଥିଲେ। ନୂଆପଡ଼ା ଏସ ପିଙ୍କ ନିର୍ଦ୍ଦେଶ କ୍ରମେ ତିନିଟି ଟିମ୍ ଗଠନ କରାଯାଇ ଏହାର ତଦନ୍ତ କରା ଯାଇଥିଲା ଓ ଖଡ଼ିଆଳ ଥାନା ଅନ୍ତର୍ଗତ ଅଞ୍ଚଳପୁର ଗ୍ରାମର ଚାରିଜଣ ଚୋରଙ୍କୁ ଗିରଫ କରା ଯାଇଥିଲା। ସେମାନଙ୍କ ଠାରୁ ନଗଦ ୩୭,୪୦,୧୨୦ ଟଙ୍କା, ଦଶ ଲକ୍ଷ ଟଙ୍କା ମୂଲ୍ୟର ରୂପା ପିସ, ସାତ ଲକ୍ଷ ଟଙ୍କା ମୂଲ୍ୟର ସୁନା, ଚାରିଟି ମୋବାଇଲ ଓ ଦୁଇଟି ବାଇକ୍ ଜବତ ହୋଇଥିଲା। ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଖଡ଼ିଆଳ ଏସଡିପିଓ ଉପେନ୍ଦ୍ର ପ୍ରଧାନ। ଏହି ସମୟରେ ଖଡ଼ିଆଳ ଥାନାଧିକାରୀ ସୁମନ୍ତ କୁମାର ନାଏକଙ୍କ ସହ ଅନ୍ୟାନ୍ୟ ପୋଲିସ ଅଧିକାରୀ ସାମିଲ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ହେମନ୍ତ