
କୋରେଇ, ୧୮ ଫେବ୍ରୁଆରି (ହି.ସ.) - ପାଣିକୋଇଲି ଥାନା ଅନ୍ତର୍ଗତ ପଥରପଦା ପଂଚାୟତର ମୁଲରୀ ମୌଜାରେ ଥିବା ଆର୍ଶିବାଦ ରାଇସ ମିଲ ପଛ ପଟରେ ଆଜି ସକାଳୁ ଏକ ଯୁବକ ବରଗଛରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲା । ଏନେଇ ପୁଲିସ ସୂଚନା ପାଇବା ପରେ ଘଟଣାସ୍ଥଳେ ପହଂଚିଥିଲା । ଉକ୍ତ ଯୁବକ ଜଣଙ୍କ କୋରେଇ ଥାନା ଅନ୍ତର୍ଗତ ଧନପୁର ଗ୍ରାମର ନଟବର ବାରିକଙ୍କ ପୁଅ ଶ୍ରୀଡ଼ଧର ବାରିକ (୪୭)ବୋଲି ଜଣାପଡିଥିଲା । ଶ୍ରୀଧର ରାଇସ ମିଲର ଶ୍ରମିକ ସର୍ଦ୍ଦାର ଭାବେ କାର୍ଯ୍ୟରତ ଥିଲା । ଖବର ପାଇ ଶହ ଶହ ସଂଖ୍ୟାରେ ଲୋକ ସେଠାରେ ରୁଣ୍ଡ ହୋଇଥିଲେ । ଯାଜପୁରରୋଡ ଏସଡିପିଓ ଶରତ ଚନ୍ଦ୍ର ପାତ୍ର, କୋରେଇ ଥାନାଧିକାରୀ ରାକେଶ କୁମାର ତ୍ରିପାଠୀ, ସଦଳବଳେ େଓଠାରେ ପହଂଚିଥିଲେ । ଘଟଣାସ୍ଥଳେ ସାଇନଟିଫିକ ଟିମ ପହଂଚି ତଦନ୍ତ ଆରମ୍ଭ କରିଥିଲା । ଅନ୍ୟପଟେ ଶ୍ରୀଧରର ମୃତ ଖବର ପ୍ରଚାରିତ ହେବା ପରେ ଗ୍ରାମରେ ଉତେଜନା ଦେଖାଦେଇଥିଲା । ତାକୁ ମାରି ଟାଂଗି ଦେଇଥିବା ଗୁଜବ ପ୍ରଚାରିତ ହୋଇଥିଲା । ଯାହା ଫଳରେ ଗ୍ରାମବାସୀ ମାନେ ଉତ୍ୟକ୍ତ ହୋଇ ରାଇସମିଲ ଆଗରେ ଧାରଣା ଦେଇଥିଲେ । ସାଇନଟିଫିକ ଟିମ ତଦନ୍ତ କରିବା ପରେ ମୃତ ଶ୍ରୀଧରର ସ୍ତ୍ରୀ ମାଳତି ବାରିକ ତାଙ୍କ ସ୍ୱାମୀ ଆତ୍ମହତ୍ୟା କରିବା ନେଇ ଲିଖିତ ଅଭିଯୋଗ କରିଥିଲେ । ଏନେଇ ପାଣିକୋଇଲି ଥାନାରେ ଏକ ଅପମୃତ୍ୟୁ ମାମଲା ୩/୨୬ ରୁଜ୍ଜୁ କରାଯାଇ ଶବ ବ୍ୟବଚ୍ଛେଦ ପାଇଁ ଦାନଗଦି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିଲା । ପରେ ମିଲ କତୃପକ୍ଷଙ୍କ ପକ୍ଷରୁ ମୃତ ଶ୍ରୀଧରଙ୍କ ପାଇର୍ ସହୟତା ରାଶି ଘୋଷଣା କରାଯାଇଥିଲା । ଯାହା ଫଳରେ ଉତେଜନା ହ୍ରାସ ପାଇବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା । ବ୍ୟବଚ୍ଛେଦ ପରେ ମୃତ ଶରୀରକୁ ଗ୍ରାମକୁ ଆଣି ଏକ ଶୋକାକୂଳ ପରିବେଶରେ ଶେଷକୃତ ସମ୍ପନ୍ନ କରାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ