
ଭୁବନେଶ୍ୱର,୧୮ ଫେବୃଆରୀ (ହି.ସ.) - ଟାଟା ପାୱାରର ବିଦ୍ୟୁତ ବିତରଣ କମ୍ପାନୀମାନଙ୍କ ଦ୍ୱାରା ଅନୁମୋଦିତ ସ୍ମାର୍ଟ ମିଟରଗୁଡିକୁ ଖୋଲା ବଜାରରେ ଉପଲବ୍ଧ କରିବାପାଇଁ ସମସ୍ତ ମିଟର ନିର୍ମାତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଗ୍ରାହକମାନଙ୍କୁ ଖୋଲା ବଜାରରେ ମିଟର କିଣିବାର ବିକଳ୍ପ ପ୍ରଦାନ କରାଯାଇଥିବା କହିଛନ୍ତି ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ।
ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତରରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଟାଟା ପାୱାର ଦ୍ୱାରା ଲଗାଯାଉଥିବା ମିଟରର ମୂଲ୍ୟ ଭଡା ଆଧାରରେ ଗ୍ରାହକମାନଙ୍କ ଠାରୁ ଆଦାୟ କରାଯାଇଥାଏ । ଏହି ଭଡା ଓଡିଶା ବିଦ୍ୟୁତ ନିୟାମକ ଆୟୋଗ ଦ୍ୱାରା ଟାରିଫ ଶୁଣାଣି ସମୟରେ ସ୍ଥିରୀକୃତ ହୋଇଥାଏ । ତଦନୁଯାୟୀ ସିଙ୍ଗଲ ଫେଜ ଷ୍ଟାଟିକ ମିଟରର ମାସିକ ଭଡା ୪୦ ଟଙ୍କା ଧାର୍ଯ୍ୟ ହୋଇଥିବାବେଳେ ଏଲ ଟି ସିଙ୍ଗିଲ ଲାଇନର ସ୍ମାର୍ଟ ମିଟରର ମାସିକ ଭଡା ୬୦ ଟଙ୍କା ରଖାଯାଇଛି । ସେହିଭଳି ଥ୍ରିଫେଜ ସ୍ମାର୍ଟ ମିଟର ପାଇଁ ମାସକୁ ୧୫୦ ଟଙ୍କା ଧାର୍ଯ୍ୟ ହୋଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା