
ଭୁବନେଶ୍ୱର,୧୮ ଫେବୃଆରୀ (ହି.ସ.) - ଚଳିତ ବର୍ଷ ଧାନ ସଂଗ୍ରହ ପାଇଁ ରାଜ୍ୟରେ ମୋଟ ୩୯୪ ମହିଳା ସ୍ୱୟଂ ସହାୟକ ଗୋଷ୍ଠିଙ୍କୁ ଦାୟିତ୍ୱ ଦିଆଯାଇଛି । ଏମାନଙ୍କ ମଧ୍ୟରୁ ସର୍ବାଧିକ ୧୩୩ ଟି ଗଞ୍ଜାମ ଜିଲ୍ଲାରେ ରହିଥିବା ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।
ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତରରେ ମନ୍ତ୍ରୀ ଦର୍ଶାଇଛନ୍ତି ଯେ ୨୦୨୫-୨୬ ବର୍ଷରେ ଧାନ ସଂଗ୍ରହ ପାଇଁ ୨୭୭୭ ପାକସ/ଲାମ୍ପସ, ୩୯୪ ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ଓ ୭ଟି ପାଣି ପଞ୍ଚାୟତକୁ ଦାୟିତ୍ୱ ପ୍ରଦାନ କରାଯାଇଛି । ପାକସ୍ ଓ ଲାମ୍ପସ ମଧ୍ୟରୁ ସର୍ବାଧିକ ୩୭୧ଟି ଗଞ୍ଜାମ ଜିଲ୍ଲାରେ ଥିବାବେଳେ କଟକ ଜିଲ୍ଲାରେ ୨୨୩ଟି ରହିଛି । ପୁରୀରେ ଏହି ସଂଖ୍ୟା ୧୯୩ ଅଛି । ସବୁଠାରୁ କମ ମାତ୍ର ୮ଟି ମାଲକାନଗିରି ଜିଲ୍ଲାରେ ଥିବାବେଳେ ନବରଙ୍ଗପୁରେ ୧୩ଟି ପାକସ ରହିଛି ।
ଧାନ ସଂଗ୍ରହ ପାଇଁ ଦାୟିତ୍ୱ ନେଇଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ମଧ୍ୟରୁ ସର୍ବାଧିକ ୧୩୩ଟି ଗଞ୍ଜାମ ଜିଲ୍ଲାରେ ଥିବାବେଳେ ଭଦ୍ରକରେ ୪୬, ଯାଜପୁରରେ ୪୨, ନବରଙ୍ଗପୁରରେ ୩୭ଟି ଗୋଷ୍ଠି ରହିଛନ୍ତି । ୧୨ ଟି ଜିଲ୍ଲାରେ ସ୍ୱୟଂ ସହାୟକ ଗୋଷ୍ଠି ଧାନକିଣା ଦାୟିତ୍ୱରେ ନଥିବାବେଳେ ବୌଦ, କନ୍ଧମାଳ ଜିଲ୍ଲାରେ ଗୋଟିଏ କରି ରହିଚନ୍ତି । ସେହିଭଳି ଧାନ କିଣା ଦାୟିତ୍ୱରେ ଥିବା ୭ଟି ପାଣି ପଞ୍ଚାୟତ ମଧ୍ୟରୁ କୋରାପୁଟରେ ୩ଟି ଥିବାବେଳେ ନବରଙ୍ଗପୁରରେ ୨ଟି ଏବଂ ସୁୁନ୍ଦରଗଡ ଓ ଗଞ୍ଜାମରେ ଗୋଟିଏ କରି ରହିଥିବା ମନ୍ତ୍ରୀ ତାଙ୍କ ସ୍ତରରେ ଉଲ୍ଲେଖ କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା