
ନୂଆପଡା, ୧୯ ଫେବୃଆରୀ (ହି.ସ.)-
ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ନଗର ଉନ୍ନୟନ ସଂସ୍ଥା(ଡୁଡା)ର ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲାର ତିନିଗୋଟି ବିଜ୍ଞାପିତ ଅଞ୍ଚଳ ପରିଷଦ ନୂଆପଡା, ଖଡିଆଳ ଓ ଖରିଆର ରୋଡର କାର୍ଯ୍ୟାବଳୀ ସମୀକ୍ଷା ସହିତ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ ଲମ୍ବୋଦର ଧରୁଆ ଏନଏସି ମାନଙ୍କର କାର୍ଯ୍ୟ ଖସଡ଼ା ଉପସ୍ଥାପନ କରିଥିଲେ। ୨୦୨୫–୨୬ ଆର୍ଥିକ ବର୍ଷ ପାଇଁ ରାଜସ୍ୱ ଲକ୍ଷ୍ୟ ଓ ସଂଗ୍ରହ ସମୀକ୍ଷା କରାଯାଇଥିଲା। ହୋଲ୍ଡିଂ ଟ୍ୟାକ୍ସ ସଂଗ୍ରହରେ ଖରୀଆର ଏନଏସି ୯୩.୭୬ ପ୍ରତିଶତ ସଫଳତା ହାସଲ କରିଥିବାବେଳେ ନୂଆପଡା ୭୩.୭୩ ପ୍ରତିଶତ ଏବଂ ଖରୀଆର ରୋଡ ୭୪.୫୦ ପ୍ରତିଶତ ସଫଳତା ହାସଲ କରିଛି। ମ୍ୟୁନିସିପାଲ ସମ୍ପତ୍ତି ଭଡା, ବ୍ୟବସାୟ ଲାଇସେନ୍ସ, ବିଜ୍ଞାପନ ରାଜସ୍ୱ, ୟୁଜର ଫିସ ଓ ଅନ୍ୟାନ୍ୟ ଉତ୍ସରୁ ରାଜସ୍ୱ ଆଦାୟର ମଧ୍ୟ ସମୀକ୍ଷା କରଯାଇଥିଲା। ବର୍ଜ୍ୟ ବସ୍ତୁ ପରିଚାଳନା, ପ୍ରଧାନ ମନ୍ତ୍ରୀ ଅବାସ ଯୋଜନା (ନଗର), ବିଲ୍ଡିଂ ଆପ୍ରୁଭାଲ ସିଷ୍ଟମ୍ ଏବଂ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା (ଏମଏସବିୱାଇ) ର କାର୍ଯ୍ୟାନ୍ବୟନ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଜିଲ୍ଲାପାଳ ହୋଲ୍ଡିଂ ଟ୍ୟାକ୍ସରେ ୧୦୦ ପ୍ରତିଶତ ସଂଗ୍ରହ ସୁନିଶ୍ଚିତ କରିବା, ମଞ୍ଜୁରିକୃତ ଅର୍ଥର ସଠିକ ବ୍ୟବହାର ଏବଂ ଆସନ୍ତା ମାର୍ଚ୍ଚ ମାସ ଶେଷ ସୁଦ୍ଧା ସମସ୍ତ ଆବାସ ଘର ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ l ପର୍ବପର୍ବାଣୀ ସମୟରେ ଭିଡ଼କୁ ଦୃଷ୍ଟିରେ ରଖି ସମସ୍ତ ଏନ୍ ଏ ସି କୁ ମୋବାଇଲ୍ ଟଏଲେଟ୍ କ୍ରୟ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା। କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କୁ ବିଭିନ୍ନ ଉତ୍ସରୁ ରାଜସ୍ୱ ବୃଦ୍ଧି କରିବା ସହିତ ସହରମାନଙ୍କର ସୌନ୍ଦର୍ଯ୍ୟକରଣ କାର୍ଯ୍ୟରେ ଗତି ଆଣିବା ଓ ନାଗରିକମାନଙ୍କୁ ସହରୀ ସଭ୍ୟତାର ସମସ୍ତ ସୁବିଧା ସୁଯୋଗ ଯୋଗାଇବାକୁ ଜିଲ୍ଲାପାଳ ଗୁରୁତ୍ଵ ଦେଇଥିଲେ।
ଏହି ବୈଠକରେ ନୂଆପଡା ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ଦୀପ କୁମାର ଚନ୍ଦ୍ରକାର, ଖଡିଆଳ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱାଧୀନ ମହାରଣା, ଖରୀଆର ରୋଡ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ କମଳାସନ ରଥଙ୍କ ସହ ବିଭିନ୍ନ ବିଭାଗର ସମ୍ପୃକ୍ତ ଅଧିକାରୀମାନେ ଯୋଗ ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ