ଭାରତୀୟ ପରମ୍ପରାରେ ଗୁରୁ-ଶିଷ୍ୟ ସଂପର୍କ 'ଭୟ ମୁକ୍ତ'
ଭାରତୀୟ ପରମ୍ପରାରେ ଗୁରୁ-ଶିଷ୍ୟ ସଂପର୍କ 'ଭୟ ମୁକ୍ତ'
ଭାରତୀୟ ପରମ୍ପରାରେ ଗୁରୁ-ଶିଷ୍ୟ ସଂପର୍କ 'ଭୟ ମୁକ୍ତ'


ସମ୍ବଲପୁର, ୧୯, ଫେବ୍ରୁଆରୀ (ହି.ସ.) - ସମ୍ବଲପୁର ସରକାରୀ ମହିଳା ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଛି । ଅଧ୍ୟକ୍ଷା ପ୍ର. କଳ୍ପନା ମେହେର ସ୍ୱାଗତ ଭାଷଣ ରେ ମହାବିଦ୍ୟାଳୟକୁ ନାରୀ ଶକ୍ତି ବିକାଶର ଉପଯୁକ୍ତ କ୍ଷେତ୍ର ଭାବରେ ବର୍ଣ୍ଣନା କରିଥିଲେ । ଏଥିରେ ଆଂଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଦେଶାଳୟ ର ନିର୍ଦ୍ଦେଶକ ମୁରଲୀ ଧର ମାଝୀ ମୁଖ୍ୟଅତିଥି ଭାବରେ ଯୋଗ ଦେଇ ନିଜ ଜୀବନର ଲକ୍ଷ୍ୟ ସ୍ଥିର କରିବା ସହ ସଦା ସର୍ବଦା କର୍ମ ତତ୍ପର ହେବା ପାଇଁ ଉପଦେଶ ପ୍ରଦାନ କରିଥିଲେ । ମୁଖ୍ୟ୍ୱକ୍ତା ସାହିତ୍ୟିକ ଡ. ଶ୍ୟାମ ସୁନ୍ଦର ଧର କହିଲେ ଯେ, ଭାରତୀୟ ପରମ୍ପରାରେ ଗୁରୁଶିଷ୍ୟର ସଂପର୍କ ପବିତ୍ରତମ । ଏହି ସମ୍ପର୍କ ହେଉଛି ଏକ ବିଶେଷ ମୁକ୍ତି , ଅଜ୍ଞତା, ଜଡ଼ତା ଓ ଭୟରୁ ମୁକ୍ତି ପ୍ରଦାନ କରିଥାଏ। ସଭାରେ ମହାବିଦ୍ୟାଳୟର ‘ନ୍ୟୁଜ ଲେଟର‘ ଏବଂ ମହାବିଦ୍ୟାଳୟ ମୁଖପତ୍ର ‘ଭାସ୍ୱତୀ’ ର ଉନ୍ମୋଚନ ଓ ରାଜନୀତି ବିଜ୍ଞାନ ଅଧ୍ୟାପକ ଡ. ପ୍ରଶାନ୍ତ ପ୍ରଧାନଙ୍କ ପ୍ରକାଶିତ ପୁସ୍ତକ ‘ଇଣ୍ଡିଆନ ଫେଡେରାଲିଜମ୍ ଇନ୍ ଟ୍ରାନଜିସନ : କନଫ୍ଲିକ୍ଟ, କୋପରେସନ ଆଣ୍ଡ ଗଭୀର୍ନାଂଶ ଲୋକାର୍ପିତ ହୋଇଥିଲା । ମହାବିଦ୍ୟାଳୟର ଛାତ୍ରୀନିବାସ ପାଇଁ ନିଜ ଘରକୁ ଉତ୍ସର୍ଗ କରିଥିବା ଓ ଗରିବ ଛାତ୍ରୀଙ୍କ ପାଠପଢ଼ା ପାଇଁ ଅର୍ଥଦାନ କରିଥିବା ମହିୟସୀ ମହିଳା ଡ଼ା. ନାରାୟଣୀ ପଣ୍ଡାଙ୍କୁ ଭାବେ ସମ୍ମାନିତ କରା ଯାଇଥିଲା । ନାଟ୍ୟ ସଂସଦ , ସାଂସ୍କୃତିକ ସଂସଦ, ଛାତ୍ରୀ ସଂସଦ ଓ ଛାତ୍ରୀ ସାଧାରଣ ପ୍ରକୋଷ୍ଠ ଦ୍ୱାରା ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କୃତ ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଖୁସି ସାହା , ସ୍ନାତକ ଛାତ୍ରୀ ଅଫ୍‌ସାନା ଖାତୁନ୍ ଓ ସ୍ନାତକୋତର ଛାତ୍ରୀ ଶ୍ରୁତିରେଖା ଆଚାର୍ଯ୍ୟଙ୍କୁ ଶ୍ରେଷ୍ଠ ଛାତ୍ରୀ ଭାବରେ ପୁରସ୍କୃତ ଏବଂ ରାଷ୍ଟପତି ଦୌପଦୀ ମୁର୍ମୁଙ୍କ ଦ୍ୱାରା ‘ଆପଦା ମିତ୍ର’ ଭାବେ ସମ୍ମାନିତ ଛାତ୍ରୀ ଖୁସ୍‌ବୁ ଜୟପୁରୀଆଙ୍କୁ ସ୍ୱତନ୍ତ୍ର ଭାବରେ ସମ୍ବର୍ଦ୍ଧିତ କରାଯାଇଥିଲା। ଛାତ୍ରୀ ସଂସଦର ଉପଦେଷ୍ଟା ପ୍ର. ରବୀନ୍ଦ୍ର କୁମାର ପାଣିଗ୍ରାହୀ ବାର୍ଷିକ ବିବରଣୀ ଓ ପ୍ରାଶାସନିକ ଅଧିକାରୀ ପ୍ର. ଯୋଗେଶ ଚନ୍ଦ୍ର ଭୋଇ ଅତିଥି ପରିଚୟ ପ୍ରଦାନ କରିଥିଲେ । ନାଟ୍ୟ ସଂସଦର ଉପସଭାପତି ପ୍ର. ଅଖିଳ ବିଶ୍ୱାଳ ଧନ୍ୟବାଦ ଅର୍ପଣ ଏବଂ ପ୍ର. ଭୋଜରାଜ ରୋହିଦାସ ସଭା ସଂଚାଳନ କରିଥିଲେ। ସମ୍ବଲପୁରୀ ତଥା ବିଭିନ୍ନ ପ୍ରଦେଶର ଲୋକନୃତ୍ୟ ଓଡ଼ିଶୀ, ରୋବଟିକ୍ ଡେନ୍‌ସ ଓ ବିଭିନ୍ନ ଭାଷାର ସଂଗୀତ ଗାନ ଭଳି ସମୁଦାୟ ୩୦ଟି ସାଂସ୍କୃତିକ କାର୍ଯ୍ୟକ୍ରମ ଛାତ୍ରୀଙ୍କଦ୍ୱାରା ପରିବେଶିତ ହୋଇ ଉଚ୍ଚ ପ୍ରସଂଶିତ ହୋଇଥିଲା ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande