
କେନ୍ଦୁଝର, ୧୯ ଫେବ୍ରୁଆରି (ହି.ସ.) - କେନ୍ଦୁଝରରେ ବ୍ୟାପକ ଅଫିମ ଗଛ ନଷ୍ଟ କଲେ ପୋଲିସ, ଅବକାରୀ ବିଭାଗ ଓ ବନ ବିଭାଗ । ସଦର ଥାନା ପୋଲିସ, ଅବକାରୀ ବିଭାଗ ଓ ବନ ବିଭାଗର ମିଳିତ ଜୋରଦାର ଚଢ଼ାଉରେ ସଦର ମହକୁମା ବରଦାପାଳ ପଂଚାୟତ ତଳକମ୍ପଡ଼ିହି ଜହ୍ଲାସାହିରେ ବେଆଇନ୍ ଅଫିମ ଚାଷ ନଷ୍ଟ କରାଯାଇଛି । ତଳକମ୍ପଡିହି ମୁଣ୍ଡାସାହିର ଲୋକେ ଗାଁ ନିକଟରେ ପନିପରିବା ଚାଷ କରିଥିଲେ । ଏହା ନିକଟରେ କେହି ୧ଏକର ଜମିରେ ଅଫିମ ଚାଷ କରିଥିବା ଜାଣି ଆଜି ସଦର ଥାନାଧିକାରୀ, ଅବକାରୀ ବିଭାଗ ଓ ବନ ବିଭାଗ ସଦଳବଳେ ପହଂଚି ଚଢ଼ାଉ କରିଥିଲେ । ଏସବୁ ଗଛକୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ନଷ୍ଟ କରାଯାଇଛି । ଏହା ଅଫିମ ଚାଷ ନୁହେଁ ବରଂ ଚାଇନା ଗଛ ବୋଲି ସ୍ଥାନୀୟ ଲୋକେ ଜାଣିଥିବା କହୁଛନ୍ତି । ଏହି ଚାଷ ସମ୍ପର୍କରେ କିଛି ଜାଣି ନଥିବା ସ୍ଥାନୀୟ ଲୋକେ କହୁଥିବା ବେଳେ, ଏହାର ଦେଖାରେଖା କରୁଥିବା ଜଣେ ଲୋକକୁ ଅଟକ ରଖି ପଚରା ଉଚୁରା କରୁଛି ପୋଲିସ । ଏହି ଅଫିମ ଗଛର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଆକଳନ କରାଯାଉଛି ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA