ରୁପାକୁଣ୍ଡ ସମ୍ମୁଖ ପୋଲ ନିର୍ମାଣ କଲା କିଏ
ଚମ୍ପୁଆ, ୧୯ ଫେବୃଆରୀ (ହି.ସ.)- ନିମ୍ନମାନ ଉନ୍ନୟନ କାର୍ଯ୍ୟର ନଗ୍ନ ଉଦାହରଣ ପାଲଟିଛି ଚମ୍ପୁଆ। ଗୋଟିଏ ପରେ ଗୋଟିଏ ପଦାରେ ପଡୁଛି ସ୍ଥାନୀୟ ପ୍ରଶାସନର କଳା କାରନାମା। ଗ୍ରାମାଞ୍ଚଳର ବିକାଶ ପାଇଁ ସରକାର ଯୋଜନା ଉପରେ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଚମ୍ପୁଆ ଅଞ୍ଚଳର ବିଭିନ୍ନ
ଏ ପୋଲ ନିର୍ମାଣ କଲା କିଏ?


ଚମ୍ପୁଆ, ୧୯ ଫେବୃଆରୀ (ହି.ସ.)- ନିମ୍ନମାନ ଉନ୍ନୟନ କାର୍ଯ୍ୟର ନଗ୍ନ ଉଦାହରଣ ପାଲଟିଛି ଚମ୍ପୁଆ। ଗୋଟିଏ ପରେ ଗୋଟିଏ ପଦାରେ ପଡୁଛି ସ୍ଥାନୀୟ ପ୍ରଶାସନର କଳା କାରନାମା। ଗ୍ରାମାଞ୍ଚଳର ବିକାଶ ପାଇଁ ସରକାର ଯୋଜନା ଉପରେ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଚମ୍ପୁଆ ଅଞ୍ଚଳର ବିଭିନ୍ନ ଉର୍ନ୍ନତି ମୂଳକ କାର୍ଯ୍ୟ ଗୁଡିକରେ ବ୍ୟାପକ ଅନିୟମିତତା ହେଉଥିବା ଦେଖିବାକୁ ମିଳୁଛି। କେଉଁଠି ବିନା ସୂଚନା ଫଳକରେ ଠିକାଦାର ନିମ୍ନମାନର କାମ କରି ଅନୁଦାନ ଟଙ୍କା ହଡପ କରୁଛନ୍ତି ତ ଆଉ କେଉଁଠି ଅଧିକାରୀ ଓ ଠିକାଦାର ସଲାସୁତରାରେ ଅନୁଦାନ ଟଙ୍କା ବାଟ ମାରଣା ହେଉଥିଲେ ମଧ୍ୟ କର୍ତୃପକ୍ଷ ନିରବଦ୍ରଷ୍ଟା ସାଜୁଛନ୍ତି। ଫଳରେ କର୍ତୃପକ୍ଷଙ୍କ କାର୍ଯ୍ୟକଳାପକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଏପରି ଏକ ଘଟଣା ଦେଖିବାକୁ ମିଳିଛି ଚମ୍ପୁଆ ବ୍ଲକ ରରୁଆଁଗୋଡ଼ା ପଞ୍ଚାୟତ ଅନ୍ତର୍ଗତ କେମୁଣ୍ଡିଆ ରୁପାକୁଣ୍ଡ ମନ୍ଦିର ସମ୍ମୁଖ ଗ୍ରାମ୍ୟ ରାସ୍ତାରେ। ରୁପାକୁଣ୍ଡ ମନ୍ଦିର ସମ୍ମୁଖ ମୋରହମ ରାସ୍ତା ଉପରେ ଏକ କଂକ୍ରିଟ ପୋଲ ନିର୍ମାଣ କରାଯାଇଛି। କିନ୍ତୁ, ଏହା କିଏ କରିଛି, କେଉଁ ବିଭାଗର, କେତେ ଟଙ୍କା ଅନୁଦାନରେ ହୋଇଛି ସେ ସମ୍ପର୍କିତ କୌଣସି ସୂଚନା ଫଳକ ମରାଯାଇ ନାହିଁ। ଫଳରେ କାର୍ଯ୍ୟ ସମ୍ପର୍କିତ କୌଣସି ତଥ୍ୟ ଜଣା ପଡୁନାହିଁ।

କାର୍ଯ୍ୟ ଆରମ୍ଭ ପୂର୍ବରୁ ସୂଚନା ଫଳକ ମାରିବାର ନିୟମ ରହିଥିବାବେଳେ ଏଠାରେ ତାହା ଖୋଲାଖୋଲି ଉଲଂଘନ କରାଯାଇଥିବା ଦେଖିବାକୁ ମିଳିଛି। ସୂଚନା ଫଳକ ନଲେଖି ନିମ୍ନମାନର କାମ କରି ବିଧିବଦ୍ଧ ଭାବେ ଅନୁଦାନ ଅର୍ଥକୁ ହଡପ କରାଯାଇଥିଲେ ମଧ୍ୟ କର୍ତୃପକ୍ଷ ନିରବଦ୍ରଷ୍ଟା ସାଜିଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖିବାକୁ ମିଳିଛି। ତେବେ ବିନା ସୂଚନା ଫଳକରେ ନିର୍ମାଣ କରାଯାଇଥିବା ଏହି ପୋଲର କାର୍ଯ୍ୟ ଏତେ ନିମ୍ନ ମାନର ହୋଇଛି ଯେ ତାହା କେତେ ଦିନ ପର୍ଯ୍ୟନ୍ତ ଲୋକଙ୍କୁ ସେବା ଯୋଗେଇବ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।

ଉକ୍ତ ପୋଲ ନିର୍ମାଣ ସମ୍ପର୍କରେ ରରୁଆଁଗୋଡ଼ା ସରପଞ୍ଚ, ପିଇଓଙ୍କୁ ପଚାରିବାରୁ ଏ ପୋଲ କିଏ କେଉଁ ବିଭାଗରୁ ନିର୍ମାଣ କରାଯାଇଛି ଜାଣି ନ ଥିବା ପ୍ରକାଶ କରିଥିବା ବେଳେ, ରରୁଆଁ ଗୋଡ଼ା ପଞ୍ଚାୟତ ଦାୟିତ୍ୱରେ ଥିବା ବ୍ଲକ ଜେଇ ମଧ୍ୟ ପୋଲ ସମ୍ପର୍କରେ କିଛି ଜାଣି ନ ଥିବା କହିଛନ୍ତି। କିଛି ଗ୍ରାମବାସୀ ଏହା ଚମ୍ପୁଆ ବ୍ଲକ କାମ ନ ହେଲେ ବାଲି ମାଫିଆଙ୍କ କାମ ହୋଇଥାଇ ପାରେ ବୋଲି କହିଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି ଯଦି ଏହି ପୋଲ ନିର୍ମାଣ କାର୍ଯ୍ୟ ଚମ୍ପୁଆର କୌଣସି ଉନ୍ନୟନ ବିଭାଗ ପକ୍ଷରୁ ହୋଇଛି ତେବେ ସୂଚନା ଫଳକ ମରାଗଲା ନାହିଁ କାହିଁକି ? ପୋଲ ନିର୍ମାଣ ସ୍ଥାନକୁ ଲୋକଙ୍କ ଚଳାଚଳ କମ ଥିବାରୁ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ନିମ୍ନ ମାନର କାମ କରି ବିଧିବଦ୍ଧ ଭାବେ ଅନୁଦାନ ଟଙ୍କାକୁ ହଡପ କରା ଯାଇ ନାହିଁ ତ ?

ଅନ୍ୟପକ୍ଷରେ ଯଦି ଏହି ପୋଲ ବାଲି ମାଫିଆ ମାନେ ନିର୍ମାଣ କରିଛନ୍ତି ତେବେ ସ୍ଥାନୀୟ ପ୍ରଶାସନ ଜାଣି ପାରିଲା ନାହିଁ କେମିତି ? ଏହା କୌଣସି ଗୋଟିଏ ଦିନର କାମ ନୁହେଁ, ଦୀର୍ଘ ଦିନ ଧରି ପୋଲ ନିର୍ମାଣ କାର୍ଯ୍ୟ ହୋଇଛି କିନ୍ତୁ ପଞ୍ଚାୟତ କି ବ୍ଲକ କୌଣସି କର୍ତୃପକ୍ଷ ଜାଣି ପାରିଲେ ନାହିଁ କେମତି ? ବାଲି ମାଫିଆ ମାନେ କେଉଁ ଅଧିକାରୀଙ୍କ ସାହସରେ ଏହି କଂକ୍ରିଟ ପୋଲ ନିର୍ମାଣ କରି ବାଲି ଚୋରା ଚାଲାଣ କରୁଛନ୍ତି ? ତାହା ଏଠାରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ତେଣୁ ଏଥିରୁ ସ୍ଥାନୀୟ ପ୍ରଶାସନର କାର୍ଯ୍ୟ କଳାପ ସ୍ପଷ୍ଟ ବାରିହୋଇ ପଡୁଛି ଯାହା ତଦନ୍ତ ସାପେକ୍ଷ। ତେଣୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବୀ ହେଉଛି।

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande