
ବଲାଙ୍ଗିର, ୧୯ ଫେବୃଆରୀ (ହି.ସ.)- ଓଡ଼ିଶାରେ ମାଓବାଦୀ କାର୍ଯ୍ୟକଳାପ ଉପରେ ରୋକ୍ ଲଗାଇବା ପାଇଁ ପୋଲିସ ପକ୍ଷରୁ ଏକ ନୂତନ ଏବଂ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି । 'ମାଓବାଦୀ ଧରାଇ ଦିଅନ୍ତୁ, ପୁରସ୍କାର ପାଆନ୍ତୁ' ନାମରେ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି ପୋଲିସ । ଏହି ଅଭିଯାନ ମାଧ୍ୟମରେ ମାଓବାଦୀଙ୍କ ବିଷୟରେ ସୂଚନା ଦେଉଥିବା ବ୍ୟକ୍ତିଙ୍କୁ ଆକର୍ଷଣୀୟ ନଗଦ ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି । ବଲାଙ୍ଗିର ଜିଲ୍ଲାର ଲାଲଗଡ଼ ରୂପେ ପରିଚିତ ଗନ୍ଧମାର୍ଦ୍ଦନ ଅଂଚଳରେ ପୋଲିସ ପକ୍ଷରୁ ଏହି ପୋଷ୍ଟର ଲଗାଯାଇଛି । ଏହି ପୋଷ୍ଟରେ ଉଲ୍ଲେଖ କରାଯାଇଛି ଯେ, ହାର୍ଡ଼କୋର୍ ମାଓବାଦୀଙ୍କୁ ଧରାଇଦେଲେ ପୁରସ୍କାର ଦିଆଯିବ ।
ବଲାଙ୍ଗୀର ପୋଲିସ ପକ୍ଷରୁ ଗନ୍ଧମାର୍ଦ୍ଦନ ପାହାଡ଼ ତଳି ଅଂଚଳ ଏବଂ ବିଭିନ୍ନ ଦୁର୍ଗମ ଅଂଚଳରେ ରହିଥିବା ଗ୍ରାମରେ ବ୍ୟାପକ ପୋଷ୍ଟର ଲଗାଯାଇଛି । ଖପ୍ରାଖୋଲ, ହରିଶଙ୍କର ଏବଂ ନାନ୍ଦୁପଲା ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କରେ ଏହି ପୋଷ୍ଟର ମରାଯାଇ ଲୋକଙ୍କୁ ସଚେତନ କରାଯାଉଛି । ପୋଲିସର ଏହି ପଦକ୍ଷେପର ମୂଳ ଲକ୍ଷ୍ୟ ହେଉଛି ସ୍ଥାନୀୟ ଲୋକଙ୍କ ସହଯୋଗରେ ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖିବା ଏବଂ ମାର୍ଚ୍ଚ ମାସ ସୁଦ୍ଧା ମାଓବାଦୀଙ୍କୁ ଦମନ କରିବା ।
ପୋଲିସ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁଯାୟୀ, ଯେଉଁ ବ୍ୟକ୍ତି ମାଓବାଦୀଙ୍କ ଗତିବିଧି, ଆଶ୍ରୟସ୍ଥଳୀ କିମ୍ବା ଅନ୍ୟ କୌଣସି ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିବେ, ସେମାନଙ୍କୁ ପୋଲିସ ପକ୍ଷରୁ ନଗଦ ଅର୍ଥରାଶି ପୁରସ୍କାର ସ୍ୱରୂପ ପ୍ରଦାନ କରାଯିବ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସୂଚନା ପ୍ରଦାନକାରୀଙ୍କ ପରିଚୟ ସମ୍ପୂର୍ଣ୍ଣ ଗୋପନ ରଖାଯିବ ବୋଲି ପୋଲିସ ପ୍ରତିଶ୍ରୁତି ଦେଇଛି । ଏଥିପାଇଁ ପୋଷ୍ଟରରେ ନିର୍ଦ୍ଦିଷ୍ଟ ମୋବାଇଲ ନମ୍ବର ମଧ୍ୟ ଜାରି କରାଯାଇଛି, ଯାହା ମାଧ୍ୟମରେ ଲୋକମାନେ ସିଧାସଳଖ ପୋଲିସ ସହ ଯୋଗାଯୋଗ କରିପାରିବେ । କେବଳ ସୂଚନା ସଂଗ୍ରହ ନୁହେଁ, ଏହି ଅଭିଯାନ ମାଧ୍ୟମରେ ମାଓବାଦୀମାନଙ୍କୁ ମୁଖ୍ୟସ୍ରୋତକୁ ଫେରିଆସିବା ପାଇଁ ମଧ୍ୟ ଆହ୍ୱାନ କରାଯାଇଛି । ସରକାରଙ୍କ ଆତ୍ମସମର୍ପଣ ଓ ଥଇଥାନ ନୀତି ଅନୁଯାୟୀ, ଆତ୍ମସମର୍ପଣ କରୁଥିବା ମାଓବାଦୀ ମାନଙ୍କୁ ଆର୍ଥିକ ସହାୟତା, ଘର ଏବଂ ରୋଜଗାରର ସୁଯୋଗ ଯୋଗାଇ ଦିଆଯିବ ବୋଲି ଏହି ପୋଷ୍ଟରରେ ଉଲ୍ଲେଖ କରାଯାଇଛି । ହିଂସା ପରିତ୍ୟାଗ କରି ଶାନ୍ତିପୂର୍ଣ୍ଣ ଜୀବନଯାପନ କର ଏବଂ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ହୁଅ ବୋଲି ପୋଲିସ ଏହି ପୋଷ୍ଟର ମାଧ୍ୟମରେ ନିବେଦନ କରିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ