
ଝାରସୁଗୁଡ଼ା, ୧୯ ଫେବୃଆରୀ (ହି.ସ.)- ଓଡ଼ିଶା ସରକାରଙ୍କ ଏଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ ଓକାକ୍ ର ମିଳିତ ଆନୁକୂଲ୍ୟରେ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କର୍ମଶାଳା ପ୍ରଶାସନିକ ଦକ୍ଷତା ପାଇଁ କୃତ୍ରିମ ବୁଦ୍ଧିମତା ଉପକରଣ (ଏଆଇ) ଅନୁଷ୍ଠିତ ହୋଇଯାଇଛି। ଡିଜିଟାଲ୍ ରୂପାନ୍ତରଣ ଏବଂ ସରକାରୀ କାର୍ଯ୍ୟଧାରାରେ ଅଧିକ ସ୍ୱଚ୍ଛତା ତଥା କ୍ଷିପ୍ରତା ଆଣିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଜିଲ୍ଲା ଖଣିଜ ପାଣ୍ଠି ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କର୍ମଶାଳାରେ ଦୈନନ୍ଦିନ ପ୍ରଶାସନିକ କାର୍ଯ୍ୟରେ କୃତ୍ରିମ ବୁଦ୍ଧିମତାର ପ୍ରୟୋଗ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହି ଅବସରରେ ବିଭିନ୍ନ ବିଭାଗରୁ ଆସିଥିବା ୩୦ରୁ ଅଧିକ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀମାନେ ଯୋଗ ଦେଇଥିଲେ। ବିଶେଷ କରି 'ଜେନେରେଟିଭ୍ ଏଆଇ' ଏବଂ 'ଡାଟା ଆନାଲିଟିକ୍ସ' ବ୍ୟବହାର କରି କିଭଳି ସରକାରୀ ଫାଇଲ୍ ପରିଚାଳନା ଓ ଜନସେବା ପ୍ରଦାନ ପ୍ରକ୍ରିୟାକୁ ସହଜ କରାଯାଇପାରିବ, ସେ ନେଇ ପ୍ରଶିକ୍ଷଣ ଦିଆଯାଇଥିଲା।କର୍ମଶାଳାର ପ୍ରାୟୋଗିକ ଅଧିବେଶନରେ କିଭଳି ଏଆଇ ମାଧ୍ୟମରେ ସ୍ୱୟଂଚାଳିତ ଫାଇଲ୍ ସଂରକ୍ଷଣ, ବଡ଼ ବଡ଼ ଦସ୍ତାବିଜର ସଂକ୍ଷିପ୍ତ ସାରାଂଶ ପ୍ରସ୍ତୁତି ଏବଂ ସରକାରୀ ଚିଠି ପତ୍ରର ଚିଠା ଅତି କମ୍ ସମୟ ମଧ୍ୟରେ କରାଯାଇପାରିବ, ସେ ସମ୍ପର୍କରେ ପ୍ରଦର୍ଶନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ବ୍ରଜବନ୍ଧୁ ଭୋଇ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) କିଶୋର ଚନ୍ଦ୍ର ସ୍ୱାଇଁ, ଝାରସୁଗୁଡ଼ା ଉପ-ଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା ଏବଂ କର୍ମଶାଳାର ଜିଲ୍ଲା ନୋଡାଲ ଅଫିସର ତଥା ଡେପୁଟି କଲେକ୍ଟର ସୌମ୍ୟେଶ ଆଚାର୍ଯ୍ୟ ଉପସ୍ଥିତ ଥିଲେ। ଏହା ବ୍ୟତୀତ ବିଭିନ୍ନ ବିଭାଗର ଡେପୁଟି କଲେକ୍ଟର, ଆସିଷ୍ଟାଣ୍ଟ କଲେକ୍ଟର ଏବଂ କାର୍ଯ୍ୟାଳୟ କର୍ମଚାରୀମାନେ ଓଡ଼ିଶା ସରକାରଙ୍କ ଏହି ଦକ୍ଷତା ବିକାଶ ଅଭିଯାନରେ ଅଂଶଗ୍ରହଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ