ଓଭରଲୋଡ଼ିଂ ପାଉଁଶ ଗାଡି ଅଟକାଇଲେ ଗ୍ରାମବାସୀ : ୭ଟି ଭାରୀଯାନ ଜବତ, ୬.୪୪ ଲକ୍ଷ ଟଙ୍କା ଜରିମାନା ଆଦାୟ
Villagers detained over loaded ash vechile
ଓଭରଲୋଡ଼ିଂ ପାଉଁଶ ଗାଡି ଅଟକାଇଲେ ଗ୍ରାମବାସୀ : ୭ଟି ଭାରୀଯାନ ଜବତ, ୬.୪୪ ଲକ୍ଷ ଟଙ୍କା ଜରିମାନା ଆଦାୟ


ଝାରସୁଗୁଡା, ୧୯ ଫେବୃଆରୀ (ହି.ସ.)- ଝାରସୁଗୁଡା ସହରର ବଢ଼େଇମୁଣ୍ଡା ରାସ୍ତାରେ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଓଭରଲୋଡ଼ିଂ ପାଉଁଶ ବୋଝେଇ ଭାରୀଯାନ ଚଳାଚଳକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା। ବଢ଼େଇମୁଣ୍ଡା ଓ ଦେବାଡ଼ିହି ଗ୍ରାମବାସୀମାନେ ମିଶି ୭ଟି ପାଉଁଶ ବୋଝେଇ ଭାରୀଯାନକୁ ଅଟକ ରଖି ପ୍ରଶାସନକୁ ସୂଚନା ଦେଇଥିଲେ। ପରେ ପରିବହନ ବିଭାଗ ପକ୍ଷରୁ ପହଞ୍ଚି ଉକ୍ତ ଯାନଗୁଡିକୁ ଜବତ କରି ମୋଟ ୬ ଲକ୍ଷ ୪୪ ହଜାର ୩ଶହ ୧୦ ଟଙ୍କା ଜରିମାନା କାଟିଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ବେଆଇନ ଭାବେ ପାଉଁଶ ବୋଝେଇ କରି ୭ଟି ଭାରୀଯାନ ବଢ଼େଇମୁଣ୍ଡା ରାସ୍ତା ଦେଇ ଯାଉଥିବା ବେଳେ ଗ୍ରାମବାସୀମାନେ ପୂର୍ବ ଯୋଜନା ଅନୁଯାୟୀ ସେଗୁଡିକୁ ଅଟକ ରଖିଥିଲେ। ଗ୍ରାମବାସୀଙ୍କ ଅଭିଯୋଗ ଯେ, ଗତ ଦୁଇ ମାସ ଧରି ରାତ୍ରିବେଳେ ଜନଗହଳି ଶୂନ୍ୟ ସମୟରେ ଏହି ରାସ୍ତା ଦେଇ ଓଭରଲୋଡ଼ିଂ ପାଉଁଶ ପରିବହନ ହେଉଛି। ଫଳରେ ରାସ୍ତା ସାରା ପାଉଁଶ ପଡ଼ି ଧୂଳିକଣାରେ ପରିଣତ ହେଉଥିବାରୁ ଦେବାଡ଼ିହି ଓ ବଢ଼େଇମୁଣ୍ଡା ଗ୍ରାମବାସୀ ସହିତ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଦେବାଡ଼ିହି ଗ୍ରାମର ଦୁଷ୍ମନ୍ତ ପାଣ୍ଡେ କହିଛନ୍ତି ଯେ, ଏହି ସମସ୍ୟା ସମ୍ପର୍କରେ ଗତ ଜାନୁଆରୀ ୫ ତାରିଖରେ ଝାରସୁଗୁଡା ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରାଯାଇଥିଲା। ଜିଲ୍ଲାପାଳ ଜିଲ୍ଲା ପରିବହନ ଅଧିକାରୀଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ କୌଣସି ପ୍ରଭାବଶାଳୀ ପଦକ୍ଷେପ ନିଆଯାଇନଥିଲା। ଏହାକୁ ନେଇ ଅସନ୍ତୁଷ୍ଟ ହୋଇ ଗ୍ରାମବାସୀମାନେ ମଙ୍ଗଳବାର ରାତ୍ରିରେ ଯାନଗୁଡିକୁ ଅଟକ ରଖିଥିବା କହିଛନ୍ତି। ଆଗାମୀ ଦିନରେ ଏହି ରାସ୍ତା ଦେଇ ପାଉଁଶ ଗାଡି ଚଳାଚଳ କରିବାକୁ ଦେବେ ନାହିଁ ବୋଲି ସେମାନେ ସତର୍କ କରିଛନ୍ତି।

ଏନେଇ ଜିଲ୍ଲା ପରିବହନ ଅଧିକାରୀ ପ୍ରମୟ କୁମାର ମିଶ୍ର କହିଛନ୍ତି ଯେ, ଗ୍ରାମବାସୀମାନଙ୍କ ଦ୍ୱାରା ଅଟକ ରଖାଯାଇଥିବା ୭ଟି ବେଆଇନ ପାଉଁଶ ବୋଝେଇ ଭାରୀଯାନକୁ ମୋଟ ୬,୪୪,୩୧୦ ଟଙ୍କା ଜରିମାନା କରାଯାଇଛି। ଆଗାମୀ ଦିନରେ ଏହି ରାସ୍ତା ଦେଇ ଅନିୟମିତ ପାଉଁଶ ପରିବହନ ନ ହେବାକୁ ବିଶେଷ ଧ୍ୟାନ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande