
ଭୁବନେଶ୍ୱର, 19 ଫେବ୍ରୁଆରି (ହି.ସ.)- ଦଶମ ବୋର୍ଡ
ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ
ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା
ପରିଚାଳିତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଅଂଶଗ୍ରହଣ କରୁଥିବା ପ୍ରିୟ ଛାତ୍ରଛାତ୍ରୀମାନଙ୍କୁ
ଆନ୍ତରିକ ଶୁଭେଚ୍ଛା ଓ ଆଶୀର୍ବାଦ।
ମୁଖ୍ୟମନ୍ତ୍ରୀ କହିଛନ୍ତି
ଯେ, ମନେରଖ, ଏହା
କେବଳ ତୁମ ଶିକ୍ଷାଗତ ମୂଲ୍ୟାୟନ ନୁହେଁ, ବରଂ ଏହା ତୁମର ଧୈର୍ଯ୍ୟ, ସଂଯମ ଓ ଆତ୍ମବିଶ୍ୱାସର ଏକ ବାସ୍ତବ ଆକଳନ। କୌଣସି ପ୍ରକାର ମାନସିକ
ଚାପର ବଶବର୍ତ୍ତୀ ନହୋଇ, ସକାରାତ୍ମକ ମନୋଭାବ ଓ ଦୃଢ଼ ସଙ୍କଳ୍ପର ସହ ପରୀକ୍ଷା କେନ୍ଦ୍ରକୁ ଯାଅ; କାରଣ ଶାନ୍ତ ମନ ଓ ଅତୁଟ ବିଶ୍ୱାସ ହିଁ ଉତ୍କୃଷ୍ଟ ପ୍ରଦର୍ଶନର
ମୂଳମନ୍ତ୍ର। ତୁମମାନଙ୍କର ଅକ୍ଲାନ୍ତ ପରିଶ୍ରମ ଓ ନିଷ୍ଠା ନିଶ୍ଚୟ ଫଳବତୀ ହେବ ଏବଂ ତୁମକୁ
ଆଶାତୀତ ସଫଳତା ପ୍ରଦାନ କରିବ। ସମସ୍ତ ପରୀକ୍ଷାର୍ଥୀଙ୍କ ଉତ୍ତମ ପ୍ରଦର୍ଶନ ସହ ଏକ ଉଜ୍ଜ୍ୱଳ ଓ
ସଫଳ ଭବିଷ୍ୟତ କାମନା କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା