
ପୁରୀ, ୧୯ ଫେବୃଆରୀ (ହି.ସ.)- ନିଖିଳ ଓଡ଼ିଶା ଠିକାଦାର ମହାସଂଘ ପକ୍ଷରୁ ଗୁରବାର ଅପରାହ୍ନରେ ବିକ୍ଷୋଭ ଶୋଭାଯାତ୍ରା ଓ ଦୀପଦାନ ଅନୁଷ୍ଠିତ ହୋଇଯାଇଛି । ବଳଗଣ୍ଡି ମାଜଣା ଯାଗା ଠାରୁ ଠିକାଦାର ମାନଙ୍କ ଏକ ବିରାଟ ଶୋଭାଯାତ୍ରା ଶ୍ରୀମନ୍ଦିର ସିଂହଦ୍ଵାର ପର୍ଯ୍ୟନ୍ତ ଯାଇଥିଲା । ସରକାର ଠିକାଦାର ମାରଣାନୀତିକୁ ପ୍ରତ୍ଯାହାର ନକଲେ ଫେବୃଆରୀ ୨୦ ତାରିଖ ଠାରୁ ଭୁବନେଶ୍ବର ଲୋୟର ପିଏମଜି ଠାରେ ରାଜ୍ଯର ହଜାର ହଜାର ଠିକାଦାର ସରକାରଙ୍କୁ ଦାବିପତ୍ର ଦେବାସହ ଅନିର୍ଦ୍ଦିଷ୍ଟ କାର୍ଯ୍ୟ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ କରିବେ ବୋଲି ମହାସଂଘ ସୂଚନା ଦେଇଛି । ଏହି ଶାନ୍ତିପୂର୍ଣ୍ଣ ପ୍ରତିବାଦ ପଦଯାତ୍ରାରେ ୨ ଶହରୁ ଅଧିକ ଠିକାଦାର ଯୋଗ ଦେଇଥିଲେ । ରାଜ୍ଯ ସରକାର ଠିକାକାର୍ଯ୍ଯର ପୂର୍ବ ଟେଣ୍ଡର ନିୟମ, ପଦ୍ଧତି ପରିବର୍ତ୍ତନ କରି ନୂଆ ଢାଞ୍ଚାରେ ଗାଇଡ ଲାଇନ କରିଛନ୍ତି । ଅନଲାଇନ ମାଧ୍ୟମରେ ଜିରୋ ପର୍ସେଣ୍ଟ ରୁ ଅନଲିମିଟେଡ ପର୍ସେଣ୍ଟ ପର୍ଯ୍ୟନ୍ତ ଠିକାଦାର ମାନେ ଯେକୌଣସି କାର୍ଯ୍ୟ ପାଇଁ ଟେଣ୍ଡର ପକାଇ ପାରିବେ । ପୂର୍ବରୁ ୧୪.୯୯ ପ୍ରତିଶତ ଥିବାବେଳେ ଏହାକୁ ସିଡୁଲ୍ଡ ଅଫ ରେଟରେ ସିମୀତ ରଖାଗଲେ କାର୍ଯ୍ୟର ମାନ ଠିକ ରହିବ । ସଂଘ ନୂତନ ଟେଣ୍ଡର ନୀତିନିୟମକୁ ପୁନଃ ସମୀକ୍ଷା କରିବା ପାଇଁ ସଂଘ ଦାବି କରିଛି । ଆସନ୍ତା କାଲି ଶୁକ୍ରବାର ଠାରୁ ରାଜ୍ଯର ସମସ୍ତ ଠିକାଦାର ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ସହ ଭୁବନେଶ୍ବର ଲୋୟର ପିଏମଜି ଛକଠାରେ ଏକତ୍ରିତ ହୋଇ ସରକାରଙ୍କୁ ଦାବିପତ୍ର ଦେବାସହ ଆଗାମୀ କାର୍ଯ୍ୟପନ୍ଥା
ସମ୍ପର୍କରେ ନିଷ୍ପତ୍ତି ନେବେ ।
ଅଶୋକ କୁମାର ମିଶ୍ର, ଲୋକନାଥ ପଣ୍ଡା, ବିରେନ୍ଦ୍ର କୁମାର ମହାନ୍ତି ପ୍ରମୁଖଙ୍କ ନେତୃତ୍ବରେ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ।
ହିନ୍ଦୁସ୍ଥାନ ସମାଚାର / ବିଜୟ