
ଭୁବନେଶ୍ୱର, ୧୯ ଫେବୃଆରୀ (ହି.ସ.) - ଓଡ଼ିଶା ଅର୍ଥନୈତିକ ସର୍ଭେ ୨୦୨୫-୨୬ର ପ୍ରମୁଖ ବିଷୟ ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଲୋକପାତ କରିଛନ୍ତି। ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ ସୁଦୃଢ଼ ଅର୍ଥନୈତିକ ଅଭିବୃଦ୍ଧି ଉପରେ ମତ ରଖିଛନ୍ତି।
ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଆମ ଓଡ଼ିଶା ଆଜି ବିକାଶର ଏକ ସୁବର୍ଣ୍ଣ ଯୁଗକୁ ଆତ୍ମବିଶ୍ୱାସର ସହ ଅଗ୍ରସର ହେଉଛି। ‘ଓଡ଼ିଶା ଅର୍ଥନୈତିକ ସର୍ଭେ ୨୦୨୫-୨୬’ ରିପୋର୍ଟ ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଆଶାର ଏକ ନୂତନ ସନ୍ଦେଶ ନେଇଆସିଛି। ଏହି ରିପୋର୍ଟ କେବଳ ପରିସଂଖ୍ୟାନ ନୁହେଁ, ବରଂ ୪.୫ କୋଟି ଓଡ଼ିଆଙ୍କ ସଂକଳ୍ପ ଏବଂ ସେମାନଙ୍କ ପରିଶ୍ରମର ପ୍ରତିଫଳନ।
ଓଡ଼ିଶା ଅର୍ଥନୈତିକ ସର୍ଭେ ୨୦୨୫-୨୬ର ପ୍ରମୁଖ ବିଷୟ :
ସୁଦୃଢ଼ ଅର୍ଥନୈତିକ ଅଭିବୃଦ୍ଧି: ଆମ ରାଜ୍ୟର ଅର୍ଥନୀତି ୭.୯ ପ୍ରତିଶତ ହାରରେ ବୃଦ୍ଧି ପାଇ ଜାତୀୟ ଅଭିବୃଦ୍ଧି ହାର (୭.୪%) କୁ ଅତିକ୍ରମ କରିଛି। ରାଜ୍ୟର ଅର୍ଥନୈତିକ କଳେବର ବା ଜିଏସଡିପି ଏବେ ୯.୯ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି।
ସମୃଦ୍ଧ ପରିବାର: ଆମ ପ୍ରଗତିର ସୁଫଳ ଆଜି ପ୍ରତିଟି ପରିବାର ପାଖରେ ପହଞ୍ଚୁଛି। ରାଜ୍ୟର ମୁଣ୍ଡପିଛା ଆୟ ୯.୨ ପ୍ରତିଶତ ବୃଦ୍ଧି ପାଇ ୧,୮୬,୭୬୧ ଟଙ୍କା ହୋଇଛି, ଯାହା ପ୍ରମାଣ କରେ ଯେ ଆମ ପ୍ରଗତି ପ୍ରତ୍ୟେକ ପରିବାରର ସମୃଦ୍ଧିରେ ପ୍ରତିଫଳିତ ହେଉଛି।
ଅନ୍ନଦାତାଙ୍କୁ ସମ୍ମାନ: ଆମ ଅନ୍ନଦାତାଙ୍କ ନିଷ୍ଠା ଓ ପରିଶ୍ରମ ଯୋଗୁଁ ୨୦୨୪-୨୫ ବର୍ଷରେ ରେକର୍ଡ ୧୫୦ ଲକ୍ଷ ମେଟ୍ରିକ ଟନ୍ ଖାଦ୍ୟଶସ୍ୟ ଉତ୍ପାଦନ ହୋଇଛି। ଚାଷୀଙ୍କୁ ନ୍ୟାୟସଙ୍ଗତ ମୂଲ୍ୟ ପ୍ରଦାନ କରିବା ପାଇଁ ପ୍ରାୟ ୨୮,୦୦୦ କୋଟିରୁ ଅଧିକ ଟଙ୍କା ଏମଏସପି ଏବଂ ଇନପୁଟ୍ ସବସିଡି ଭାବେ ପ୍ରଦାନ କରାଯାଇଛି। ମତ୍ସ୍ୟ ଓ ପଶୁପାଳନ କ୍ଷେତ୍ରରେ ମଧ୍ୟ ଓଡ଼ିଶା ଦେଶରେ ଏକ ଶକ୍ତିଶାଳୀ ରାଜ୍ୟ ଭାବେ ଉଭା ହୋଇଛି।
ନାରୀ ଶକ୍ତିର ସଶକ୍ତିକରଣ: ‘ସୁଭଦ୍ରା’ ଏବଂ ‘ଲକ୍ଷପତି ଦିଦି’ ଭଳି ଯୋଜନା ଆଜି ମା’ ଭଉଣୀମାନଙ୍କ ପାଇଁ ପରିବର୍ତନର ବାହକ ସାଜିଛି। ରାଜ୍ୟରେ ଏବେ ୧୬.୪୨ ଲକ୍ଷ ‘ଲକ୍ଷପତି ଦିଦି’ ସଫଳତା ସହ ଆଗକୁ ବଢ଼ୁଛନ୍ତି ଏବଂ ଶ୍ରମଶକ୍ତିରେ ମହିଳାଙ୍କ ଅଂଶଗ୍ରହଣ ୪୮.୭ ପ୍ରତିଶତକୁ ବୃଦ୍ଧି ପାଇବା ଏକ ଶୁଭ ସଙ୍କେତ।
ଶିଳ୍ପ, ପୁଞ୍ଜିନିବେଶ ଓ ନିଯୁକ୍ତି: ଓଡ଼ିଶା ଆଜି ଦେଶର ପ୍ରମୁଖ ଶିଳ୍ପ କେନ୍ଦ୍ରରେ ପରିଣତ ହୋଇଛି। ଗତ ଗୋଟିଏ ବର୍ଷ ମଧ୍ୟରେ ୫.୬୬ ଲକ୍ଷ କୋଟି ଟଙ୍କାର ନୂତନ ପ୍ରକଳ୍ପକୁ ଅନୁମୋଦନ ଦେଇ ଲକ୍ଷାଧିକ ଯୁବକଯୁବତୀଙ୍କ ପାଇଁ ନିଯୁକ୍ତିର ସୁଯୋଗ ସୃଷ୍ଟି କରାଯାଇଛି।
ଶିକ୍ଷା ଓ ସ୍ୱାସ୍ଥ୍ୟ: ଆମର ଆଗାମୀ ପିଢ଼ିକୁ ସମର୍ଥ କରିବା ପାଇଁ ସ୍କୁଲ ଓ ଗଣଶିକ୍ଷା ବଜେଟ୍ ରେ ୩୮.୪ ପ୍ରତିଶତ ବୃଦ୍ଧି କରାଯାଇଛି। ‘ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା’ ଏବଂ ଅନ୍ୟାନ୍ୟ ଯୋଜନା ମାଧ୍ୟମରେ ସମାଜର ଶେଷ ଧାଡ଼ିରେ ଥିବା ବ୍ୟକ୍ତିଙ୍କ ପାଖକୁ ଉତମ ଚିକିତ୍ସା ସୁବିଧା ପହଂଚାଯାଉଛି।
ଭିତିଭୂମି ଓ କ୍ରୀଡ଼ା: ନୂଆ ରେଳ ଲାଇନ ସଂଯୋଗ, ବନ୍ଦର କ୍ଷମତା ବୃଦ୍ଧି ଏବଂ ବେସାମରିକ ବିମାନ ଚଳାଚଳରେ ରୂପାନ୍ତରକାରୀ ପଦକ୍ଷେପ ନିଆଯାଇଛି। ଓଡ଼ିଶା ଆଜି ବିଶ୍ୱ ମଂଚରେ ‘ଭାରତର କ୍ରୀଡ଼ା ରାଜଧାନୀ’ ଭାବେ ନିଜ ସ୍ୱତନ୍ତ୍ର ପରିଚୟ ବଜାୟ ରଖିଛି।
ଆର୍ôଥକ ଶୃଙ୍ଖଳା: ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଦ୍ରୁତ ବିକାଶ ସତ୍ୱେ ଆମେ ରାଜ୍ୟର ଋଣ ଭାରକୁ ମାତ୍ର ୧୩.୬ ପ୍ରତିଶତରେ ସୀମିତ ରଖିପାରିଛୁ, ଯାହା ଆମର ସୁସ୍ଥ ଆର୍ôଥକ ପରିଚାଳନାର ପରିଚୟ।
ଏହି ସମୃଦ୍ଧି ଆପଣଙ୍କର, ଏହି ବିକାଶ ଆପଣଙ୍କର। ଆସନ୍ତୁ ସମସ୍ତେ ମିଶି ଏକ ସଶକ୍ତ, ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଢ଼ିବା ପାଇଁ ସଂକଳ୍ପବଦ୍ଧ ହେବା।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା