
ଜୟପୁର, ୧୯ ଫେବୃଆରୀ (ହି.ସ.)- କୋରାପୁଟ ଜିଲ୍ଲା ବୈପାରୀଗୁଡା ଥାନା ଅନ୍ତର୍ଗତ ଗୁପ୍ତେଶ୍ୱର ପଂଚାୟତ ବାଦୁଡ଼ି ପାହାଡ ନିକଟରେ ଥିବା ସାବରୀନଦୀ କୂଳରୁ ଅଗ୍ନିଶମ ଓଡ୍ରାଫ ବାହିନୀ ଦୁଇଟି ଗଳିତ ଶବ ଉଦ୍ଧାର କରିଛନ୍ତି l ଗୁରୁବାର ଶବ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ବୋଲି ଜଣାଯାଇଛି l ମୃତକ ଦଣ୍ଡାବାଡ଼ି ଗାଁ ର ଲଳିତ ପୂଜାରୀ ଏବଂ ତାଙ୍କ ଚାରି ବର୍ଷୀୟ ସାନ ଝିଅ ଗେଲି ପୂଜାରୀ ବୋଲି ଜଣାପଡିଛି l ମାଛ ଧରିବାକୁ ଯାଇ ବାଦୁଡ଼ି ପାହାଡ଼ରେ ନିଖୋଜ ଥିଲେ ପୁରା ପରିବାର l ଚାରି ସଦସ୍ୟ ମଧ୍ୟରୁ ବାପା ଓ ସାନ ଝିଅଙ୍କ ଶବ ମିଳିଥିବା ବେଳେ ସାତ ମାସର ଗର୍ଭବତୀ ମାଆ ଓ ବଡ଼ ଝିଅରେ ପତ୍ତା ମୁଳୁନି l ସେପଟେ ଅଗ୍ନିଶମ ବାହିନୀ, ପୋଲିସ ପ୍ରଶାସନ ଓ ଗ୍ରାମବାସୀ ଘଟଣା ସ୍ଥଳରେ ଖୋଜାଖୋଜି ଜାରି ରଖିଛନ୍ତି l
ସୂଚନା ଥାଉକି, ଦଣ୍ଡାବାଡ଼ି ଗାଁ ର ଲଳିତ ପୂଜାରୀ ଗତ ଫେବୃଆରୀ ଏକ ତାରିଖ ଦିନ ନିଜ ସ୍ତ୍ରୀ ଓ ଦୁଇ ନାବାଳିକଙ୍କୁ ନେଇ ମାଛ ଧରିବାକୁ ବାଦୁଡ଼ି ପାହାଡକୁ ଯାଇଥିଲେ l ସେମାନେ ଘରକୁ ନ ଫେରିବାରୁ ପରିବାର ଲୋକେ ଏବଂ ଗ୍ରାମବାସୀ ଖୋଜାଖୋଜି ଆରମ୍ଭ କଲେ l ଏହି ସମୟରେ ବାଦୁଡ଼ି ପାହାଡ଼ ନିକଟରେ ଥିବା ସାବରୀ ନଦୀ କୂଳରେ ନିଖୋଜ ଚାରି ସଦସ୍ୟଙ୍କ ପୋଷାକ, ଲୁଙ୍ଗି, ଶାଢ଼ୀ, ଚପଲ, ମୋବାଇଲ, ଆଧାର କାର୍ଡ ଏବଂ ମାଛ ଜାଲ ପଡିଥିବା ଦେଖିବାକୁ ପାଇଥିଲେ l ଏନେଇ ଥାନା ଦ୍ୱାରସ୍ଥ ହୋଇଥିଲେ ସ୍ଥାନୀୟ ସରପଞ୍ଚ ଛେଣ୍ଡିଆ ଖିଲଙ୍କ ସମେତ ପରିବାର ଲୋକେ l ଥାନା ଅଧିକାରୀ ଡମ୍ବୁରୁ ବର୍ତିଆଙ୍କ ନେତୃତ୍ୱରେ ନିଖୋଜଙ୍କୁ ଖୋଜିବା ପାଇଁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ l ଏଥିରେ ବୈପାରୀଗୁଡା ତହସିଲଦାର, ରାମଗିରି ଫାଣ୍ଡି ଅଧିକାରୀ ବିଷ୍ଣୁ ମାଡକାମୀ, କୋରାପୁଟ ପୋଲିସ ସାଇଣ୍ଟିଫିକ ଟିମ ସହ ସନ୍ଧନୀ କୁକୁର, ଏବଂ ମଧ୍ୟ ସାମିଲ ଥିଲେ l ଆଜି ଅଗ୍ନିଶମ ବାହିନର ଓଡ୍ରାଫ ଟିମ ଖୋଜିବା ସମୟରେ ବାପା ଓ ସାନ ଝିଅର ଶବ ଉଦ୍ଧାର ହୋଇଛି, ପୁଣି ସ୍ୱତନ୍ତ୍ର ବୋଟ ସାହାଯ୍ୟରେ ମାଆ ଓ ବଡ଼ ଝିଅକୁ ଖୋଜା ହେବ ବୋଲି ଜଣାପଡିଛି l
ହିନ୍ଦୁସ୍ଥାନ ସମାଚାର / ପିକେପି