
ବୌଦ୍ଧ, ୧୯ ଫେବୃଆରୀ (ହି.ସ.)- ପ୍ରଶାସନର ପ୍ରୋତ୍ସାହନ ଓ ରାଜନୈତିକ ସଂରକ୍ଷଣ ଯୋଗୁଁ ବୌଦ୍ଧ ଜିଲ୍ଲାରେ ବେଆଇନ ବାଲି ଓ ଗଂଜେଇ ଚାଲାଣ ବୃଦ୍ଧି ପାଇଛି l ପ୍ରଶାସନ ଓ ମାଫିଆଙ୍କ ମଧ୍ୟରେ ମଧୂଚନ୍ଦ୍ରିକା ଚାଲିଥିବାରୁ ଜିଲାରେ ଏହି ବେଆଇନ ଚାଲାଣ ଖୋଲାଖୋଲି ଭାବେ ହେଉଥିବା ନେଇ ବୌଦ୍ଧର ପୂର୍ବତନ ବିଧାୟକ ସୂଜିତ କୁମାର ପାଢୀ ଏକ ସାମ୍ବାଦିକ ସମ୍ମିଳନିରେ ଅଭିଯୋଗ କରିଛନ୍ତି l ଜିଲ୍ଲାରେ ନିଯୁକ୍ତି ସୁଯୋଗର ଅଭାବ ରହିଛି ଯାହାଫଳରେ ଗଂଜେଇ ଚାଷ ଓ ଚାଲାଣ ଏକ କୁଟୀର ଶିଳ୍ପରେ ପରିଣତ ହୋଇଛି l ବୌଦ୍ଧ ଜିଲ୍ଲାରେ ଦିନକୁ ଦିନ ବାଲି ଚାଲଣ ଓ ଗଂଜେଇ ଚାଲାଣ ବୃଦ୍ଧି ପାଇବାରେ ଲାଗିଛି । ପ୍ରଶାସନ ଏହାକୁ ରୋକିବାରେ ବିଫଳ ହୋଇଛି । ପ୍ରଶାସନ, ବାଲି ମାଫିଆ ଓ ଗଂଜେଇ ମାଫିଆଙ୍କ ମଧୂଚନ୍ଦ୍ରିକା ଯୋଗୁଁ ଜିଲ୍ଲାରେ ବାଲି ଓ ଗଂଜେଇ ଚାଲାଣ ବୃଦ୍ଧି ପାଉଛି ବୋଲି ତୀବ୍ର ସମାଲୋଚନା କରିଥିଲେ । ସ୍ଥାନିୟ ସର୍କିଟହାଉସ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନିରେ ପୂର୍ବତନ ବିଧାୟକ ଶ୍ରୀ ପାଢୀ ଅଭିଯୋଗ କରିଛନ୍ତି ଯେ, ସାରା ଓଡିଶାରେ ବାଲି ଚୋରା ଚାଲାଣ ବୃଦ୍ଧି ପାଉଛି । ବାଲି ମାଫିଆଙ୍କ ଦୌରାତ୍ମ ଏପରି ବଢିଯାଇଛି ଯେ ମାଫିଆମାନେ ଅଧିକାରୀ ଓ ପୁଲିସଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି । ହେଲେ ବୌଦ୍ଧ ଜିଲ୍ଲାରେ ଏପର୍ଯ୍ୟନ୍ତ ସେଭଳି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ । ବୌଦ୍ଧ ଜିଲ୍ଲାରେ କେତେକ ସ୍ଥାନରେ ବେଆଇନ ଚାଲାଣ ହେଉଥିବା ନେଇ ଗତ ୧୪ ତାରିଖ ଦିନ ଜିଲ୍ଲାପାଳଙ୍କୁ ମେଲ ମାଧ୍ୟମରେ ଜଣାଇଥିଲି । ଏହା ସହିତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ରାଜସ୍ୱ ବିଭାଗ,ରାଜସ୍ୱ ଡିଭିଜନ ସମ୍ବଲପୁରକୁ ମଧ୍ୟ ତାହାର ଏକ କପି ପଠାଯାଇଛି । ହେଲେ ଚାରି ଦିନ ମଧ୍ୟରେ ଜିଲ୍ଲାପାଳଙ୍କ ଠାରୁ ନା କୌଣସି ଉତ୍ତର ମିଳିଲା ନା ସେହି ଚିଠିର ପ୍ରାପ୍ତି ସ୍ୱୀକାର କଲେ । ସରକାରୀ ନିୟମ ଅନୁସାରେ ଯଦି କୌଣସି ବିଧାୟକ କିମ୍ବା ପୂର୍ବତନ ବିଧାୟକ ଅଧିକାରୀଙ୍କୁ ପତ୍ର ପ୍ରଦାନ କରେ ତାହାହେଲେ ସରକାରୀ ନିୟମ ଅନୁଯାଇ ତାହାର ପ୍ରାପ୍ତି ସ୍ୱୀକାର ୨୪ ଘଣ୍ଟା ମଧ୍ୟରେ ହେବା ଦରକାର ତାହାପରେ ଯଦି ସେହିପତ୍ର ଦ୍ୱାରା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହାହେଲେ ସେ ବିଷୟରେ ଜଣାଇଦେବା କଥା ହେଲେ ପ୍ରଶାସନକୁ ଗତ ୧୪ ତାରିଖରୁ ଜଣାଇ ଥିଲେ ମଧ୍ୟ ପ୍ରଶାସନ ନିରବ ରହିଛି । ଗତ କିଛିଦିନ ତଳେ ଜିଲ୍ଲାପାଳ ମହାନଦୀର ଏକ ନିର୍ଦ୍ଦିଷ୍ଟ ବାଲି ଘାଟକୁ ଯାଇ ରାତିଅଧରେ ସେଠାରେ ଚଢଉ କରିଛନ୍ତି । ହରଭଙ୍ଗା ବାଲି ଘାଟର ଅବଧି ଗତ ୧୬ ଡିସେମ୍ବରରୁ ସରିଯାଇଛି । ହେଲେ ଟେଣ୍ଡର ଅବଧି ସରିସାରିଥିଲେ ମଧ୍ୟ ସେଠାରେ ଆଜିବି ବାଲି ଚାଲାଣ ଚାଲିଛି । ହେଲେ ପ୍ରଶାସନ ତରଫରୁ ତାର ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ସେଠାରେ ତାଙ୍କୁ ୧୨.୫୫ ଏକର ଲିଜ ଦିଆଯାଇଥିଲା । ବର୍ତ୍ତମାନ ସେ ଉକ୍ତ ସ୍ଥାନ ବାହାରୁ ୪୦ ଏକର ଜାଗାରୁ ବାଲି ଉତ୍ତଲନ କରିସାରିଲେଣି । ଏନଭରମେଣ୍ଟାଲ ପ୍ରଦ୍ୟୁଷଣ ପ୍ରମାଣ ପତ୍ର ମଧ୍ୟ ନାହିଁ । ସେହିପରି ସାକୁସିଙ୍କା ବାଲି ଘାଟର ଅବଧି ଗତ ୧୬ ଡିସେମ୍ବରରୁ ସରିଯାଇଛି । ତାକୁ ମଧ୍ୟ ୧୨.୫୫ ଏକ ଜାଗା ଲିଜ ଦିଆଯାଇଥିଲା । ଏହାର ମଧ୍ୟ ପୋଲ୍ୟୁସନ ପ୍ରମାଣପତ୍ର ନାହିଁ । ଅଧିକ ୨୦ ଏକର ଜାଗାରୁ ବାଲି ଉତ୍ତଳନ କରୁଥିବା ବେଳେ ଆଜି ମଧ୍ୟ ବାଲି ଚାଲାଣ ଯାରି ରହିଛି । ସେହିପରି ଡିଆଁଘାଟର ଲାଇସେନ୍ସ ଅବଧି ସରିନ ଥିଲେ ମଧ୍ୟ ସେଠାରୁ ଦିନ ରାତି ବାଲି ଚାଲାଣ ଚାଲିଛି । ବିନା ଟ୍ରାଂଜିଟ ପାସରେ ଶହ ଶହ ଟ୍ରିପ ବାଲି ଚାଲାଣ ହେଉଛି । ସୁରଣ୍ଡିରେ ମଧ୍ୟ ବାଲି ଚାଲାଣ ଲାଗି ରହିଛି । କୃଷ୍ଣମୋହନପୁର ବାଲି ଘାଟରେ ଯେତିକି ଲିଜ ଦିଆଯାଇଥିଲା ତାହାଠାରୁ ଅଧିକ ୨୦ ଏକର ବାଲି ଉତ୍ତଳନ ହେଉଛି । ଉକ୍ତ ବାଲି ଘାଟକୁ ଦୁଇ ହଜାର କ୍ୟୁବିକ ମିଟର ଲିଜ ଦିଆଯାଇଥିଲା । ତାହା ମାର୍ଚ୍ଚ ସୁଦ୍ଧା ସାରିବା କଥା ହେଲେ ନଭେମ୍ବର ମାସ ସୁଦ୍ଧ ସେତିକି ପରିମାଣର ବାଲି ଉତ୍ତଳନ କରିବା ପରେ ଏପର୍ଯ୍ୟନ୍ତ ଆଉ କିଛି ଅଂଚଲରୁ ବାଲି ଉଠାଇ ସାରିଲେଣି । ଏପର୍ଯ୍ୟନ୍ତ ସେମାନେ ୩୫ ଶହ କ୍ୟୁବିକ ମିଟର ବାଲି ଉଠାଇ ସାରିଛନ୍ତି । ସେହିପରି ଧଳପୁର ପାଖରେ ଖରସଙ୍କୁଲେଇ ଠାରେ ଏକ ବେଆଇନ ଭାବରେ ବାଲି ଘାଟ କରାଯାଇ ବାଲି ଚାଲାଣ କରାଯାଉଛି । କେବଳ ପ୍ରଶାସନ ଗୋଟିଏ ମାତ୍ର ବାଲିଘାଟ ଉପରେ ଚଢଉ କରୁଥିବା ବେଳେ ପ୍ରାୟ ୪୦ କିଲୋମିଟର ଦୂର ମଧ୍ୟରେ ଏହି ସବୁ ବାଲି ଘାଟରୁ ବାଲି ଚାଲାଣ ହେଉଛି । ଏହାର ଡ୍ରୋନ ମାଧ୍ୟମରେ ସର୍ଭେ କରିବାକୁ ସେ ଜିଲ୍ଲାପାଳଙ୍କୁ ମେଲ ମାଧ୍ୟମରେ ଜଣାଇଥିବା ପ୍ରକାଶ କରିଥିଲେ । ସେହିପରି ଜିଲ୍ଲାରେ ଗଂଜେଇ ଚରାଭୂଇଁ ପାଲଟିଛି । ବାର୍ଷିକ ରିପୋର୍ଟ ଦେବା ପାଇଁ କିଛି କେସ କରାଯାଏ ବାକି ସବୁ ଛାଡି ଦିଆଯାଉଛି । ବୌଦ୍ଧରୁ ଗଂଜେଇ ଚାଲାଣ ହେଉଥିବା ବେଳେ ବାହାର ଜିଲ୍ଲାରେ ତାହା ଧରା ପଡୁଛି । ନିକଟ ଅତିତରେ ନାଗାଲାଣ୍ଡ ନମ୍ବର ଥିବା ଏକ କଂଟେନରରେ ବୌଦ୍ଧଜିଲ୍ଲାରୁ ଚୋରା ଚାଲାଣ ହେଉଥିବା ବେଳେ ସୋନପୁର ଜିଲ୍ଲା ସୁବଳିଆ ନିକଟରେ ପୁଲିସ ସେହି ଗାଡିରୁ ପ୍ରଚୁର ପରିମାଣର ଗଂଜେଇ ଜବତ କରିଥିଲା । ଏହି ଚାଲାଣରେ ମନମୁଣ୍ଡା ଥାନା ଅଂଚଳର ପ୍ରଶାନ୍ତ ପ୍ରଧାନ ତାର ମୁଖ୍ୟ ମାଷ୍ଟର ମାଇଣ୍ଡ ବୋଲି ସୋନପୁର ଏସପି ସେତେବେଳେ ସୂଚନା ଦେଇଥିଲେ । ଆଜି ଏତିକି ଦିନ ବିତିଯାଇଥିଲେ ମଧ୍ୟ କିଏ ସେ ପ୍ରସାନ୍ତ ପ୍ରଧାନ ବୌଦ୍ଧଜିଲ୍ଲା ପୁଲିସ ଖୋଜିକି ପାଇ ପାରୁନାହିଁ ବୋଲି ସେ ଅଭିଯୋଗ କରିଥିଲେ । ପ୍ରଶାନ୍ତ ପ୍ରଧାନର ନାମକୁ ଚାର୍ଜସିଟରୁ କାଟିଦେବା ପାଇଁ ସୋନପୁର ପୁଲିସ ସହିତ ଯୋଗସୂତ୍ର ରଖାଯାଉଛି । ବୌଦ୍ଧ ପୁଲିସ ତୁରନ୍ତ ପ୍ରଶାନ୍ତ ପ୍ରଧାନଙ୍କୁ ଧରି ତାହାସହିତ ଏଥିରେ କେଉଁମାନେ ସଂପୃକ୍ତ ଅଛନ୍ତି ସେମାନଙ୍କୁ ଧରିବାକୁ ସେ ଅନୁରୋଧ କରିଛନ୍ତି । ଯେଉଁ ଅଂଚଳ ଗୁଡିକରେ ଗଂଜେଇ ଚାଷ କରାଯାଉଥିବାର ଅଭିଯୋଗ ହେଉଛି ସେହି ଅଂଚଳରୁ ମାତ୍ର କିଛି ଅଂଶ ଗଂଜେଇ ଗଛ କଟାଯାଉଛି । ଯାହାକି ଧର୍ମକୁ ଆଖି ଠାର ବୋଲି ସେ ଅଭିଯୋଗ କରିଥିଲେ । ପାଂଚ ବର୍ଷ ତଲେ ଜିଲ୍ଲାରେ ଆନୁମାନିକ ତଥ୍ୟ ଅନୁସାରେ ୨୦ ହେକ୍ଟର ଜମିରେ ଚାଷ କରାଯାଉଥିବା ବେଳେ ବର୍ତ୍ତମାନ ଶହେ ହେକ୍ଟରରୁ ଅଧିକ ଅଂଚଳରେ ଚାଷ କରୋଯାଉଛି । ଜିଲ୍ଲାରେ ଗଂଜେଇ ଚାଷ ବଢି ବଢି ଚାଲିଛି । ପ୍ରଶାସନ ନିରବ ଦ୍ରଷ୍ଟା ସାଜିଛି l ସବୁ ପ୍ରଶାସନର ନିୟନ୍ତ୍ରଣରେ ଥିଲେ ମଧ୍ୟ କେଉଁଥିପାଇଁ ସେମାନେ ଧରି ପାରୁନାହାନ୍ତି ତାହା ଜଣାପଡୁନାହିଁ । ଗଂଜେଇ ଚାଷ ବଢିବାର କାରଣ ହେଉଛି ଜିଲ୍ଲାରେ ନିଯୁକ୍ତି ସୁଯୋଗର ଅଭାବ ରହିଛି ଯାହାଫଳରେ ଗଂଜେଇ ଚାଷ ଓ ଚାଲାଣ ବୃଦ୍ଧି ପାଉଛି । ସେଥିପାଇଁ ଜିଲ୍ଲା ପ୍ରଶାସନ ଏଦିଗରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ଓ ବୌଦ୍ଧ ଜିଲ୍ଲାକୁ ଗଂଜେଇ ମୁକ୍ତ ଘୋଷଣା କରନ୍ତୁ । ଯଦି ଗଂଜେଇ ମୁକ୍ତ କରିବାରେ ଅସମର୍ଥ ହେଉଛନ୍ତି ତାହାହେଲେ ଜିଲ୍ଲାରେ ଗଂଜେଇ ଚାଷକୁ କୃଷିର ମାନ୍ୟତା ଦେବାକୁ ସେ ସରକାରଙ୍କୁ ପ୍ରସ୍ତାବ ଦିଅନ୍ତୁ ।
ହିନ୍ଦୁସ୍ଥାନ ସମାଚାର / ସମ୍ପତ