
ଭୁବନେଶ୍ୱର,୧୯ ଫେବୃଆରୀ (ହି.ସ.) - ବାଲି ଚୋରାଚାଲାଣ ପ୍ରସଙ୍ଗରେ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ପ୍ରତିକ୍ରିୟା ରଖି କହିଛନ୍ତି ଯେ ପୂର୍ବ ସରକାରରେ ରେଡ୍, କାର୍ଯ୍ୟାନୁଷ୍ଠାନ ହେଉନଥିଲା ଏବଂ ବ୍ୟାପକ ଚୋରାଚାଲାଣ ରୋକା ଯାଉନଥିଲା। କିନ୍ତୁ ବିଜେପି ସରକାର ଆସିବା ପରେ ଦୃଢ଼ ହସ୍ତରେ ଦମନ କରାଯାଉଛି । ୨୦୨୩-୨୪ରେ ୧୦ କୋଟି ଜରିମାନା ଆଦାୟ ହୋଇଥିଲା, ତାହା ଏବେ ୪୮ କୋଟିରେ ପହଂଚିଛି । ସେତେବେଳର ୧୪୮୬ କୋଟି ଟଙ୍କାର ରାଜସ୍ୱ, ଏବେ ୧୭୭୬ କୋଟି ଟଙ୍କାରେ ପହଂଚିଛି । ଏବେ ପାଖାପାଖି ୭ ହାଜର ୮୦୦ ଥର ରେଡ ହେବା, ୧୧୦୦ରୁ ଅଧିକ କେସ ରେଜିଷ୍ଟର କରିବା ଏବଂ ପାଖାପାଖି ୬୦ ଜଣ ଗିରଫ ହେଲେଣି। ଏ ସବୁ ଉପରେ ଦୃଢ଼ ପଦକ୍ଷେପ ନିଆଯାଉଛି । ମୁଁ ନିଜେ ମନିଟରିଂ କରି ଦେଖୁଛି, କୌଣସି ଜାଗାରେ ଯେମିତି ବେଆଇନ ବାଲି ଖନନ ହେବ ନାହିଁ ବୋଲି କହିଲେ ମନ୍ତ୍ରୀ ।
ମନ୍ତ୍ରୀ ଆହୁରି କହିଛନ୍ତି ଯେ ବାଲି ସୁଲଭ ଓ ସୁଗମ ଢଙ୍ଗରେ ପହଂଚାଇବା ଉପରେ ଗୁରୁତ୍ୱ ଦିଆଯାଉଛି । ବଜାରେ ଅଭାବୀ ବିକ୍ରି ସମସ୍ୟା ସମାଧାନ ପାଇଁ ବିଭାଗ ଏସଓପି ଆଣିଛି । ଆଗରୁ ଷ୍ଟୋରେଜ ନଥିବା କାରଣରୁ ନଦୀରେ ପାଣି ଆସିଲେ ବାଲି ଉପଲବ୍ଧ ହେଉନଥିଲା । କିନ୍ତୁ ଏବେ ସରକାର ଷ୍ଟୋରେଜ ଲାଇସେନ୍ସ ମଧ୍ୟ ଦେବେ । ବାଲି ମନଇଚ୍ଛା ଚଢ଼ା ଦରରେ ବିକ୍ରି କରିପାରିବେ ନାହିଁ । ସରକାର ଏମଏସପି ସ୍ଥିର କରିଛନ୍ତି । ବାଲି ସିଏମ୍ ୩୨୦ ଟଙ୍କା ରହିବ । ଗୋଟିଏ ଟ୍ରାକ୍ଟର ବାଲି ୬୦୦ ଟଙ୍କାରେ ମିଳିବ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା