
ଭୁବନ, ୨୦ ଫେବ୍ରୃଆରୀ(ହି.ସ.) - ବିଜୁ ଜନତା ଦଳ ସୁପ୍ରିମୋ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଅନୁମୋଦନ କ୍ରମେ ରମେଶ ଚନ୍ଦ୍ର ସାହୁ ( ରମା ) ଙ୍କୁ ଭୁବନ ବ୍ଲକ ଏବଂ
ପୂର୍ବତନ ନଗରପାଳ ଶୁଭେନ୍ଦୁ କୁମାର ସାହୁ ( ମୁନା ) ଙ୍କୁ ଭୁବନ ଏନ୍ ଏ ସି ସଭାପତି ଭାବେ ଦାୟିତ୍ୱ ଅର୍ପଣ କରାଯାଇଥିବାରୁ ବିଜେଡି ମହଲରେ ଅତ୍ୟନ୍ତ ଖୁସି ଓ ଆନନ୍ଦର ଲହରୀ ଖେଳି ଯାଇଛି । ରମେଶ ଚନ୍ଦ୍ର ସାହୁ ୨୦୦୪ ମସିହାରେ ବିଜୁ ଜନତା ଦଳରେ ଯୋଗଦେଇ ଦଳ ପାଇଁ ନିଷ୍ଠାର ସହ କାର୍ଯ୍ୟ କରିଥିଲେ। ୨୦୧୨ ରୁ ୨୦୧୭ ପର୍ଯ୍ୟନ୍ତ ଧଳପଡ଼ା ପଂଚାୟତ ର ସରପଂଚ ଭାବେ କାର୍ଯ୍ୟ କରିଥିଲେ । ୨୦୧୬ ରୁ ୨୦୧୯ ଯାଏଁ କମାକ୍ଷା ନଗର ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ଏବଂ ୨୦୧୯ ରେ ଭୁବନ ବ୍ଲକ ବିଜେଡି ସଭାପତି ଭାବେ ଦାୟିତ୍ୱ ନେଇଥିଲେ । ୨୦୨୨ ରୁ ୨ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ଭାବେ ନିର୍ବାଚିତ ହୋଇ କାର୍ଯ୍ୟ କରୁଛନ୍ତି । ଜଣେ ନିର୍ବିବାଦୀୟ, ନିଷ୍କଳଙ୍କ ଏବଂ ଜଣେ ଦୃଢ଼ ସଂଗଠକ ଭାବେ ପରିଚିତ ରମେଶ ଚନ୍ଦ୍ର ସାହୁ ( ରମା) ଙ୍କୁ ଦ୍ୱିତୀୟ ଥର ପାଇଁ ବ୍ଲକ ବିଜେଡି ସଭାପତି ଭାବେ ଦାୟିତ୍ୱ ଦିଆଯାଇଥିବାରୁ ତାଙ୍କ ନେତୃତ୍ୱରେ ବିଜେଡି ସଂଗଠନ ସୁଦୃଢ଼ ହେବା ସହିତ ଆସନ୍ତା ପଂଚାୟତ ନିର୍ବାଚନରେ ସଫଳତା ହାସଲ କରିବ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି ।
ଭୁବନ ଏନ୍ ଏ ସି ର ସର୍ବାଧିକ ଲୋକପ୍ରିୟ ନେତା ଶୁଭେନ୍ଦୁ କୁମାର ସାହୁ ଙ୍କୁ ନଗର ସଭାପତି ଭାବେ ଦାୟିତ୍ୱ ଅର୍ପଣ କରାଯାଇଥିବାରୁ ବିଜେଡ଼ି ମହଲରେ ଆନନ୍ଦ ପ୍ରକାଶ ପାଇଛି। ବିଶିଷ୍ଟ ଉଦ୍ୟୋଗପତି ( ବିଷ୍ଣୁପ୍ରିୟା ଜୁଏଲର୍ସ, ବିଷ୍ଣୁପ୍ରିୟା ଗାଲାକ୍ସି ଏବଂ ବିଷ୍ଣୁପ୍ରିୟା ସ୍ମାର୍ଟ ମାର୍ଟ ର ସତ୍ୱାଧିକାରୀ ) ତଥା ଯୁବ ସମାଜ ସେବୀ ଶୁଭେନ୍ଦୁ କୁମାର ସାହୁ ( ମୁନା) ଯଦିଓ ୨୦୨୨ ରେ ବିଜେଡି ରେ ଯୋଗଦେଇ ପ୍ରତ୍ୟକ୍ଷ ନିର୍ବାଚନରେ ନଗରପାଳ ପ୍ରାର୍ଥୀ ହୋଇ ବିଜେପି ର ହେଭିୱେଟ ନେତା ତଥା ପୂର୍ବତନ ନଗରପାଳ ଙ୍କୁ ହରାଇ ନିଜ ଲୋକପ୍ରିୟତାର ପ୍ରମାଣ ଦେଇଥିଲେ । ୭ ରୁ ୭୦ ସବୁରି ପ୍ରିୟ ମୁନାଭାଇ ଭୁବନ ଲୋକଙ୍କ ହୃଦୟର ନେତା ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଭୁବନର ବିକାଶ ପାଇଁ ସର୍ବଦା ଚେଷ୍ଟିତ ଓ ସମର୍ପିତ ବ୍ୟକ୍ତିତ୍ୱ ହେଉଛନ୍ତି ଶୁଭେନ୍ଦୁ ସାହୁ ( ମୁନା ) । ଆମେ ଭୁବନିଆଁ , ନୁହେଁ ଅମାନିଆ, ଭୁବନ ଆମର ଗର୍ବ ଏବେବି ଲୋକଙ୍କ ମୁଖରେ ଗୁଞ୍ଜରିତ ହେଉଛି । ୨୦୨୪ ରେ ରାଜ୍ୟରେ ସରକାର ପରିବର୍ତନ ହେବା ପରେ ପ୍ରଥମେ ଅନାସ୍ଥା ପ୍ରସ୍ତାବ ଆଗତ କରାଯାଇ ତାଙ୍କୁ କ୍ଷମତାଚ୍ୟୁତ କରିବାକୁ ଉଦ୍ୟମ କରି ବିଫଳ ହେବା ପରେ ରାଜନୈତିକ ଶକ୍ତିର ଅପବ୍ୟବହାର ( ଦୁରୁପଯୋଗ) କରି ଅନୈତିକ ଭାବେ ଗତ ୨୦୨୫ ସେପ୍େଟମ୍ବର ମାସରେ ସରକାରଙ୍କ ଦ୍ୱାରା ଶୁଭେନ୍ଦୁ ସାହୁଙ୍କୁ ନଗରପାଳ ପଦବୀରୁ ନିଲମ୍ବିତ କରାଯାଇଥିଲା । ଏହି ଘଟଣା ଭୁବନବାସୀ ଙ୍କୁ ବ୍ୟଥିତ କରିଥିଲା । ଲୋକଙ୍କ ଦ୍ୱାରା ସିଧାସଳଖ ନିର୍ବାଚିତ ହୋଇଥିବା ପ୍ରିୟ ନେତାଙ୍କୁ ସରକାର ନିଲମ୍ବିତ କରିବା ଘଟଣାକୁ ଭୁବନବାସୀ ଗ୍ରହଣ କରିପାରି ନଥିଲେ । ଏ ସମ୍ପର୍କିତ ମାମଲା ଏବେ ଉଚ୍ଚ ନ୍ୟାୟାଳୟରେ ବିଚାରାଧୀନ ଥିବା ବେଳେ ପ୍ରିୟ ନେତାଙ୍କୁ ଏନ୍ ଏ ସି ସଭାପତି କରାଯାଇଥିବାରୁ ସମଗ୍ର ଭୁବନର ଖୁସିର ଲହରୀ ଖେଳିଯାଇଛି।
ଭୁବନ ଅଂଚଳବାସୀ ଙ୍କ ହକ୍ ପାଇଁ ସ୍ୱାଭିମାନର ଲଢେଇ ଜାରି ରହିବ ଉଭୟ ନେତା ପ୍ରକାଶ କରିବା ସହିତ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ,ଜିଲ୍ଲା ବିଜେଡି ସଭାପତି ଡ଼ା ନୃସିଂହ ଚରଣ ସାହୁ, ସାଂସଦ ପ୍ରାର୍ଥୀ ଡ଼ା ଅବିନାଶ ସାମଲ, ପୂର୍ବତନ ସାଂସଦ ମହେଶ ସାହୁ ଏବଂ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।
ଆସନ୍ତା ୨୨ ତାରିଖ ରବିବାର ଦିନ ନିଳକଣ୍ଠପୁରରେ ଉଭୟ ସଭାପତିଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ବିଜେଡି ତରଫରୁ ମହାମିଶ୍ରଣ ପର୍ବ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ