
ଝାରସୁଗୁଡା, ୨୦ ଫେବୃଆରୀ (ହି.ସ.)- ଝାରସୁଗୁଡା ଜିଲ୍ଲାରେ ବିଭିନ୍ନ କମ୍ପାନୀଙ୍କ ଦ୍ୱାରା ଜଙ୍ଗଲ ଜମିକୁ ବେଆଇନ ଭାବେ ଜବରଦଖଲ କରାଯାଇଥିବା ନେଇ ଅନେକ ଅଭିଯୋଗ ହୋଇଛି। ଏହାକୁ ଗୁରୁତ୍ୱର ସହ ନେଇ ବନ ବିଭାଗ ପକ୍ଷରୁ କଡା ପଦକ୍ଷେପ ଆରମ୍ଭ ହୋଇଛି। ସୁଦର୍ଶନ ହରିପାଳ ଏନେଇ ପିସିସିଏଫ, ସମ୍ବଲପୁରଙ୍କୁ ପତ୍ର ଲେଖି ଝାରସୁଗୁଡା ଓ ସମ୍ବଲପୁର ଜିଲ୍ଲାରେ କମ୍ପାନୀମାନଙ୍କ ଦ୍ୱାରା ହୋଇଥିବା ବେଆଇନ ଜଙ୍ଗଲ ଜମି ଦଖଲ ବିଷୟରେ ଅବଗତ କରାଇଥିଲେ। ଗତ ସପ୍ତାହରେ ଝାରସୁଗୁଡା ଓ ସମ୍ବଲପୁର ଗସ୍ତରେ ଆସିଥିବା ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟିର ଅଧ୍ୟକ୍ଷଙ୍କୁ ମଧ୍ୟ ସେ ଏନେଇ ପତ୍ର ପ୍ରଦାନ କରିଥିଲେ। ଏହାପରେ ଝାରସୁଗୁଡା ଡ଼ିଏଫଓ ଜିଲ୍ଲାପାଳଙ୍କୁ ଏକ ଆଧିକାରିକ ପତ୍ର ଲେଖି ଜଙ୍ଗଲ ଅଧିନିୟମ–୨୦୨୩ ଅନୁଯାୟୀ କଡାକଡି ଭାବେ ଆଇନ ପାଳନ କରିବାକୁ ଅନୁରୋଧ କରିଛନ୍ତି। ପତ୍ରରେ କମ୍ପାନୀମାନଙ୍କ ଦ୍ୱାରା ଦଖଲ ହୋଇଥିବା ଜଙ୍ଗଲ ଜମିକୁ ମୁକ୍ତ କରିବା ସହ ଜଙ୍ଗଲ ଓ ପରିବେଶର ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଉଲ୍ଲେଖ ରହିଛି।ସେପରି ଏକ ଯୁଗ୍ମ ତଦନ୍ତ କରି ଅକ୍ତିଆର କରାଯାଇଥିବା ଜଙ୍ଗଲ ଜମି ସନ୍ଦର୍ଭରେ ଦୋଷୀ କମ୍ପାନୀମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ପତ୍ରରେ ଉଲ୍ଲେଖ ହୋଇଛି।ଏହି ପତ୍ରର ନକଲ ସିସିଏଫ, ସମ୍ବଲପୁର, ଝାରସୁଗୁଡା ଜିଲ୍ଲାର ସମସ୍ତ ରେଞ୍ଜର ଓ ତହସିଲଦାରଙ୍କୁ ପ୍ରେରଣ କରାଯାଇ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଅନୁରୋଧ କରାଯାଇଛି।ଜଙ୍ଗଲ ଜମି ଜବରଦଖଲ ଘଟଣାକୁ ନେଇ ଜିଲ୍ଲାରେ ଚର୍ଚ୍ଚା ଜୋରଦାର ହୋଇଥିବା ବେଳେ ବନ ବିଭାଗ ପକ୍ଷରୁ ଶୀଘ୍ର କଡା କାର୍ଯ୍ୟାନୁଷ୍ଠାନ ହେବାକୁ ସାଧାରଣରେ ଆଶା ପ୍ରକାଶ ପାଇଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ