
ଝାରସୁଗୁଡ଼ା, ୨୦ ଫେବୃଆରୀ (ହି.ସ.)- ଜିଲ୍ଲାରେ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଝାରସୁଗୁଡ଼ା ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ ବ୍ରଜରାଜନଗର ଗସ୍ତ କରି ପ୍ରସ୍ତାବିତ ଟ୍ରକ୍ ଟର୍ମିନସ ର ସମ୍ପ୍ରସାରଣ ପାଇଁ ଉଦ୍ଦିଷ୍ଟ ଜମିର ସ୍ଥିତି ଅନୁଧ୍ୟାନ କରିଛନ୍ତି। ସ୍ଥଳ ପରିଦର୍ଶନ ସମୟରେ ଜିଲ୍ଲାପାଳ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ଟର୍ମିନସ ପାଇଁ ଉଦ୍ଦିଷ୍ଟ ସରକାରୀ ଜମିରୁ ସମସ୍ତ ପ୍ରକାର ଜବରଦଖଲ ହଟାଇବା ପାଇଁ ଝାରସୁଗୁଡ଼ା ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ରାସ୍ତା କଡ଼ରେ କିମ୍ବା ପ୍ରସ୍ତାବିତ ସ୍ଥାନରେ ପଡ଼ି ରହିଥିବା ପରିତ୍ୟକ୍ତ ଯାନବାହନଗୁଡ଼ିକୁ ତୁରନ୍ତ ସେଠାରୁ ହଟାଇବା ପାଇଁ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସମ୍ପୃକ୍ତ ଅଞ୍ଚଳର ଭିତ୍ତିଭୂମି ବିକାଶ ପାଇଁ ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଏକ ବିସ୍ତୃତ ବ୍ୟୟ ଅଟକଳ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଟର୍ମିନାଲ୍ ପରିସରରେ ପରିବେଶ ସନ୍ତୁଳନ ରକ୍ଷା ପାଇଁ ବନଖଣ୍ଡ ଅଧିକାରୀଙ୍କୁ ବ୍ୟାପକ ବୃକ୍ଷରୋପଣ ଯୋଜନା ପ୍ରସ୍ତୁତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।ଏହି ଗସ୍ତ ସମୟରେ ସ୍ଥାନୀୟ ତହସିଲଦାର, ଆର.ଟି.ଓ ଏବଂ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ପଦାଧିକାରୀମାନେ ଉପସ୍ଥିତ ରହି ପ୍ରକଳ୍ପର ରୂପରେଖ ସମ୍ପର୍କରେ ଆଲୋଚନା କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ