
କେନ୍ଦ୍ରାପଡା, ୨୦ ଫେବୃଆରୀ (ହି.ସ.)- କେନ୍ଦ୍ରାପଡା ପୈାରାଂଚଳ ଅନ୍ତର୍ଗତ ତୁଳସୀ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କ ଉତ୍ସାହ ଏବଂ ଆଗ୍ରହରେ ହସ୍ତଶିଳ୍ପ ଓ ବିଜ୍ଞାନ ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି । ଏହି ପ୍ରଦର୍ଶନୀର ଲକ୍ଷ୍ୟ ଥିଲା ଛାତ୍ରୀ ମାନଙ୍କ ମଧ୍ୟରେ ସୃଜନଶୀଳତା, ବୈଜ୍ଞାନିକ ଚିନ୍ତାଧାରା ଏବଂ ନବ ସୃଜନଙ୍କୁ ପ୍ରୋତ୍ସାହିତ କରିବା । କଲେଜ ଅଧ୍ୟକ୍ଷ ପ୍ରଫେସର ତପନ କୁମାର ଦାସ ଆନୁଷ୍ଠାନିକ ଭାବେ ଏହାକୁ ଉଦ୍ଘାଟନ କରିଥିବା ବେଳେ ମାର୍ଶଘାଇ ମହା ବିଦ୍ୟାଳୟ ର ଭୈାତିକ ବିଜ୍ଞାନର ମୁଖ୍ୟ ପ୍ରାଧ୍ୟାପକ ପ୍ରଭାତ କୁମାର ଲେଙ୍କା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦର୍ଶନୀର ମୂଲ୍ୟାଙ୍କନ କରିଥିଲେ । ଏହି ପ୍ରଦର୍ଶନୀରେ ନବ ସୃଜନଶୀଳ ବିଜ୍ଞାନ ମଡେଲ, ପରିବେଶ ଅନୁକୂଳ ପ୍ରକଳ୍ପ,ହସ୍ତଶିଳ୍ପ, ଚିତ୍ରକଳା ଉପରେ ବିଭିନ୍ନ ମଡେଲ ପ୍ରଦର୍ଶିତ ହୋଇଥିଲା । କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଛାତ୍ରୀମାନେ ସକ୍ରୀୟ ଭାବେ ଅଂଶ ଗ୍ରହଣ କରି ପରିଦର୍ଶକ ମାନଙ୍କୁ ସେମାନଙ୍କର ପ୍ରକଳ୍ପ ଗୁଡିକୁ ଆତ୍ମ ବିଶ୍ୱାସର ସହିତ ବୁଝାଇଥିଲେ ।
କାର୍ଯ୍ୟକ୍ରମରେ ବିଭାଗୀୟ ଅଧ୍ୟାପକ, ଅଧ୍ୟାପିକା ମାନେ ମଡେଲ ପ୍ରସ୍ତୁତ କରିବାରେ ଛାତ୍ରୀ ମାନଙ୍କୁ ସହଯୋଗ କରିଥିଲେ । ପ୍ରଶାସନିକ ଅଧିକାରୀ ଶ୍ରୀମତୀ ସବିତା ଦାସଙ୍କ ତତ୍ଵାବଧାନରେ କାର୍ଯ୍ୟକ୍ରମଟି ପରିଚାଳନା କରାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ରବି