
ନୂଆପଡ଼ା, ୨୦ ଫେବୃଆରୀ (ହି.ସ.)- ନୂଆପଡ଼ା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲାସ୍ତରୀୟ ସ୍ୱାସ୍ଥ୍ୟ ଓ ପୋଷଣ ସମୀକ୍ଷା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ବୈଠକର ଆରମ୍ଭରେ ସିଡିଏମଓ ଡାକ୍ତର ଧନେଶ୍ୱର ସେଠୀ ସମସ୍ତଙ୍କୁ ସ୍ୱାଗତ ଜଣାଇ ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ସେ କହିଲେ ଯେ ସ୍ୱାସ୍ଥ୍ୟ ଆକାଙ୍କ୍ଷାମୂଳକ ଜିଲ୍ଲା ପାଇଁ ଗୁରୁତ୍ୱପୂର୍ଣ୍ଣ ମାନକ ଅଟେ, ତେଣୁ ଏହି ମାନକରେ ଉତ୍କୃଷ୍ଟତା ଅର୍ଜନ ପାଇଁ ସମସ୍ତ ଅଧିକାରୀ ଏକତ୍ରିତ ଭାବେ କାମ କରିବା ଆବଶ୍ୟକ। ଜିଲ୍ଲାପାଳ ମାତୃ ଓ ଶିଶୁ ମୃତ୍ୟୁହାରର ସମୀକ୍ଷା କରି ଏହାକୁ ଶୂନ୍ୟ ସ୍ତରକୁ ଆଣିବାକୁ ନିର୍ଦ୍ଦେଶ ଦେଇଥିଲେ। ସିଡିଏମଓଙ୍କ ଅଧ୍ୟକ୍ଷତାରେ ଡାକ୍ତରମାନଙ୍କ ଦଳ ଦ୍ୱାରା ଆଭ୍ୟନ୍ତରୀଣ ଅଡିଟ୍ କରାଯିବାକୁ ସେ କହିଥିଲେ। ଚିକିତ୍ସାଜନିତ ଗର୍ଭପାତ ବିଶେଷଜ୍ଞମାନଙ୍କ ଏକ କମିଟି ଦ୍ୱାରା ସମୀକ୍ଷା ପରେ ଅନୁମୋଦନ ହେବା ଉଚିତ ବୋଲି ମଧ୍ୟ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ମା’ ଓ ଶିଶୁ ସୁରକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମ ଜୋରଦାର କରିବାକୁ ଜିଲ୍ଲାପାଳ କହିଥିଲେ ଓ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ରୋଗୀ ଆଗମନ ବୃଦ୍ଧି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
ଏହି ଅବସରରେ ଜିଲ୍ଲା ଟିବି ଫୋରମ୍ ବୈଠକ ମଧ୍ୟ ଆୟୋଜିତ ହୋଇଥିଲା। ଟିବି କିଟ୍ ଓ ପୋଷଣ ଖାଦ୍ୟ ବାସ୍କେଟ୍ ବଣ୍ଟନର ସ୍ଥିତି ସମ୍ପର୍କରେ ଜିଲ୍ଲାପାଳ ସମୀକ୍ଷା କରିଥିଲେ। ବୈଠକରେ ଡିଏମଓ (ଏମଏସ୍)-କମ୍-ସୁପରିଣ୍ଟେଣ୍ଡେଣ୍ଟ ଡାକ୍ତର ଲଳିତ ମୋହନ ବିଶି, ଡିପିଏଚଓ ଡାକ୍ତର ଦ୍ୱାରିକାନାଥ ସତପଥୀ, ଏଡିପିଏଚଓ (ପରିବାର କଲ୍ୟାଣ) ଡାକ୍ତର ଜ୍ୟୋତିର୍ମୟ ସୁଭେନ୍ଦୁ ମହାନ୍ତି, ଏଡିପିଏଚଓ (କୁଷ୍ଠ) ଡାକ୍ତର ତନ୍ମୟ ତ୍ରିପାଠୀ ସହ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ