
ଚମ୍ପୁଆ, ୨୦ ଫେବୃଆରୀ (ହି.ସ.)- ଚମ୍ପୁଆ ଉପଖଣ୍ଡ ବାସୁଦେବପୁର ଓ ଜଗନ୍ନାଥପୁର ଗ୍ରାମରେ ବସବାସ କରି ରହୁଥିବା ଅନାଥ ଏବଂ ବାପା ମା ଛେଉଣ୍ଡ ପିଲାମାନଙ୍କୁ ଗୁରୁବାର ଉଦ୍ଧାର କରି ସେରେଣ୍ଡା ସ୍ଥିତ ଆଦିବାସୀ ବିକାଶ ସମିତିକୁ ହସ୍ତାନ୍ତର କଲା ସ୍ବେଚ୍ଛାସେବୀ ସଙ୍ଗଠନ ମାନବ ପ୍ରେମୀ ସେବା ଟ୍ରଷ୍ଟ୍ ।
ସୂଚନାଯୋଗ୍ୟ ଯେ, କାନୁପୁର ନଦୀବନ୍ଧ ଯୋଜନାରେ କ୍ଷତିଗ୍ରସ୍ତ ହୋଇ ଉକ୍ତ ପରିବାର ମାନେ ଅତି ଦୟନୀୟ ଭାବେ ବସବାସ କରି ରହୁଛନ୍ତି । ଜଗନ୍ନାଥପୁର ଗ୍ରାମର ବାପା ମା ଛେଉଣ୍ଡ ଗୋପାଳ ମୁଣ୍ଡା (୧୧) ଓ ସାଧୁ ମୁଣ୍ଡା (୯) ବର୍ତ୍ତମାନ ଜେଜେବାପା ରତ୍ନାକର ମୁଣ୍ଡାଙ୍କ ସହ ରହୁଥିବା ବେଳେ ରବି ମୁଣ୍ଡା (୧୧) ଏବଂ ଜିତେନ୍ ମୁଣ୍ଡା (୧୪) ବାପା ଛେଉଣ୍ଡ ହୋଇ ନିଜ ମା ଶ୍ରୀମତୀ ମୁଣ୍ଡାଙ୍କ ସହ ରହୁଥିଲେ । ଅନ୍ୟପଟେ ବାସୁଦେବପୁର ଗ୍ରାମର ମା ଛେଉଣ୍ଡ ଅଜୟ ନାଏକ (୯) ଓ ଆଦିତ୍ୟ ନାଏକ (୭) ବାପା ଗିଡୁ ନାଏକଙ୍କ ସହ ରହୁଥିଲେ । ଖବର ପାଇ ମାନବ ପ୍ରେମୀ ସେବା ଟ୍ରଷ୍ଟ୍ ର ସଦସ୍ୟ ବୃନ୍ଦ ଉକ୍ତ ଅସହାୟ ପରିବାର ଗୁଡିକ ନିକଟରେ ପହଞ୍ଚି ସବୁ ତଥ୍ୟ ସଂଗ୍ରହ କରି ପିଲାମାନଙ୍କ ଭବିଷ୍ୟତ କଥା ଚିନ୍ତାକରି ସେରେଣ୍ଡା ସ୍ଥିତ ଆଦିବାସୀ ବିକାଶ ସମିତି ସହ ଯୋଗାଯୋଗ କରିଥିଲେ । ସୂଚନା ପାଇବା ମାତ୍ରେ ଆଦିବାସୀ ବିକାଶ ସମିତିର ସଦସ୍ୟା ଦମୟନ୍ତୀ ଖଟୁଆଙ୍କ ସହ ଅନ୍ୟାନ୍ୟ ସଦସ୍ୟ ବୃନ୍ଦ ଟ୍ରଷ୍ଟ୍ ସଦସ୍ୟଙ୍କ ସହ ମିଶି ପିଲାଙ୍କୁ ଉଦ୍ଧାର କରି ପରିବାର ସଦସ୍ୟଙ୍କ ସହମତିରେ ସେଠାକୁ ନେଇଯାଇଛନ୍ତି । ଏହି ଅବସରରେ ମାନବ ପ୍ରେମୀ ସେବା ଟ୍ରଷ୍ଟ୍ ର ଉପଦେଷ୍ଟା ପ୍ରମୋଦ କୁମାର ମହାନ୍ତ, ସଭାପତି ବିଚିତ୍ରାନନ୍ଦ ଦାସ ଓ ସମ୍ପାଦକ ପିଣ୍ଟୁନ ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / Trinath Mahanta