
ନୂଆପଡ଼ା, ୨୦ ଫେବୃଆରୀ (ହି.ସ.)- ନୂଆପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସମନ୍ୱିତ ଶିଶୁ ବିକାଶ ଯୋଜନା ସମ୍ପର୍କିତ ଏକ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଆଜି ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକ ଆରମ୍ଭରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ମାନଙ୍କ ଜାନୁଆରୀ ମାସର ଟୁର ଡାଇରୀ ଓଡ଼ିଆରେ ପ୍ରସ୍ତୁତ କରାଯାଇଥିଲା। ଏହାକୁ ନେଇ ଜିଲ୍ଲାପାଳ ସନ୍ତୋଷ ବ୍ୟକ୍ତ କରିଥିଲେ। ସେ କହିଲେ ଯେ, ପ୍ରତି ମାସ ସମନ୍ୱିତ ଶିଶୁ ବିକାଶ ଅଧିକାରୀ ମାନେ ମୋଟ୍ ଅଙ୍ଗନୱାଡ଼ି କେନ୍ଦ୍ରର କମ୍ ସେ କମ୍ ୫୦ ଶତାଂଶ କେନ୍ଦ୍ର ପରିଦର୍ଶନ କରିବେ। ଶିଶୁ ଓ ମାତୃ ମୃତ୍ୟୁହାରକୁ ଶୂନ୍ୟ ସ୍ତରକୁ ଆଣିବା ପାଇଁ ସମସ୍ତେ ସମନ୍ୱିତ ଭାବେ କାମ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ପ୍ରତି ମାସର ପ୍ରତ୍ୟେକ ଶୁକ୍ରବାର ଦନ ଅଙ୍ଗନୱାଡ଼ି କେନ୍ଦ୍ରମାନଙ୍କ ଦ୍ଵାରା ଶିଶୁ ଓ ମାତୃ ସେବା ସମ୍ପର୍କିତ ସଚେତନତା ରାଲି ଆୟୋଜନ କରିବାକୁ ମଧ୍ୟ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ଅଙ୍ଗନୱାଡ଼ି କେନ୍ଦ୍ରମାନଙ୍କ କାର୍ଯ୍ୟନିଷ୍ପାଦନ, ପୋଷଣ ସେବା, ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସେବା, ଗର୍ଭବତୀ ଓ ନବମାତାଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ ସହ “ଶାଶୁ–ବୋହୁ ମେଳି” ଓ “ସ୍ୱାମୀ–ସ୍ତ୍ରୀ ମେଳି” ପରି ସମୁଦାୟ ଭିତ୍ତିକ କାର୍ଯ୍ୟକ୍ରମର କାର୍ଯ୍ୟାନ୍ବୟନ ସମ୍ପର୍କରେ ସବିଶେଷ ଆଲୋଚନା କରାଯାଇଥିଲା।
ଏହି ଅବସରରେ ଅବସରଗ୍ରହଣ କରିବାକୁ ଯାଉଥିବା ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ସୁପରଭାଇଜର ସୁପ୍ରଭା ଜୋଶୀଙ୍କୁ ଜିଲ୍ଲାପାଳଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା। ସେହିପରି ସର୍ବଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ, ସୁପରଭାଇଜର ଓ ଅନ୍ୟାନ୍ୟ କର୍ମଚାରୀମାନଙ୍କୁ ଆଗାମୀ ଦିନରେ ସମ୍ମାନିତ କରାଯିବ ବୋଲି ଜିଲ୍ଲାପାଳ ଘୋଷଣା କରିଥିଲେ।
ବୈଠକରେ ଉପ-ଜିଲ୍ଲାପାଳ ସୂର୍ମି ସୋରେନ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଏସ୍. ଗୀତା, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀମାନେ, ସୁପରଭାଇଜର ଓ ଅନ୍ୟାନ୍ୟ ସମ୍ପୃକ୍ତ କର୍ମଚାରୀମାନେ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ