
ନୂଆପଡ଼ା,୨୦ ଫେବୃଆରୀ(ହି.ସ.) – ନୂଆପଡା ଜିଲ୍ଲାରେ ମତ୍ସ୍ୟ ଚାଷ ସମ୍ବନ୍ଧୀୟ ବିଭିନ୍ନ ଯୋଜନାର ସମୀକ୍ଷା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।
ବୈଠକ ଆରମ୍ଭରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ଅରୁଣ କୁମାର ସାହୁ ସମସ୍ତଙ୍କୁ ସ୍ୱାଗତ ଜଣାଇ ବୈଠକର ଉଦ୍ଦେଶ୍ୟ ସମ୍ବନ୍ଧରେ ଅବଗତ କରାଇଥିଲେ। ଆଲୋଚନାନୁସାରେ ପାଂଚଟି ବ୍ଲକରେ “ମତ୍ସ୍ୟ ପୋଖରୀ ଯୋଜନା-୧” ଅନ୍ତର୍ଗତ ୪୭ଟି ପ୍ରକଳ୍ପ ପାଇଁ ‘ଗୋ-ଏହେଡ୍’ ଜାରି ହୋଇଥିବା ବେଳେ ତାହାରୁ ୨୫ଟି ପ୍ରକୃତ ସଫଳତା ହାସଲ ହୋଇଛି। ସେପରି “ମତ୍ସ୍ୟ ପୋଖରୀ ଯୋଜନା-୨” ଅନ୍ତର୍ଗତ ୪୫ଟି ପ୍ରକଳ୍ପରୁ ୩୫ଟିର କାର୍ଯ୍ୟ ସମ୍ପନ୍ନ ହୋଇଛି। ଏହାଛଡ଼ା ବାୟୋ ଫ୍ଲକ୍ସ ଯୋଜନା ରେ ୨୧ ଜଣ ହିତାଧୀକାରୀଙ୍କୁ ‘ଗୋ-ଏହେଡ୍’ ଜାରି ହୋଇଥିବାବେଳେ ବର୍ତମାନ ୮ଟି ପ୍ରକଳ୍ପର କାମ ଚାଲିଛି। ଜିଲ୍ଲାପାଳ ସମସ୍ତ ଯୋଜନାରେ ୧୦୦ ପ୍ରତିଶତ ଲକ୍ଷ୍ୟ ହାସଲ ପାଇଁ ନିରନ୍ତର ପର୍ଯ୍ୟବେକ୍ଷଣ ଓ ସମନ୍ୱୟରେ କାର୍ଯ୍ୟ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଏହି ଅବସରରେ ଲୋଅର ଇନ୍ଦ୍ର ଜଳସେଚନ ପ୍ରକଳ୍ପର ଉନ୍ନତି ପାଇଁ ଜିଲ୍ଲାସ୍ତରୀୟ ସମନ୍ୱୟ ସମିତିର ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା ଏବଂ ପ୍ରକଳ୍ପର କ୍ଷମତା ବୃଦ୍ଧି ଉପରେ ଆଲୋଚନା କରାଯାଇଥିଲା।
ଏଠାରେ ସଫଳ ମାଛଚାଷୀ ପଂଚ ନାରାୟଣ ସିଂହଙ୍କୁ ସମ୍ମାନିତ କରାଯାଇଥିଲା।ବୈଠକରେ ସହାୟକ ମତ୍ସ୍ୟ ଅଧିକାରୀ ସନ୍ତୋଷୀ ଶୁଭଦର୍ଶିନୀ ସାହୁ, ନୂଆପଡା ଏଏଫଓ ବଳଭଦ୍ର ଠାକୁର, କୋମନା ଏଏଫଓ ବିଷ୍ଣୁ ପ୍ରସାଦ ଦ୍ୱାରୀ, ବୋଡେନ ଏଏଫଓ ଡାଃ ସୁଚିସ୍ମିତା ପୃଷ୍ଟି ଓ ଖରିଆର ଏଏଫଓ ସହଦେବ ଭୋଇ ସହ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ହେମନ୍ତ