
ଭୁବନେଶ୍ୱର, 20 ଫେବୃଆରୀ (ହି.ସ.) ଚାଷୀ ମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ଶୁକ୍ରବାର ଦିନ ମଧ୍ୟ ବିଧାନସଭାରେ ବିରୋଧୀ ବିଜେଡି ଓ କଂଗ୍ରେସର ବିଧାୟକ ମାନେ ହଟ୍ଟଗୋଳ କରିଛନ୍ତି । ଏହି କାରଣରୁ ବଜେଟ ଅଧିବେଶନର ତୃତୀୟ ଦିବସର ପ୍ରଥମାର୍ଧରେ ପ୍ରଶ୍ନକାଳ କାର୍ଯ୍ୟକ୍ରମ ହୋଇ ପାରି ନାହିଁ। ବାଚସ୍ପତି ଗୃହକୁ ପ୍ରଥମେ 11.30 ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଛନ୍ତି । ଏହା ପରେ ମଧ୍ୟ ସ୍ଥିତି ସୁଧୁରିବା ନ କାରଣରୁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଛନ୍ତି ।
ଆଜି ନିର୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ସକାଳ 10.30ରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ବାଚସ୍ପତି ସୁରମା ପାଢୀ ପ୍ରଶ୍ନକାଳ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଚାହିଁଥିଲେ । ମାତ୍ର ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ପକ୍ଷରୁ ପ୍ରବଳ ହଟ୍ଟଗୋଳ କରାଯାଇଥିଲା । ଧାନମଣ୍ଡି ସମସ୍ୟା, ଧାନକିଣାରେ ଅନିୟମିତତା ଓ ଚାଷୀ ମାନଙ୍କର ଅନ୍ୟ ସମସ୍ୟାକୁ ନେଇ ନେଇ ବିଜେଡି ଓ କଂଗ୍ରେସର ବିଧାୟକ ମାନେ ପ୍ରତିବାଦ କରିଥିଲେ । ବିରୋଧୀ ଦଳର ବିଧାୟକ ମାନେ ସରକାରଙ୍କର ଚାଷୀ ମାରଣାନୀତି, ମଣ୍ଡି ସମସ୍ୟା, କଟନୀଛଟନୀ ପ୍ରସଙ୍ଗକୁ ନେଇ ପ୍ରବଳ ହଟ୍ଟଗୋଳ କରିଥିଲେ । ସେମାନଙ୍କ ହାତରେ ବ୍ୟାନର ମାନ ଥିଲା ଯେଉଁଥିରେ ବିଭିନ୍ନ ପ୍ରକାର ସରକାର ବିରୋଧୀ ସ୍ଲୋଗାନ ମାନ ଲେଖା ଯାଇଥିଲା । ବାଚସ୍ପତି ସୁରମା ପାଢୀ ହଟ୍ଟଗୋଳ କରୁଥିବା ବିଧାୟକ ମାନଙ୍କୁ ନିଜ ନିଜ ଆସନକୁ ଯାଇ ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ବାରମ୍ବାର ଅନୁରୋଧ କରିଥିଲେ । ହେଲେ ଏହାର କୌଣସି ପ୍ରକାର ପ୍ରଭାବ ବିରୋଧୀ ବିଧାୟକଙ୍କ ଉପରେ ପଡି ନ ଥିଲା । ଏହା ଫଳରେ ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ଗୃହକୁ 10.36 ମିନିଟରୁ 11.30 ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।
ଦିନ 11.30ରେ ଗୃହ କାର୍ଯ୍ୟ ପୁଣି ଥରେ ଆରମ୍ଭ ହେବା ମାତ୍ରେ ସମାନ ସ୍ଥିତି ଦେଖିବାକୁ ମିଳିଥିଲା । ବିରୋଧୀ ଦଳର ବିଧାୟକ ମାନେ ପ୍ରବଳ ହଟ୍ଟଗୋଳ କରିବା ସହ ନାରାବାଜୀ କରିଥିଲେ । ଏହି କାରଣରୁ ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିବା ସହ ସମାଧାନ ପାଇଁ ସର୍ବଦଳୀୟ ବୈଠକ ଡାକିଥିଲେ ।
ଉଲ୍ଲେଖନୀୟ ଯେ ଗତ ତିନି ଦିନ ଧରି ଚାଷୀ ମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ବିରୋଧୀ ଦଳ ପକ୍ଷରୁ ହଟ୍ଟଗୋଳ କରାଯାଉଛି ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ