
ନୂଆପଡ଼ା,୨୦ ଫେବୃଆରୀ(ହି.ସ.) – ନୂଆପଡ଼ା ଜିଲ୍ଲାର ପ୍ରାଣୀ ସମ୍ପଦ ବିକାଶ ବିଭାଗର ମାସିକ ସମୀକ୍ଷା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।
ବୈଠକ ଆରମ୍ଭରେ ମୁଖ୍ୟ ଜିଲ୍ଲା ପ୍ରାଣୀ ସମ୍ପଦ ଅଧିକାରୀ ଡାଃ ସୁଖେନ୍ଦୁ ରାୟ ସମସ୍ତଙ୍କୁ ସ୍ୱାଗତ ଜଣାଇ ବିଭାଗୀୟ କାର୍ଯ୍ୟକ୍ରମ ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିଥିଲେ। ଆଲୋଚନା ଅନୁସାରେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଅନ୍ତର୍ଗତ ଗୋପାଳନ କ୍ଷେତ୍ରରେ ୧୦୯ଟି ଲକ୍ଷ୍ୟ ଦିଆଯାଇଥିଲାବେଳେ ୧୧୫ଟି ସଫଳତା ହାସଲ କରାଯାଇଛି। ସେହିପରି ମହିଷ ପାଳନ କ୍ଷେତ୍ରରେ ମଧ୍ୟ ସନ୍ତୋଷ ଜନକ ପ୍ରଦର୍ଶନ ହୋଇଛି। ମାଈ ବାଛୁରୀ ଯୋଜନାରେ ୨୯୦ଟି ଲକ୍ଷ୍ୟ ଥିଲାବେଳେ ୩୧୧ଟି ସଫଳତା ଅର୍ଜିତ ହୋଇଛି। ମୋବାଇଲ ଭେଟେରିନାରୀ ସେବାରେ ୧୦୦ ପ୍ରତିଶତ ଲକ୍ଷ୍ୟ ସମ୍ଭବ ହୋଇଥିବା ଜଣାପଡ଼ିଛି।
ଜିଲ୍ଲାପାଳ ବୈଠକରେ ପଶୁ ବୀମା ଯୋଜନା ଓ କୁକୁଡ଼ା ଚାଷ ବିକାଶ ଯୋଜନାର ପ୍ରଗତି ସମୀକ୍ଷା କରି କ୍ଷେତ୍ରସ୍ତରରେ ସଚେତନତା ବୃଦ୍ଧି ସହିତ ଲକ୍ଷ୍ୟ ପୂରଣ ପାଇଁ ଅଧିକ ପ୍ରୟାସ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ପାଂଚଜଣ ସଫଳ ପଶୁପାଳକଙ୍କୁ ସମ୍ମାନିତ କରାଯାଇଥିଲା।
ବୈଠକରେ ଡିଡିଓଭିଏଚ୍ ଡାଃ କେ. ପାର୍ଥ ସାରଥି ଦୋରା, ଏସ୍ଡିଭିଓ ଡାଃ କୃଷ୍ଣ କୁମାର ସାହୁ ସହ ବିଭାଗୀୟ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ହେମନ୍ତ