





ସମ୍ବଲପୁର, ୨୦, ଫେବ୍ରୁଆରୀ (ହି.ସ.) - ସମ୍ବଲପୁର ଅଇଁଠାପାଲି ଠାରେ ସ୍ଥିତ ବିର୍ସା ମୁଣ୍ଡା ମଇଦାନ(ପି.ଏଚ୍.ଇ.ଡି ପଡିଆ) ଠାରେ ସାତ ଦିନ ବ୍ୟାପି ଅୟୋଜିତ ମହିଳା ସଶକ୍ତିକରଣର ଏବଂ ଉଦ୍ୟୋଗିତାର ମହୋତ୍ସବ ସୁଭଦ୍ରା ଶକ୍ତି ମେଳା ୨୦୨୬ ଉଦ୍ଯାପିତ ହୋଇଯାଇଛି । ଏହି ଅନନ୍ୟ ମହୋତ୍ସବ ଓଡିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ପାଇଁ ସେମାନଙ୍କର ବିଭିନ୍ନ ଉତ୍ପାଦଗୁଡ଼ିକୁ ପ୍ରଦର୍ଶନ କରିବା ନିମନ୍ତେ ଏକ ଭିନ୍ନ ମଂଚ ପ୍ରଦାନ କରିଥିବା ବେଳେ ମହିଳା-ନେତୃତ୍ୱାଧୀନ ବ୍ୟବସାୟଗୁଡ଼ିକୁ ସୁଦୃଢ଼ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାର ପରିପ୍ରକାଶ ଥିଲା ।
ହସ୍ତତନ୍ତ, ହସ୍ତଶିଳ୍ପ ଠାରୁ ଆରମ୍ଭ କରି ଜୈବିକ ଖାଦ୍ୟ, ମସଲା ଆଦି ଉଦ୍ୟୋଗିତାର ପ୍ରଦର୍ଶନ କରିଥିଲା । ସନ୍ଧ୍ୟାର ଆଯୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ରେ କଳାକାର ମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ସୂଚନା ଅନୁଯାୟୀ ୧,୪୫,୪୪,୫୭୦ ଟଙ୍କାର ବ୍ୟବସାୟ ହୋଇଛି। ଯାହା କ୍ରେତାମାନଙ୍କ ମଧ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀ ଉତ୍ପାଦଗୁଡ଼ିକର ଅଭୂତପୂର୍ବ ଚାହିଦା ଏବଂ ବୃଦ୍ଧି ପାଉଥିବା ସ୍ୱୀକୃତିକୁ ଦର୍ଶାଉଛି। ସୁଭଦ୍ରା ଶକ୍ତି ମେଳା ୨୦୨୬ କେବଳ ଏକ ପ୍ରଦର୍ଶନୀ ନଥିଲା, ଏହା ମହିଳା ଉଦ୍ୟୋଗୀମାନଙ୍କ ପାଇଁ ଆର୍ôଥକ ସଶକ୍ତିକରଣ, ଆତ୍ମନିର୍ଭରଶୀଳତା ଏବଂ ସ୍ଥାୟୀ ଜୀବନ ଜୀବିକା ସୁନିଶ୍ଚିତ କରିବା ଦିଗରେ ରାଜ୍ୟ ସରକାରଙ୍କର ଏକ ସୁଚିନ୍ତିତ ପଦକ୍ଷେପ ଥିଲା । ସୁଭଦ୍ରା ଶକ୍ତି ମେଳା ୨୦୨୬ କେବଳ ବିକ୍ରୟ ଏବଂ ଅଂଶଗ୍ରହଣରେ ରେକର୍ଡ ସ୍ଥାପନ କରିନାହିଁ, ବରଂ ଭବିଷ୍ୟତ ମହିଳା-ନେତୃତ୍ୱାଧୀନ ଉଦ୍ୟୋଗଗୁଡ଼ିକ ପାଇଁ ରାସ୍ତା ପ୍ରଶସ୍ତ କରିଛି। ଏହି ଅବସରରେ ବିଭିନ୍ନ ବର୍ଗରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ସ୍ୱୟଂସହାୟକ ଗୋଷ୍ଠୀ ମାନଙ୍କୁ ଚୟନ କରଯାଇ ପୁରସ୍କାର ପ୍ରଦାନ କରାଯାଇଛି। ବିକ୍ରୟ, ପ୍ୟାକେଜିଂ, ନବୀନ ଉତ୍ପାଦ ଓ ସାମଗ୍ରିକ କାର୍ଯ୍ୟଦକ୍ଷତା ଆଦି ମାନଦଣ୍ଡ ଆଧାରରେ ଏହି ଚୟନ କରାଯାଇଥିବା ବୋଲି ଜିଲ୍ଲା ପରିଷଦ ପକ୍ଷରୁ ସୂଚନା ମିଳିଛି।ଏହି ସୂଚନା ଅନୁଯାୟୀ ଫାର୍ମ ପ୍ରଡକ୍ଟ ବିକ୍ରୟରେ ଶ୍ରେଷ୍ଠ ବିକ୍ରେତା ନୟାଗଡ଼ ର ମା ମଙ୍ଗଳା, ଯୁଯୁମରାର ମା ପିତାବଳୀ ସ୍ୱୟଂ ସହାୟିକା ଗୋଷ୍ଠୀ କଟକର ବଡ଼ମ୍ବା ସ୍ୱୟଂ ସହାୟିକା ଗୋଷ୍ଠୀ ଚୟନିତ ହୋଇଛନ୍ତି। ନନ୍-ଫାର୍ମ ବିକ୍ରୟରେ ଶ୍ରେଷ୍ଠ ବିକ୍ରେତା ନୟାଗଡ଼ ର ବୁଢୀ ମା ସ୍ୱୟଂ ସହାୟିକା ଗୋଷ୍ଠୀ, କଟକର ଜୟ ସୀତାରାମ ସ୍ୱୟଂ ସହାୟିକା ଗୋଷ୍ଠୀ ଓ ମୟୂରଭଞ୍ଜ ର ସାଇକୃପା ସ୍ୱୟଂ ସହାୟିକା ଗୋଷ୍ଠୀ ପୁରସ୍କାର ପାଇଁ ଚୟନିତ ହୋଇଛନ୍ତି। ଶ୍ରେଷ୍ଠ ପ୍ୟାକେଜିଂ, ଲେବେଲିଂ ଓ ପ୍ରଦର୍ଶନ ବର୍ଗରେ ମୟୂରଭଞ୍ଜ ର ଜହ୍ନତାରା ସ୍ୱୟଂ ସହାୟିକା ଗୋଷ୍ଠୀ, ମାନେଶ୍ୱର ର ଲିମ୍ବସରେନ ସ୍ୱୟଂ ସହାୟିକା ଗୋଷ୍ଠୀ, କଳାହାଣ୍ଡି ର ମା ସରସ୍ୱତୀ ପିଜି ପୁରସ୍କାର ପାଇଁ ଚୟନିତ ହୋଇଛନ୍ତି। ଶ୍ରେଷ୍ଠ ଗ୍ରାହକ ବ୍ୟବହାର ଓ ପ୍ରଡକ୍ଟ ବର୍ଣ୍ଣନା ବର୍ଗରେ ଭୁବନେଶ୍ୱର ର ଝାଡେଶ୍ୱରୀ ସ୍ୱୟଂ ସହାୟିକା ଗୋଷ୍ଠୀ, ରେଙ୍ଗାଲିର ୱିମେନ୍ ଷ୍ଟାର ସ୍ୱୟଂ ସହାୟିକା ଗୋଷ୍ଠୀ ଓ ଧନକଉଡା ର ବିଟା ସ୍ୱୟଂ ସହାୟିକା ଗୋଷ୍ଠୀ ଚୟନିତ ହୋଇଛନ୍ତି। ନୂତନ ଉତ୍ପାଦ ବର୍ଗ ରେ ମାନେଶ୍ୱର ର ବିଶ୍ୱକର୍ମା ସ୍ୱୟଂ ସହାୟିକା ଗୋଷ୍ଠୀ (ଟେରାକୋଟା), ଆଶା ସ୍ୱୟଂ ସହାୟିକା ଗୋଷ୍ଠୀ (ଆର୍ଟିଫିସିଆଲ୍ ଜୁଏଲେରୀ) ଓ ଶିବଶକ୍ତି ସ୍ୱୟଂ ସହାୟିକା ଗୋଷ୍ଠୀ (ସବାଇ ଘାସ ହ୍ୟାଣ୍ଡିକ୍ରାଫ୍ଟ) ଚୟନିତ ହୋଇଛନ୍ତି।ଖୋର୍ଦ୍ଧା ଜିଲ୍ଲାର ଭୈରବୀ ସ୍ୱୟଂ ସହାୟିକା ଗୋଷ୍ଠୀ ଶାଢୀରେ ହାତ ଦ୍ୱାରା ଚିତ୍ରାଙ୍କନ ଓ ବିଭିନ୍ନ ଉତ୍ପାଦ ପ୍ରଦର୍ଶନରେ ଉତ୍କୃଷ୍ଟତା ପାଇଁ ସାମଗ୍ରିକ ଶ୍ରେଷ୍ଠ ଘୋଷିତ ହୋଇଛି।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ