
ଜୟପୁର, ୨୧ ଫେବୃଆରୀ (ହି.ସ.)- କୋରାପୁଟ ଜିଲ୍ଲା ଜୟପୁର ବ୍ଲକର ବାରିଣିପୁଟ ପଞ୍ଚାୟତର ପୋଟ୍ରାଗୁଡା ଏବଂ ନୂଆଗୁଡାକୁ ସଂଯୋଗ କରୁଥିବା ରାସ୍ତାର କେନାଲ ଉପରେ ରହିଥିବା ପ୍ରାୟ ୩୦ ମିଟର ଲମ୍ବା ବିଶିଷ୍ଟ ଏହି ପୋଲ ଆଜି ପୂର୍ବାହ୍ନରେ ହଠାତ ମଝିରୁ ଭାଙ୍ଗି କେନାଲ ତଳକୁ ଖସିଯାଇଛି । କିନ୍ତୁ ଉକ୍ତ ସମୟରେ ପୋଲ ଉପରେ କୌଣସି ଯାନ କିମ୍ବା ପଥଚାରୀ ନଥିବା ଯୋଗୁଁ ଏକ ବଡ ଅଘଟଣ ଟଳିଛି। ବାରିଣିପୁଟ ଗ୍ରାମପଞ୍ଚାୟତର ପୋଟ୍ରାଗୁଡାଏବଂ ନୂଆଗୁଡା ଗ୍ରାମକୁ ସଂଯୋଗ କରୁଥିବା ୪୦ ବର୍ଷରୁ ଉର୍ଦ୍ଧ୍ବ ପୁରାତନ ପୋଲ ଭୁଷୁଡି ଯାଇଛି । ଫଳରେ ଜୟପୁର ସହରକୁ ପୋଟ୍ରାଗୁଡା, ମହୁଲଭଟ୍ଟା, ଶୁଣ୍ଢିଗୁଡା, ତାଡପାଣି, ରାମଗଡ ପ୍ରଭୃତି ଗ୍ରାମକୁ ଯାତାୟାତ ସ୍ବଳ୍ପ ଦୂରଗାମୀ ରାସ୍ତା ସମ୍ପୁର୍ଣ୍ଣ ବନ୍ଦ ହୋଇଯାଇଛି । ଏହି ଗ୍ରାମ ଗୁଡିକର ପ୍ରାୟ ୩୦୦ରୁ ଉର୍ଦ୍ଧ୍ବ ପରିବାର ମାନେ ଯାତାୟାତ ପାଇଁ ପୁଣି ବାରିଣିପୁଟ ଗ୍ରାମପଞ୍ଚାୟତ ସଦର ଗ୍ରାମ ରାସ୍ତା ଉପରେ ନିର୍ଭର କରିବାକୁ ପଡିବ । ଏହି ରାସ୍ତା ପୂର୍ବରାସ୍ତା ଅପେକ୍ଷା ସାମାନ୍ୟ ଦୂରତା ହେବ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ଏହି ପୋଲ କୋଲାବ ବହୁମୁଖୀ ଜଳବିଦ୍ୟୁତ ପ୍ରକଳ୍ପ ନିର୍ମାଣ ସମୟରେ ଜୟପୁର ନିକଟସ୍ଥ ମୁଣ୍ଡିଗୁଡା ଡେମ ଠାରୁ କୋଟପାଡ ପର୍ଯ୍ୟନ୍ତ ସଂଯୋଗ କରୁଥିବା ମୁଖ୍ୟ କେନାଲ ଉପରେ ଗତ ୪୦ ବର୍ଷ ପୂର୍ବରୁ ନିର୍ମାଣ ହୋଇଥିଲା । ଏହା ଭାରୀଯାନ ଚଳାଚଳ ପାଇଁ ଅନୁପଯୋଗୀ ରହିଥିବା ବେଳେ କେବଳ ଆଖାପଖ ଲୋକଙ୍କ ଦୁଇ, ଚାର ଚକିଆ ଏବଂ ପାଦଚଲା ପାଇଁ ନିର୍ମାଣ କରାଯାଇଥିଲା । କିନ୍ତୁ, କେନାଲ ଅପରପାର୍ଶ୍ବ ପୋଟ୍ରାଗୁଡା ନିକଟରେ କିଛି ବେଆଇନ ଇଟା ଭାଟି ସମେତ କ୍ରସର ଗୁଡିକ ନିର୍ମାଣ ହୋଇଥିବା ଯୋଗୁଁ ଏହିରାସ୍ତା ଦେଇ ଟ୍ରାକ୍ଟର, ଟ୍ରକ ଏବଂ ଟିପର ଭଳି ଭାରୀଯାନ ଗୁଡିକ ବାରମ୍ବାର ଯାତାୟାତ ଫଳରେ ଏହି ୪୦ ବର୍ଷ ପୁରାତନ ପୋଲଟି ଦୁର୍ବଳ ହେବାରେ ଲାଗିଥିଲା । ଏଥିନେଇ କୋଲାବ ଜଳସେଚନ ବିଭାଗ ପକ୍ଷରୁ ଉକ୍ତ ବେଆଇନ ଇଟାଭାଟି ଏବଂ କ୍ରସର ମାଲିକଙ୍କ ଅବଗତ ତାଗିଦ କରାଯାଇଥିଲେ ସୁଦ୍ଧା ସେମାନେ ଏଥିପ୍ରତି ଧ୍ୟାନ ଦେଇନଥିଲେ । ଫଳରେ କେନାଲ ପୋଲ ଭାଙ୍ଗିବା ଯୋଗୁଁ ସ୍ଥାନୀୟ ଗ୍ରାମର ଲୋକମାନେ ଯାତାୟାତରେ ସମସ୍ୟା ସୃଷ୍ଟି ହେବା ସହିତ ଆଗାମୀ ଦିନରେ ଯାତାୟାତରେ ସମୟ ଅପଚୟ ହେବା ବୋଲି ଅଭିଯୋଗ କରିଛନ୍ତି । ଘଟଣା ଘଟିବା ପରେ ତୁରନ୍ତ କୋଲାବ କେନାଲ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ନୀଳମାଧବ ଜ୍ଞାନଚାନ୍ଦ ବେହେରା, ସହାକାରୀ ନିର୍ବାହୀ ଯନ୍ତ୍ରୀ ରଜନୀକାନ୍ତ ମିଶ୍ର, କନିଷ୍ଠ ଯନ୍ତ୍ରୀ ଦିପକ ବେହେରା ଘଟଣାସ୍ଥଳକୁ ଯାଇ ପରିଦର୍ଶନ ସହିତ ଉପଜିଲ୍ଲାପାଳ ଏ. ଶଶ୍ୟା ରେଡ୍ଡିଙ୍କୁ ମଧ୍ୟ ଏଥିନେଇ ଅବଗତ ସହିତ ରିପୋର୍ଟ ପ୍ରଦାନ କରିଛନ୍ତି । ଏହିପରି ଆସନ୍ତା ଦୁଇଦିନ ମଧ୍ୟରେ କୋଲାବ ମୁଖ୍ୟଯନ୍ତ୍ରୀ ଏବଂ ଅନ୍ୟାନ୍ୟ ପ୍ରଶାସନିକ ଉଚ୍ଚ ଅଧିକାରୀ ମାନେ ଏହାର ପରିଦର୍ଶନ ଓ ତଦାରଖ ପରେ ପ୍ରଥମେ ଭାଙ୍ଗି କେନାଲ ଉପରେ ପଡିଥିବା ଏହି ସିମେଣ୍ଟ କଂକ୍ରିଟ ଛାତକୁ ପାଣି ଭିତରୁ ଉଠାଇବା ବ୍ୟବସ୍ଥା କରାଯିବ । ନଚେତ ଚାଷ ଜମି ଗୁଡିକୁ କେନାଲରେ ପାଣି ପ୍ରବାହିତ ଉପରେ ବାଧା ସୃଷ୍ଟି କରିବ । ଏହାପରେ ପୁନର୍ବାର ପୋଲ ନିର୍ମାଣ ନେଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେବାକୁ ନିଷ୍ପତି ଗ୍ରହଣ କରାଯିବ ବୋଲି କୋଲାବ ଜଳସେଚନ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି