
ଖୋର୍ଦ୍ଧା, ୨୧ ଫେବ୍ରୁଆରି (ହି.ସ.) - ନିର୍ମାଣାଧୀନ ସରକାରୀ ଲାଇବ୍ରେରୀ ପ୍ରକଳ୍ପକୁ ଜେସିବି ଲଗାଇ ଭାଙ୍ଗି ଦେବା ଘଟଣାକୁ ନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କ୍ଷୋଭ ପ୍ରକାଶ କରିଛନ୍ତି। ଏନେଇ ସେ ଆଜି ଖୋର୍ଦ୍ଧା ଏସ୍ପିଙ୍କୁ ଚିଠି ଲେଖି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠିରେ ଅନୁରୋଧ କରିଛନ୍ତି। ସେ ଚିଠିରେ ଦର୍ଶାଇଛନ୍ତି ଯେ, ଏ ପ୍ରକଳ୍ପ ସାଂସଦଙ୍କ ହାତପାଣ୍ଠିରୁ ନିର୍ମାଣ ଚାଲିଥିଲା। ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ କାର୍ଯ୍ୟାଦେଶ ଦିଆଯାଇଥିଲା। ଜମି ଚିହ୍ନଟ ବି ହୋଇଥିଲା। ତହସିଲ୍ଦାରଙ୍କଠାରୁ ଅନୁମତି ବି ମିଳିଥିଲା। ଏଥିପାଇଁ ମୋଟ୍ ୫ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦିଆଯାଇଥିଲା। ହେଲେ ଠିକାଦାର ଘର ତୋଳିଲା ବେଳକୁ ସ୍ଥାନୀୟ କିଛି ଦୁର୍ବୃତ ଜେସିବି ଲଗାଇ ଘରଟିକୁ ଭାଙ୍ଗି ଦେଇଛନ୍ତି। ଏନେଇ ଶିଳ୍ପାଂଚଳ ଥାନାରେ ମୁକ୍ତାପୁର ଗାଁର ଠିକାଦାର ହେମନ୍ତ ମାନସିଂହ ଏତଲା ଦେଇଛନ୍ତି। ଜିଲ୍ଲାପାଳଙ୍କୁ ବି ଭେଟି ଫେରାଦ୍ ହୋଇଥିଲେ। ସରକାରୀ ସମ୍ପତିକୁ ନଷ୍ଟ କରିବା ଘଟଣାରେ ସାଂସଦ ଏଥିରେ ହସ୍ତକ୍ଷେପ କରିଛନ୍ତି। ତୁରନ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଏସ୍ପିଙ୍କୁ ସାଂସଦ ଅନୁରୋଧ କରିଛନ୍ତି। ତେବେ ଲାଇବ୍ରେରୀ ପ୍ରକଳ୍ପକୁ ବ୍ୟବହୃତ ଜେସିବିକୁ ଶିଳ୍ପାଂଚଳ ଥାନା ପୋଲିସ ଜବତ କରିଥିବା ଜଣାପଡିଛି।
ହିନ୍ଦୁସ୍ଥାନ ସମାଚାର / ରାକେଶ