
ରାଉରକେଲା,୨୧ ଫେବୃଆରୀ (ହି.ସ.)- ମେଡିସିନ କମ୍ପାନୀର ମ୍ୟାନେଜରଙ୍କୁ ଛୁରୀ ଭୁଷି ହତ୍ୟା କରାଯାଇଛି । କେହି ଦୁର୍ବୃତ ତାଙ୍କୁ ହତ୍ୟା କରି ଫେରାର୍ ହୋଇଯାଇଥିବା ସନ୍ଦେହ କରାଯାଉଛି । ରାଉରକେଲା ରଘୁନାଥପାଲ୍ଲୀ ଥାନା ଅନ୍ତର୍ଗତ ସିଭିଲ ଟାଉନସିପ୍ ଅଂଚଳରେ ଏଭଳି ଏକ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ଭାଗିରଥୀ ସାହୁ । ଶନିବାର ସିଭିଲ ଟାଉନସିପ୍ ଅଂଚଳରେ ଥିବା ଏକ ଭଡ଼ାଘରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଭାଗିରଥୀଙ୍କ ଘର ଯାଜପୁରରେ ଏବଂ ସେ ଭୁବନେଶ୍ୱରରେ ରୁହନ୍ତି । ଗତକାଲି ସନ୍ଧ୍ୟାରେ ସେ ଭୁବନେଶ୍ୱରରୁ ରାଉରକେଲା ଯାଇଥିଲେ ।
ଶନିବାର ସକାଳେ ମୃତକଙ୍କୁ ସନ୍ଦେହଜନକ ଅବସ୍ଥାରେ ଘର ଭିତରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ତାଙ୍କ ପାଟିରୁ ରକ୍ତ ବାହାରୁଥିବା ଦେଖାଯାଇଥିଲା । ଖବର ପାଇ ରଘୁନାଥପାଲ୍ଲୀ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରିବା ସହ ମୃତକଙ୍କ ଶବ ଉଦ୍ଧାର କରିଛି । ମୃତକଙ୍କ ପରିବାର ଲୋକ ପହଂଚିବା ପରେ ଶବ ବ୍ୟବଚ୍ଛେଦ କରାଯିବ । ତେବେ କିଏ ଏବଂ କାହିଁକି ତାଙ୍କୁ ହତ୍ୟାକଲା ସେନେଇ ତଦନ୍ତ କରୁଛି ପୋଲିସ । ଘଟଣାରେ ଭାଗିରଥୀଙ୍କ ୨ ଜଣ ରୁମମେଟ୍ ଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ