
ରାଉରକେଲା, ୨୧ ଫେବୃଆରୀ (ହି.ସ.)- ରାଉରକେଲା ସହରରେ ଭେଟନାରୀ ମେଡିସିନ କଂପାନୀରେ ପରିଚାଳକ ଭାବେ କାମ କରୁଥିବା ଜଗତସିଂପୁର ଅଞ୍ଚଳର ଜଣେ ଯୁବକର ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ଶବକୁ ରଘୁନାଥପାଲ୍ଲୀ ଥାନା ପାଖରେଥିବା ସିଭିଲଟାଉନ ର ଏକ ବାସଗୃହର ଉପର ମହଲାରୁ ପୁଲିସ ଜବତ କରିଛି । ମୃତ ଯୁବକଙ୍କ ନାମ ଭାଗିରଥୀ ସାହୁ ।
ଖବରରୁ ପ୍ରକାଶ ଯେ, ଭାଗିରଥୀ ଏକ ନାମୀ ଭେଟନାରୀ କଂପାନୀରେ ରାଉରକେଲାରେ ଗତ କିଛି ଦିନ ତଳେ ଯୋଗଦେଇଥିଲେ । ସେ ସିଭିଲ ଟାଉନ କ୍ୟୁ/୩/୧୪ ଘରେ ଅନ୍ୟ ଦୁଇ ଯୁବକଙ୍କ ସହ ରହୁଥିଲେ। ଗତକାଲି ସଂଧ୍ୟାରେ ମୃତକ ପୂର୍ବତନ ପରିଚାଳକଙ୍କ ସମେତ ୨ଜଣ ମେଡିସିନ ରିପ୍ରେଜେଂଟେଟିଭଙ୍କ ସହ ଥିଲେ, ତେବେ ପରେ ପରେ ସେ ରହୁଥିବା ଘରକୁ ଫେରିଆସିଥିଲେ। ହଠାତ୍ ରାତି ପ୍ରାୟ ୧୧ଟା ବେଳେ ତାଙ୍କ ଘର ସମ୍ମୁଖରେ ୨/୩ଟି ପୁଲିସ ଗାଡି ଲାଗିଥିଲା, ଫଳରେ ଲୋକେ ସନ୍ଦେହ କରିଥିଲେ କିଛି ହୋଇଛି ବୋଧେ । ପରେ ଜଣାପଡିଥିଲା ଭାଗିରଥୀଙ୍କର ରକ୍ତ ଜୁଡୁବୁଡୁ ଶବକୁ ପୁଲିସ ଠାବ କରିଛି । ସେହି ସମୟରେ କିମ୍ବା ପାଖ ଆଖରେ ସେ ଘରେ ରହୁଥିବା ଦୁଇ ଜଣ ଯୁବକଙ୍କୁ ପୁଲିସ ଠାବ କରି ସେମାନଙ୍କୁ ଅଟକ ରଖି ପଚରା ଉଚରା ଆରମ୍ଭ କରିଛି । ପରେ ଖବର ମିଳିଲା ତାଙ୍କୁ ଛୁରା ଭୁଷି କେହି ହତ୍ୟା କରିଛି । ତେବେ ହତ୍ୟାକାରୀ କିଏ ? କାହିଁକି ଏଭଳି କାମ ସେ କଲା ବୋଲି ଏବେ ଲୋକେ ଆଲୋଚନା କରୁଥିବା ବେଳେ କୁହାଯାଉଛି ଯେ, ଏହା ପଛରେ ଚାକିରୀକୁ ନେଇ କିଛି ଝାମେଲା ଥିଲା। ପୂର୍ବରୁ ଥିବା ମ୍ୟାନେଜରଙ୍କୁ କଂପାନୀ ବାହାର କରି ଦେଇ ଭାଗିରଥୀଙ୍କୁ ଆଣି ରାଉରକେଲାରେ ରଖିଥିଲା, ପରେ ଭାଗିରଥୀ ନିଜର ଫିଲ୍ଡ ତିଆରି କରି କାମ କରୁଥିବା ବେଳେ ଏହି ଘଟଣା ଘଟିଛି ବୋଲି ଆଲୋଚନା ଚାଲିଛି । ତେବେ ହତ୍ୟାକାରୀ କିଏ ତାହା ଏଯାଏ ଷ୍ପଷ୍ଟ ହୋଇ ନାହିଁ କିମ୍ବା କାରଣକୁ ନେଇ ପୁଲିସ କିଛି କହିନାହିଁ । ତେବେ ଥାନା ପାଖରେ ଏ ଘରେ ଏଭଳି ମୃତଦେହ ବାହାରିବା କେହି କିଛି ଜାଣି ନପାରିବା ଅପରାଧୀ ମାନଙ୍କୁ ହତ୍ୟାଲାଗି କେତେ ସାହାସ ରାଉରକେଲାରେ ଦେଇଛି ଓ ଅପରାଧ କରିବାକୁ ଅପରାଧୀ ମାନେ ଆଦୌ ଭୟ କରୁନଥିବା ବିଷୟ ଏବେ ଚର୍ଚ୍ଚାର ବିଷୟ ହୋଇଛି । ଘଟଣାଟି ଘଟିଛି ପୁଣି ଥାନା ଠାରୁ ମାତ୍ର କେଇ ମିଟର ଦୂରରେ, ତେଣୁ ଅପରାଧୀ ମାନେ ପୁଲିସ, ଆଇନ ଓ ଦଣ୍ଡକୁ ନେଇ କେତେ ଭୟଭିତ ତାହା ଏବେ ମୁଖ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ହିନ୍ଦୁସ୍ଥାନ ସମାଚାର / କାଳୀପ୍ରସାଦ