
କେନ୍ଦୁଝର, ୨୧ ଫେବୃଆରୀ (ହି.ସ.)- କେନ୍ଦୁଝର ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରସ୍ଥ ଦରବାର ହଲ୍ ଠାରେ ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ (ସାଧାରଣ)ଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ମାସିକ କର୍ମଚାରୀ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ପ୍ରଶାସନର କାର୍ଯ୍ୟଦକ୍ଷତା ବୃଦ୍ଧି ଏବଂ ଦୈନନ୍ଦିନ କାର୍ଯ୍ୟରେ ରହୁଥିବା ବାଧାବିଘ୍ନ ଦୂର କରିବା ପାଇଁ ବିସ୍ତୃତ ଆଲୋଚନା କରାଯାଇଛି। ବୈଠକର ମୁଖ୍ୟ ଆଲୋଚ୍ୟ ବିଷୟ ଓସୱାସ ମାଧ୍ୟମରେ ଫାଇଲ୍ ପରିଚାଳନା ସରକାରୀ ଫାଇଲ୍ଗୁଡ଼ିକର କାର୍ଯ୍ୟକାରିତାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଓସୱାସ ପୋର୍ଟାଲର ସଠିକ୍ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଛି। ସମସ୍ତ ଫାଇଲ୍ ମୁଭମେଣ୍ଟ ଯେପରି ଅନଲାଇନ୍ ମାଧ୍ୟମରେ ସୁରୁଖୁରୁରେ ହେବ, ସେଥିପାଇଁ ଅଧିକାରୀଙ୍କ ସହଯୋଗ ଲୋଡ଼ାଯାଇଛି। କର୍ମଚାରୀମାନଙ୍କୁ ଇ-ଡେସପାଚ୍ ସମ୍ବନ୍ଧରେ ଅଧିକ ଦକ୍ଷ କରିବା ପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷଣ ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି। ପେଣ୍ଡିଂ ରହୁଥିବା ଅଭିଯୋଗଗୁଡ଼ିକୁ ତୁରନ୍ତ ଯାଞ୍ଚ କରି ଶୀଘ୍ର ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ଇଂରାଜୀ ପରିବର୍ତ୍ତେ ଓଡ଼ିଆ ଭାଷାରେ କିଭଳି ସରକାରୀ ଚିଠିପତ୍ର ଓ ଡ୍ରାଫ୍ଟ ପ୍ରସ୍ତୁତ କରାଯିବ, ସେ ସମ୍ପର୍କରେ କର୍ମଚାରୀମାନଙ୍କୁ ତାଲିମ ଦିଆଯିବା ନେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହାଳିକ (ସାଧାରଣ) ଏହି ବୈଠକରେ ଉପସ୍ଥାପନା କରିଥିଲେ। ପ୍ରଶାସନିକ କାର୍ଯ୍ୟରେ ଉନ୍ନତି ଆଣିବା ପାଇଁ ଏଣିକି ପ୍ରତି ମାସରେ ଏହିଭଳି ସମୀକ୍ଷା ବୈଠକ କରାଯାଇ କାର୍ଯ୍ୟର ଅଗ୍ରଗତି ଯାଞ୍ଚ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରବିନ୍ଦ୍ର କୁମାର ପ୍ରଧାନ(ରାଜସ୍ୱ) ଯୋଗଦେଇ ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ବିଶେଷ କରି ଓସୱାସ ମାଧ୍ୟମରେ ଫାଇଲ୍ ପରିଚାଳନା ସମୟରେ କର୍ମଚାରୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ବୈଷୟିକ ସମସ୍ୟା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଡିଜିଟାଲ୍ ଫାଇଲ୍ ମୁଭମେଣ୍ଟରେ ଯେପରି କୌଣସି ବାଧା ଉପୁଜିବ ନାହିଁ ଏବଂ ବୈଷୟିକ ତ୍ରୁଟି ଯୋଗୁଁ କାର୍ଯ୍ୟ ଯେପରି ବିଳମ୍ବ ନହେବ, ସେଥିପାଇଁ ତୁରନ୍ତ ପଦକ୍ଷେପ ନେବାକୁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ଏବଂ ନୂତନ ଭାବେ ଯୋଗ ଦେଇଥିବା ଅଧିକାରୀମାନେ ଯେପରି ଓସୱାସ ପ୍ରକ୍ରିୟାକୁ ସହଜରେ ବୁଝିପାରିବେ, ସେଥିପାଇଁ ସେମାନଙ୍କୁ ସମ୍ୟକ ଜ୍ଞାନ ଓ ପ୍ରଶିକ୍ଷଣ ଦେବାକୁ କୁହାଯାଇଛି।
ଏହି ସମୀକ୍ଷା ବୈଠକରେ ବିଭିନ୍ନ ବିଭାଗର ଉପରିସ୍ଥ ଅଧିକାରୀ ଏବଂ ସେକ୍ସନ ଅଫିସରମାନେ ଉପସ୍ଥିତ ରହି ନିଜ ନିଜ ବିଭାଗର କାର୍ଯ୍ୟଧାରା ସମ୍ପର୍କରେ ମତାମତ ରଖିଥିଲେ। ପ୍ରଶାସନିକ ସ୍ତରରେ ସ୍ୱଚ୍ଛତା ଓ ସମୟାନୁବର୍ତ୍ତିତା ବଜାୟ ରଖିବା ପାଇଁ ଏହି ମାସିକ ବୈଠକ ଏକ ମୁଖ୍ୟ ମାଧ୍ୟମ ହେବ ବୋଲି ଆଶା କରାଯାଉଛି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA